Below header

ମୋ ଶଙ୍ଖା ସିନ୍ଦୁର ତ ରହିଲାନି ଓଡିଶାବାସୀ ଦେଇଥିବା ପଇସା କରିବି କଣ? ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠିକୁ ଟଙ୍କା ଫେରାଇଦେଲେ ଅଭିଷେକଙ୍କ ସ୍ତ୍ରୀ

ଭଦ୍ରକ/ବାସୁଦେବପୁର (କେନ୍ୟୁଜ୍): ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର ବହୁ ଚର୍ଚ୍ଚିତ ଅଭିଷେକ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଅଭିଷେକ ମହାପାତ୍ରଙ୍କ ଚିକିତ୍ସା ପାଇଁ ପାଇଥିବା ଚିକିତ୍ସା ସହାୟତା ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇଲେ। ଏହି ଉପଲକ୍ଷେ ଆଜି ମୃତ ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀ ମହାପାତ୍ର ତାଙ୍କ ବାପା ଏବଂ ସମ୍ପର୍କୀୟ ମାନେ ଭଦ୍ରକ ଜିଲ୍ଲାପାଳଙ୍କ ପାଖକୁ ଆସି ମୋଟ ୪୦ ଲକ୍ଷ ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏବଂ ୧୦ ଲକ୍ଷ ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ବାସୁଦେବପୁର ମନ୍ଦାରି ଅଞ୍ଚଳର ଅଭିଷେକ ମହାପାତ୍ର ଗତବର୍ଷ ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ। ତେବେ ତାଙ୍କର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ, ତାଙ୍କ ନବ ବିବାହିତା ସ୍ତ୍ରୀ ବିଭିନ୍ନ ଗଣମାଧ୍ୟମ ଜରିଆରେ ହାତ ଯୋଡି ଚିକିତ୍ସା ସହାୟତା ପାଇଁ  ନିବେଦନ କରିଥିଲେ। ତେଣୁ ଓଡିଶା ସମେତ ବିଭିନ୍ନ ସ୍ଥାନରୁ ବହୁ ବଦାନ୍ୟ ବ୍ୟକ୍ତି ମାନେ ତାଙ୍କୁ ଆର୍ଥିକ ସହାୟତା କରିଥିଲେ। ଫଳରେ ଅଭିଷେକଙ୍କ ଏକମୋ ଚିକିତ୍ସା ପାଇଁ କୋଲକତାକୁ air lifting କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସେପ୍ଟେମ୍ବର ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ୱାମୀର ମୃତ୍ୟୁ ପରେ ସବୁ ହରାଇ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ମୌସୁମୀ।  କିନ୍ତୁ ତାଙ୍କୁ ଅସୁବିଧା ସମୟରେ ଯେଉଁ ବଦାନ୍ୟ ବ୍ୟକ୍ତି ମାନେ ସହାୟତା କରିଥିଲେ, ତାଙ୍କୁ ସେ ଭୁଲିନଥିଲେ।  ତେଣୁ ସ୍ୱାମୀଙ୍କୁ ହରାଇବା ପରେ ଯାହା କିଛି ଅର୍ଥ ନିଜ ପାଖରେ ଥିଲା ଶେଷରେ ସେ ଆଜି ଜିଲ୍ଲାପାଳଙ୍କ ଜରିଆରେ ସମାଜର କଲ୍ୟାଣ ପାଇଁ ୪୦ ଲକ୍ଷ ଟଙ୍କା ପ୍ରଦାନ କରିଲେ। ତେବେ ଏହି ଟଙ୍କାକୁ ଯେଭଳି ତାଙ୍କ ସ୍ୱାମୀର ଅବସ୍ଥା ଜାଣି ଲୋକ ମାନେ ସହାୟତା କରିଥିଲେ, ସେହିଭଳି ଏହି ଅର୍ଥ ଅନ୍ୟ ମାନଙ୍କ ଚିକିତ୍ସାରେ ସହାୟକ ହୋଇପାରିବ ଅନୁଭବ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଥିବା କହିଛନ୍ତି ମୌସୁମୀ । ମୌସୁମୀଙ୍କ ଏଭଳି ମହତ କାର୍ଯ୍ୟକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.