ଜିରୋ ନାଇଟ ସେଲିବ୍ରେସନ କଟକଣାକୁ କଡାକଡି କରିବ କମିଶନରେଟ ପୋଲିସ: ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବର ଓ କଟକରେ ଫିକା ପଡ଼ିବ ନୂଆବର୍ଷ ପାଳନ । କଟକଣା ଲଗାଇଛି କମିଶନରେଟ ପୋଲିସ । ରାତି ୧୦ଟା ପରେ କୌଣସି ସେଲିବ୍ରେସନ୍‌ ହୋଇପାରିବ ନାହିଁ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ। ଏହାସହ ଡିଜେ ନାଇଟକୁ ବି ବ୍ୟାନ କରାଯାଇଛି।

ପଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗତକାଲିଠୁ ଚେକିଂକୁ ଜୋରଦାର କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯିବ। ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ହେବ। ଏମିତିକି ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

କେବଳ ଟ୍ବିନ ସିଟି ନୁହେଁ ବରଂ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନ ଉପରେ କଟକଣା ଲଗାଯାଇଛି । ନା ଶୁଭିବ ଡିଜେ ନା ଜମିବ ଆସର। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସର୍ବସାଧାରଣରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ। ହୋଟେଲ୍‌, ରେଷ୍ଟୁରାଣ୍ଟ, କ୍ଲବ, ପାର୍କରେ ଏକାଠି ହେବା ମନା ।

ନୂଆବର୍ଷରେ ଗୋଟିଏ ସ୍ଥାନରେ ଲୋକଙ୍କ ସମାଗମ ହେଲେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଓ ପିକନିକ୍‌ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ପାର୍କ, ବେଳାଭୂମି ଆଦିରେ ପିକନିକ୍‌ ମନା। ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସହ ବନ୍ଦ ରହିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ।

Leave A Reply

Your email address will not be published.