ମୃତ୍ୟୁ ମୁହଁରୁ ଫେରିଆସିଲା ମାଙ୍କଡର ଜୀବନ, ମୁହଁରେ ନିଶ୍ୱାସ ଦେଇ ବଞ୍ଚାଇଦେଲେ ପ୍ରଭୁ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରଲ ହେବାର ଆପଣ ନିଶ୍ଚିତ ଦେଖୁଥିବେ। କିନ୍ତୁ ଏହିସବୁ ଭିଡିଓ ମଧ୍ୟରୁ ଏମିତି କିଛି ରହିଛି, ଯାହା ଲୋକଙ୍କୁ ଭାବୁକ କରିଦିଏ। ଏମିତିରେ ଏବେ ଗୋଟେ ଭିଡିଓ ଭାଇରଲ ହେବାରେ ଲାଗିଛି, ଯାହାକୁ ଆପଣ ଦେଖିଲେ ମଧ୍ୟ ଭାବୁକ ହୋଇଯିବେ। ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ସଡ଼କରେ ପଡିଥିବା ଏକ ମାଙ୍କଡର ଜୀବନ ବଞ୍ଚାଇବା ପାଇଁ CPR ଦେଉଛନ୍ତି। ଆଉ ବ୍ୟକ୍ତି ଜଣକ ପିଲାର ଜୀବନ ବଞ୍ଚାଇବା ଭଳି ମାଙ୍କଡର ମଧ୍ୟ ଜୀବନ ବଞ୍ଚାଉଥିବା ନଜର ଆସିଛନ୍ତି।

ଭିଡିଓକୁ ଭଲ କରି ଦେଖନ୍ତୁ, କିଭଳି ରାସ୍ତାରେ ଅଚେତ ହୋଇ ମାଙ୍କଡଟି ପଡିଥିବା ବେଳେ ବ୍ୟକ୍ତି ଜଣକ CPR ଦେଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ରାସ୍ତାରେ ମାଙ୍କଡଟି ଅଚେତ ହୋଇଥିବା ପଡିଥିବା ଦେଖି ବ୍ୟକ୍ତି ଜଣକ ତାର ଛାତିକୁ ଜୋରରେ ଚିପୁଛନ୍ତି। ତାକୁ ଉଠାଇ ପାଟି ପଟେ ନିଶ୍ୱାସ ପ୍ରଶ୍ୱାସ ଦେବା ପାଇଁ ଚେଷ୍ଟା କରୁଛନ୍ତି। ମାଙ୍କଡର ଛାତିକୁ ଜୋର ଜୋରରେ ଚାପି ତାକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଆଉ କିଛି ସମୟ ପରେ ତାଙ୍କ ପରିଶ୍ରମର ଫଳ ମିଳିଛି। ଅଚେତ ହୋଇ ପଡିଥିବା ମାଙ୍କଡଟି ଚେତାକୁ ଫେରିଛି। ତା’ ପରେ ବ୍ୟକ୍ତି ଜଣକ ତାକୁ ଉଠାଇ ସାଙ୍ଗରେ ଚିକିତ୍ସା ପାଇଁ ନେଇଯାଇଛନ୍ତି।

ଭିଡିଓଟି ତାମିଲନାଡୁ ବୋଲି ଜଣାପଡିଛି। ଏହାକୁ ଟ୍ଵିଟରରେ ଆଇଏଫଏସ୍‌ ଅଫିସର ସୁଧା ରମନ ସେୟାର କରିଛନ୍ତି। ଏହି ଭିଡିଓକୁ କ୍ରିକେଟର ଆର ଅଶ୍ୱିନ ମଧ୍ୟ ଟ୍ଵିଟ୍‌ କରିଛନ୍ତି। ଘଟଣା ମୁତାବକ, ଏହି ମାଙ୍କଡକୁ କୁକୁର ଦଳ ଆକ୍ରମଣ କରି ଅଚେତ କରିଦେଇଥିଲେ। ମାଙ୍କଡର ବୟସ ମାତ୍ର ୮ ମାସ। ଆଉ ସେହି ରାସ୍ତା ଦେଇ ବାଇକ୍‌ରେ ଯାଉଥିବା ବ୍ୟକ୍ତି ପ୍ରଭୁ ମାଙ୍କଡ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ।

ପ୍ରଭୁଙ୍କ ଏପରି କାମ ଯୋଗୁଁ ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସା ଛୁଟୁଛି। କିଛି ୟୁଜର୍ସ ପ୍ରଭୁଙ୍କ ଏପରି କାମକୁ ନୋବେଲ ପୁରସ୍କାର ଦେବା ପାଇଁ ମଧ୍ୟ କହିଛନ୍ତି। ଆଉ ଦୁନିଆରେ ଏପର୍ଯ୍ୟନ୍ତ ମାନବିକତା ବଞ୍ଚିଛି ବୋଲି ମଧ୍ୟ କିଛି ଲୋକେ ମନ୍ତବ୍ୟ ଦେଉଛନ୍ତି।

Leave A Reply

Your email address will not be published.