କାଲି ଦିଲ୍ଲୀରେ ୬ ବର୍ଷ ପରେ ଅନୁଷ୍ଠିତ ହେଉଛି ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା କାଲି ନୂଆଦିଲ୍ଲୀରେ ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ଅନୁଷ୍ଠିତ ହେଉଛି ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ୩୯ ତମ ସମ୍ମିଳନୀ। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ୧୯୫୩ ମସିହା ନଭେମ୍ବର ମାସରେ ପ୍ରଥମ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶେଷ ଥର ପାଇଁ ୨୦୧୬ ଏପ୍ରିଲ ମାସରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୬ ବର୍ଷ ପରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ପରେ ୩୦ ତାରିଖରେ ବିଜ୍ଞାନ ଭବନରେ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀମାନଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହେବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀରେ ଯୋଗ ଦେବାକୁ କାଲି ଦିଲ୍ଲୀ ଗସ୍ତରେ ଯାଉଛନ୍ତି।

ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ ମାନଙ୍କ ମିଳିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ଦେଶର ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ସୁଧାର ଆଣିବା ଏଭଳି ସମ୍ମିଳନୀ ଆୟୋଜନର ମୂଳ ଲକ୍ଷ୍ୟ। ଏହା ବ୍ୟତୀତ ୨୫ଟି ଯାକ ହାଇକୋର୍ଟ ଓ ତଳକୋର୍ଟରେ ବିଚାରପତି ନିଯୁକ୍ତି, କୋର୍ଟ ବିଲ୍‌ଡିଂ ଓ ଅନ୍ୟାନ୍ୟ ଜୁଡିସିଆଲ ଭିତ୍ତିଭୂମିରେ ଉନ୍ନତି, ଅଦାଲତରେ ମାନବ ସମ୍ବଳର ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହା ବ୍ୟତୀତ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ଆପୋଷ ସମାଧାନ ଏବଂ ଏଡିଆର ବା ମାମଲାର ବିକଳ୍ପ ସମାଧାନ ସମ୍ପର୍କରେ ଏହି ସମ୍ମିଳନୀରେ ବିଶଦ ଭାବେ ଆଲୋଚନା ହେବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.