କେନ୍ଦୁଝର (କେନ୍ୟୁଜ): ଭୁଲ୍ ଗ୍ରୁପର ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ରୋଗୀଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିବାପରେ ସ୍ୱାସ୍ଥ୍ୟସେବାର ଗୁରୁତର ତ୍ରୁଟି ପଦାରେ ପଡ଼ିଛି । କେନ୍ଦୁଝର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବାବେଳେ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ଭୁଲ ରକ୍ତ ସଂଯୋଗ ଯୋଗୁଁ ଅକାଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ସଦର ବ୍ଲକ କଣ୍ଡରାପଶି ଗ୍ରାମର ଦାମ ମୁଣ୍ଡା ଓ ସଦର ବ୍ଲକ ରାଇସୁଆଁ ସାହିର ରୟା ସାହୁଙ୍କ ଝିଅ ସୁନି ସାହୁ ’ ।
ଅଭିଯୋଗ ମୁତାବକ, ଦାମ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଗତ ମାର୍ଚ୍ଚ ୨୯ତାରିଖରେ ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ଭେଷଜ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ରକ୍ତ ଅଭାବ ହେବାରୁ ରକ୍ତ ବର୍ଗୀକରଣ କରାଯାଇ ଏ’ ପଜିଟିଭ ରକ୍ତ ଆଣିବାକୁ ଟିକେଟରେ ଉଲ୍ଲେଖ କରାଯାଇଥିଲା । ତେବେ ଜିଲା ରକ୍ତ ଭଣ୍ଡାରରୁ ତାଙ୍କୁ ଏ’ ପଜିଟିଭ ବଦଳରେ ବି’ ପଜିଟିଭ ରକ୍ତ ପ୍ରଦାନ କରାଯାଇଥିଲା। ଭୁଲ ରକ୍ତ ଦିଆଯାଉଥିବା ଅଭିଯୋଗ ପରେ ଏହାକୁ ଖୋଲି ରକ୍ତ ଭଣ୍ଡାରକୁ ଆଣାଯାଇଥିଲା। ପୁଣିଥରେ ଏ’ ପଜିଟିଭ ରକ୍ତ ତାହା ପରଦିନ ଦିଆଯାଥିଲା। ଏହାକୁ ନେବାପରେ ମେ’ ୧୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଦାମଙ୍କ ପୁଅ ଅଜିତ ଏନେଇ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ସୁନିଙ୍କୁ ୨ ୟୁନିଟ୍ ‘ ବି ପଜିଟିଭ ରକ୍ତ ଦିଆଯାଇଥିଲା । ଏହା ସତ୍ତ୍ୱେ ସେ ଅଧିକରୁ ଅଧିକ ଅସୁସ୍ଥ ହୋଇପଡିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ମଧ୍ୟ ଡାକ୍ତର ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ । ଫଳରେ ତାଙ୍କ ରକ୍ତ ନମୁନା କଟକ ରକ୍ତଭଣ୍ଡାରକୁ ନିଆଯାଇଥିଲା ପରେ ଜଣାପଡ଼ିଲା ଯେ ତାଙ୍କର ବ୍ଲଡ ଗ୍ରୁପ ‘ ଏବି ପଜିଟିଭ୍ ’ । ସେଠାରେ ୨ ୟୁନିଟ ‘ ଏବି ପଜିଟିଭ୍ ରକ୍ତ ଦିଆଯାଇଥିଲା । ରକ୍ତ ଦେବାପରେ ସେ ଟିକିଏ ସୁସ୍ଥ ହୋଇଥିଲେ । ହେଲେ ଭୁଲ ରକ୍ତପାଇଁ ତାଙ୍କ ଭାଇଙ୍କୁ କଟକ ଡାକ୍ତରଖାନା ଅଧିକାରୀ ବହୁତ ଗାଳୀ ଦେଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ୨୯ ତାରିଖ ମଧ୍ୟାହ୍ନ ୧୨ଟା ପାଖାପାଖି ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୁନିଙ୍କୁ ଭୁଲ୍ ରକ୍ତ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ବଡ଼ଭାଇ କେନ୍ଦୁଝର ଡାକ୍ତରଖାନାରେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରି ଜିଲା ସ୍ାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି । ଏହାର ବିଧି ବଧ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ବୁଦ୍ଧିଜୀବି ଦାବି କରିଥିବା ବେଳେ ଜିଲ୍ଲା ସ୍ଥାାସ୍ଥ୍ୟ ଅଧିକାରୀ ଏହାର ତଦନ୍ତ କରାଯାଉଥିବା କହିଛନ୍ତି ।