ପିପିଲି (କେନ୍ୟୁଜ୍) : ରାସ୍ତା ଉପରେ ଯାଉ ଯାଉ ସ୍କୁଟିରେ ଲାଗିଗଲା ନିଆଁ । ପୁରୀ ଜ଼ିଲ୍ଲା ପିପିଲି ଲଷ୍ମୀ ନାରାୟଣପୁର ଗାଁରେ ଏହି ଘଟଣା ଘଟିଛି । ଏହି ଗାଁର ବିଜୟ ଜେନାଙ୍କ ସ୍ତ୍ରୀ ରିଙ୍କି ନିଜ ବ୍ୟାଟେରୀ ଚାଳିତ ସ୍କୁଟିରେ ଝିଅକୁ ନେଇ ଘରକୁ ଫେରୁଥିଲେ । ଏତିକି ବେଳେ ସଙ୍ଗଳେଇ-ବାରମାଣ ରାସ୍ତାରେ ହଠାତ ତାଙ୍କ ସ୍କୁଟିରେ ନିଆଁ ଲାଗି ଯାଇଥିଲା । ତେବେ ସେ ଜାଣି ପାରି ମା ଓ ଝିଅ ସ୍କୁଟିକୁ ଛାଡି ତୁରନ୍ତ ଓହ୍ଲାଇ ପଡ଼ିଥିଲେ । ଆଉ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ନଚେତ ସ୍କୁଟିଟି ଯେଭଳି ଭୟଙ୍କର ଭାବେ ଜଳି ଯାଇଥିଲା ସେଥିରେ ଉଭୟ ମା ଓ ଝିଅଙ୍କର କିଛି ବି ଘଟି ପାରିଥାନ୍ତା । ସେମାନେ ନିଜ ଜୀବନ ବଞ୍ଚାଇ ସ୍କୁଟି ଠାରୁ ଦୂରକୁ ପଳାଇଥିଲେ । ଆଉ ମାତ୍ର କିଛି ସମୟ ମଧ୍ୟରେ ସ୍କୁଟିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ନିଆଁ ଏତେ ଜୋର ଥିଲା ଯେ ରାସ୍ତା ଉପରେ ହୁତ୍ ହୁତ୍ ହୋଇ ସ୍କୁଟିଟି ଜଳିବାକୁ ଲାଗିଲା । ସେଠାରେ ନିଆଁ ଲିଭାଇବାର କୌଣସି ଉପାୟ ନଥିଲା । ପରେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ଗାଡିଟି ସମ୍ପୂର୍ଣ୍ଣ ଜଳି ସାରିଥିଲା । ସର୍ଟ ସର୍କିଟ୍ ଯୋଗୁଁ ଏହି ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି ।