ବାଇଡେନ୍ଙ୍କୁ ଭେଟିଲେ ନାଟୋ ମୁଖ୍ୟ ଜେନ୍ ଷ୍ଟୋଲଟେନ୍ବଗ, ୟୁକ୍ରେନ୍ ଯୁଦ୍ଧ ସ୍ଥିତି ନେଇ କଲେ ଆଲୋଚନା
ଲମ୍ବୁଛି ରୁଷ୍-ୟୁକ୍ରେନ୍ ଲଢ଼େଇ। ମଜବୁତ ହେଉଛି ନାଟୋ। ହ୍ଵାଇଟ୍ ହାଉସ୍ରେ ବାଇଡେନ୍ଙ୍କୁ ଭେଟିଲେ ନାଟୋ ମୁଖ୍ୟ ଜେନ୍ ଷ୍ଟୋଲଟେନ୍ବର୍ଗ। ୟୁକ୍ରେନ୍ ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି ଦୁଇ ନେତା। ୟୁକ୍ରେନ୍କୁ ସମର୍ଥନ ଏବଂ ନାଟୋର ନେତୃତ୍ୱ ପାଇଁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି ଷ୍ଟୋଲଟେନ୍ବର୍ଗ। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣର କିଭଳି ଜବାବ ଦିଆଯାଉଛି ସେ ନେଇ ଆଲୋଚନା ହୋଇଛି। ଏ ଅବସରରେ ନାଟୋକୁ କିଭଳି ଆହୁରି ମଜଭୁତ କରିହେବ ସେ ସମ୍ପର୍କରେ ବାଇଡେନ୍ ଓ ଷ୍ଟୋଲଟେନ୍ବର୍ଗ ବିସ୍ତୃତ ଭାବେ କଥା ହୋଇଥିଲେ। ଦୁଇ ନେତାଙ୍କ ଆଲୋଚନା ବେଳେ ଉପରାଷ୍ଟ୍ରପତି କମଲା ହାରିସ ଓ ଆମେରିକାର ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲିଭାନ୍ ମଧ୍ୟ ଉପସ୍ଥିତ ଥିଲେ।
ନାଟୋ ମହାସଚିବ ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ଙ୍କୁ ମଧ୍ୟ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ୟୁକ୍ରେନ୍କୁ ସମର୍ଥନ ପ୍ରସଙ୍ଗ ଥିଲା ମୁଖ୍ୟ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ସମୟରେ ସୁରକ୍ଷା ପରିବେଶ କିଭଳି ଅଧିକ ବିପଦପୂର୍ଣ୍ଣ ହୋଇଛି ସେ ନେଇ ଅଷ୍ଟିନ୍ ଓ ଷ୍ଟୋଲଟେନବର୍ଗ କଥା ହୋଇଥିଲେ। ପୂରା ନାଟୋ ଇଲାକାକୁ କିଭଳି ସୁରକ୍ଷା ଦିଆଯାଇ ପାରିବ ତା’ ଉପରେ ଫୋକସ୍ ରହିଥିଲା।
Biden, NATO chief meet ahead of key alliance summit https://t.co/nErqnxjxyc pic.twitter.com/zZfMQMuT6k
— ANADOLU AGENCY (@anadoluagency) June 2, 2022
ପ୍ରକାଶ ଯେ ଗତ ୧ ତାରିଖରେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ଙ୍କୁ ନାଟୋ ମହାସଚିବ ଭେଟିଥିଲେ। ଏ ଅବସରରେ ୟୁକ୍ରେନ୍ ଯୁଦ୍ଧ ସ୍ଥିତି ଏବଂ ନାଟୋର ମୁକ୍ତ ଦ୍ୱାର ନୀତି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ସ୍ୱିଡେନ୍ ଓ ଫିନ୍ଲାଣ୍ଡର ସଦସ୍ୟତା ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ହୋଇଥିଲା।
ସୂଚନାଯୋଗ୍ୟ ଯେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଆଜି ୧୦୦ ଦିନ ହୋଇଛି। କିନ୍ତୁ ଏବେ ଯାଏଁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ରୁଷ୍ ମାତ୍ର କିଛି ଦିନରେ ହିଁ ଯୁଦ୍ଧ ସାରି ଦେବ ବୋଲି ଭାବିଥିଲା। କିନ୍ତୁ ୟୁକ୍ରେନ୍ ତାଙ୍କୁ କଡ଼ା ଟକ୍କର ଦେଇଛି। ଏହି ଯୁଦ୍ଧ କାରଣରୁ ପୂରା ଦୁନିଆ ପ୍ରଭାବିତ ହୋଇଛି। ସାରା ବିଶ୍ୱରେ ଗହମ ଓ ତୈଳର ମୂଲ୍ୟ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। କିନ୍ତୁ ଏବେ ୧୦୦ ଦିନ ପରେ ବି ଯୁଦ୍ଧର କୌଣସି ନିଷ୍କର୍ଷ ବାହାରି ପାରିନାହିଁ।
ବିଶେଷଜ୍ଞଙ୍କ ମତ ଅନୁସାରେ, ଯୁଦ୍ଧକୁ ପୁଟିନ୍ ଆରମ୍ଭ କରିଛନ୍ତି ଓ ସେ ହିଁ ଶେଷ କରିବେ। ପୁଟିନ୍ ଏକ ତରଫା ଯୁଦ୍ଧ ବିରାମ ଘୋଷଣା କରି ପୂରା ଦୁନିଆକୁ ଚମକାଇ ଦେଇ ଯୁଦ୍ଧ ବନ୍ଦ କରିପାରନ୍ତି। କବ୍ଜା କରିଥିବା ଅଞ୍ଚଳକୁ ୟୁକ୍ରେନ୍ ଠାରୁ ଛଡ଼ାଇ ନେଇ ମଧ୍ୟ ସେ ନିଜ ବିଜୟ ଘୋଷଣା କରିପାରନ୍ତି।
Also Read: ଯୁଦ୍ଧକୁ ୧୦୦ ଦିନ: ସଂହାରଲୀଳା ମଧ୍ୟରେ ୟୁକ୍ରେନ୍ରେ ଜନ୍ମ ନେଇଛନ୍ତି ୪୮,୦୦୦ରୁ ଅଧିକ ଶିଶୁ