ପାରଳାଖେମୁଣ୍ଡି (କେନ୍ୟୁଜ୍) : ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ସାନ୍ତାବୋମାଲି ମଣ୍ଡଳମର ଏମ୍. ସୁନାପଲ୍ଲୀ ଗାଁ । ବାତ୍ୟା ‘ଅସାନି’ ର ଭୟ ଭିତରେ ଏଇ ଗାଁ ପାଖ ସମୁଦ୍ରକୂଳରେ ଏକ ସୁନା ଭଳି ଦେଖା ଯାଉଥିବା ରଥ ଲାଗିଛି। ଏହି ରଥରେ ୧୬.୧.୨୦୨୨ ତାରିଖକୁ ଛାଡିଲେ ଆଉ ଯେଉଁ ଭାଷା ଲେଖା ଯାଇଛି ତାକୁ କେହି ପଢ଼ି ପାରୁ ନାହାନ୍ତି । କିନ୍ତୁ ଏ ରଥ ରାସ୍ତାରେ ଚାଲିବା ପାଇଁ ନୁହେଁ ସମୁଦ୍ରରେ ଭାସିବା କୌଶଳରେ ତିଆରି ହୋଇଛି । ଏମିତିକି ଡଙ୍ଗା ପରି ତାର ସ୍ଥାୟୀତ୍ୱ ପ୍ରତି ଧ୍ୟାନ ଦିଆଯାଇଥିଲା। ଏଥିରେ ବୌଦ୍ଧ ଧର୍ମ କଳା ସ୍ଥାପତ୍ୟ ରହିଥିବା ଅନୁମାନ କରାଯାଉଛି। ତେବେ ରଥଟି ରହସ୍ୟ ହୋଇ ରହିଥିବାରୁ ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ସମୁଦ୍ର କୂଳରେ ପହଞ୍ଚୁଛନ୍ତି।
ଦଶ ଫୁଟ ଉଚ୍ଚର ଏହି ରଥ ସମୁଦ୍ରରେ କେମିତି ଓ କେଉଁଠାରୁ ଆସିଲା ତାହା ଜଣାପଡ଼ି ନାହିଁ । ଏହାକୁ ନେଇ ମେରାଇନ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଭାବେ ଯାହା କୁହାଯାଉଛି କି ଏହି ରଥଟି ମିୟାମାରରୁ ଆସିଥାଇ ପାରେ । ରଥଟି ଏକ ପୂଜା ମଣ୍ଡପ ବୋଲି ମେରାଇନ ପୋଲିସ ସୂତ୍ରରୁ ଜଣାପଡିଛି । ଏହାର ଚଟାଣ ବର୍ମା କାଠରେ ନିର୍ମାଣ ହୋଇଥିବା ବେଳେ ଭାସିବା ପାଇଁ ୧୨ଟି ଲୁହା ଡ୍ରମ ଖଞ୍ଜା ଯାଇଛି । ଏହାର ଚୂଳ ପିତଳରେ ନିର୍ମାଣ ହୋଇଛି। କିଛି କିଛି ଅଂଶ ଲୁହାରେ ନିର୍ମାଣ କରାଯାଇ ଗୋଲ୍ଡ କୋଟିଙ୍ଗ କରାଯାଇଛି।
ସେପଟେ ଏହି ରଥ ପହଞ୍ଚିବା ପରଠାରୁ ଏମ୍. ସୁନାପଲ୍ଲୀ ସମୁଦ୍ର କୂଳ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ଦୈନିକ ହଜାର ହଜାର ଲୋକ ଆନ୍ଧ୍ର ଓ ଓଡିଶା ସମେତ ଅନ୍ୟ ରାଜ୍ୟରୁ ମଧ୍ୟ ଆସୁଛନ୍ତି । ଏମିତିକି ଏହି ଭାସମାନ ରଥକୁ ରଖି ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ସ୍ଥାନୀୟ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧି ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।