ସିସିଟିଭିରେ ଲୁଟର ଲାଇଭ ଚିତ୍ର: ଗାଡି ହ୍ଯାଣ୍ଡେଲରେ ଚୁଇଙ୍ଗମ୍ ଲଗାଇ ଟଙ୍କା ଭର୍ତ୍ତି ବ୍ଯାଗ୍ ନେଇ ଛୁ ମାରିଲା ଚୋର

ଉଦଳା(କେନ୍ଯୁଜ୍): ଚୋର ଚୋରୀ କରିବା ପାଇଁ ସବୁବେଳେ ନୂଆ ନୂଆ ତରିକା ବିଷୟରେ ଭାବିଥାଏ। କିପରି ସହଜରେ ଏବଂ କମ୍ ସମୟ ଭିତରେ ନିଜର କାରନାମା କରି ଚମ୍ପଟ ମାରିବ ତାହା ମଧ୍ୟ ଚିନ୍ତା କରିଥାଏ। ତେବେ ପ୍ରତିଦିନ ଚୋରୀ ଆଉ ଚୋରକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଏମିତି ପୁଣି ଏକ ଚୋରର କଳା କାରନାମା କଏଦ ହୋଇଛି ସିସିଟିଭିରେ।

ଦିନ ଦ୍ବିପ୍ରହରରେ ଲୁଟର ଲାଇଭ ଭିଜୁଆଲ । ଗତକାଲି ଖୁଂଟା ବଜାରରେ ହୋଇଛି ଏହି ଲୁଟ୍। ଯାହାର ଭିଜୁଆଲ କଏଦ ହୋଇଛି ପାଖରେ ଲାଗିଥିବା ଏକ ସିସିଟିଭିରେ । ଗତକାଲି ଖୁଂଟା ବଜାର ମଝିରେ ବ୍ଯବସାୟୀ ଲଳିତ ଦାସ ବାଇକ ରଖି ନିକଟସ୍ଥ ଦୋକାନକୁ ଯାଇଥିଲେ। ସେହି ସମୟରେ ପୂର୍ବ ଯୋଜନା ମୁତାବକ ବ୍ଯବସାୟୀଙ୍କୁ ଫଲୋ କରୁଥିବା ଦୁଇ ଜଣ ଲୁଟେରାଙ୍କ ମଧ୍ଯରୁ ଜଣେ ତାଙ୍କ ଗାଡି ହ୍ଯାଣ୍ଡେଲରେ ଚୁଇଙ୍ଗମ ଲଗାଇ ଦେଇଥିଲା । ପରେ ଲଳିତ ଆସି ଗାଡି ହ୍ଯାଣ୍ଡେଲରେ ଚୁଇଙ୍ଗମ ଲାଗିଥିବା ଦେଖିବାକୁ ପାଇଥିଲେ। ଯାହାଫଳରେ ଚୁଇଙ୍ଗମକୁ ସଫା କରିବା ପାଇଁ ଗୋଟେ ପଟ ହ୍ଯାଣ୍ଡେଲରେ ଟଙ୍କା ବ୍ଯାଗ ଟାଙ୍ଗି, ଚୁଇଙ୍ଗମ ଲାଗିଥିବା ଅନ୍ଯ ହ୍ଯାଣ୍ଡେଲକୁ ସଫା କରିଥିଲେ । ଏହାପରେ ପାଖରେ ଥିବା ଦୋକକୁ ଯାଇ ପାଣି ବୋତଲ ଆଣି ସେଥିରେ ହାତ ଧୋଇଥିଲେ ।

ବାସ୍ ଏହି ସୁଯୋଗକୁ ଅପେକ୍ଷା କରି ରହିଥିଲା ଚୋର।  ବ୍ଯବସାୟୀ ଜଣଙ୍କ ଚୁଇଙ୍ଗମକୁ ସଫା କରିବା ସମୟରେ କେମିତି ଚୋରଟି ପାଖରେ ଠିଆ ହୋଇ ସବୁ ଲକ୍ଷ ରଖୁଛି । ଆଉ ମଉକାକୁ ଅପେକ୍ଷା କରିଛି । ହାତ ସଫାକରି ପାଣି ବୋତଲ ରଖିବାକୁ ଲଳିତ ଦୋକାନକୁ ଯାଇଥିବା ବେଳେ , ଆଖି ପଛୁଳାକେ ଲୁଟେରା ଟଙ୍କା ଭର୍ତି ବ୍ଯାଗ ଧରି ଚମ୍ପଟ ମାରିଛି । ତେବେ ବାଇକରେ ଅନ୍ଯ ଜଣେ ଲୁଟେରା ଠିକ୍ ସମୟରେ ସେଠାରେ ପହଂଚି ଯାଇଛି । ଆଉ ତା ପରେ ସେହି ବାଇକରେ ବସି ଲୁଟେରା ଦ୍ୱୟ ସେଠାରୁ ଖସି ପଳାଉଛନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଦିନ ଦ୍ୱିପ୍ରହରରେ ଏପରି ଲୁଟ କରିଥିଲେ ଲୁଟେରା । ଯାହାର ଲାଇଭ ଭିଜୁଆଲ କଏଦ ହୋଇଛି ସିସିଟିଭିରେ । ତେବେ ଏନେଇ ଲଳିତ ଥାନାର ଦ୍ବାରସ୍ତ ହୋଇଥିବାବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.