ଯୁଦ୍ଧ ଭିତରେ ଚର୍ଚ୍ଚା: ରୁଷ୍‌ ସୈନ୍ୟଙ୍କ ପାଇଁ କାଳ ସାଜି ଆସିଲା ୟୁକ୍ରେନର ଛେଳି; ୪୦ରୁ ଅଧିକ ସୈନ୍ୟଙ୍କୁ ଦେଲା ଉଡ଼ାଇ!

ରୁଷ୍‌ ଓ ୟୁକ୍ରେନ ଯୁଦ୍ଧକୁ ୫ ମାସ ହୋଇଗଲାଣି। ତଥାପି ରୁଷ୍‌, ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ସେପଟେ ୟୁକ୍ରେନ ବି ଏହି ଆକ୍ରମଣର ଜବାବ୍‌ ଦେଇ ଚାଲିଛି। ଏହାରି ଭିତରେ ୟୁକ୍ରେନର ଏକ ଛେଳି ଏବେ ଚର୍ଚ୍ଚାକୁ ଆସିଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କାରଣ, ଏହି ଛେଳି ଯୋଗୁ ରୁଷ୍‌ର ପାଖାପାଖି ୪୦ ସୈନ୍ୟଙ୍କୁ ଗୁରୁତର ଆଘାତ ଲାଗିଛି।

ରିପୋର୍ଟ ମୁତାବକ, ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଜିୟା ଓବ୍‌ଲାଷ୍ଟର କିନ୍‌ସ୍କି ରୋଜ୍‌ଡୋରୀ ଗାଁରେ ରୁଷ୍‌ ସୈନ୍ୟ ଏକ ଗ୍ରେନେଡ୍‌ର ଟ୍ରାପ୍‌ ବିଛାଉଥିଲେ। ସେଠାରେ ଥିବା ଏକ ହସ୍ପିଟାଲର ଚତୁଃପାର୍ଶ୍ୱରେ ଏହି ତାର ବିଛା ଯାଉଥିଲା। କିନ୍ତୁ ଏହି ସମୟରେ ଏକ ଛେଳି ସେଠାରେ ପହଞ୍ଚି ଯାଇଥିଲା। ଛେଳିର ଶରୀର ତାରରେ ବାଜି ଯିବାରୁ ଗ୍ରେନେଡ୍‌ଟି ଫାଟି ଯାଇଥିଲା ଏବଂ ଏହି ବିସ୍ଫୋରଣରେ ଅତି କମ୍‌ରେ ୪୦ ଜଣ ସୈନ୍ୟ ଆହତ ହୋଇଥିଲେ।

ୟୁକ୍ରେନର ମୁଖ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟର ସୂଚନା ମୁତାବକ, ଛେଳିର ଗତିବିଧିରୁ ଅନେକ ଗ୍ରେନେଡ୍‌ ଫାଟି ନଷ୍ଟ ହୋଇଯାଇଛି। ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁ ପୁଟିନ ସୈନ୍ୟଙ୍କୁ ଗମ୍ଭୀର ଆଘାତ ଲାଗିଛି। ଯଦିଓ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଛେଳିଟି ଜୀବିତ ଅଛି କି ନାହିଁ।

ସେପଟେ ସୋସିଆଲ ମିଡିଆରେ ଏହି ଛେଳିକୁ ‘ଗୋଟ୍‌ ଅଫ୍‌ କିଭ୍‌’ କୁହାଯାଉଛି। ଏହା ୟୁକ୍ରେନର ଗୁଇନ୍ଦା ପାଇଲଟ୍‌ ‘ଘୋଷ୍ଟ୍‍ ଅଫ୍‌ କିଭ୍‌’ର କାର୍ଯ୍ୟକୁ ମନେ ପକାଇ ଦେଉଛି, ଯିଏ ଯୁଦ୍ଧ ସମୟରେ ଅନେକ ରୁଷୀୟ ବିମାନକୁ ଆକାଶରୁ ଖସାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.