ଭୁବନେଶ୍ୱର (କେନ୍ୟୁଜ୍) : ‘ମା, ମୁଁ ଆଉ ପାରୁନି । ଦୁଇଦିନ ହେଲା ବହୁତ କଷ୍ଟ ପାଉଛି । ସେ ମୋତେ ବହୁତ ମାଡ଼ ମାରିଛି । ଦୁଇଦିନ ହେଲା କିଛି ବି ଖାଇନି । ମୋର ବଞ୍ଚିବାକୁ ଇଚ୍ଛା ଅଛି ହେଲେ ଆଉ ପାରୁନି ମା । ମୁଁ ଯାଉଛି ମା, ହେଲେ ମୁଁ ତୋ ପାଖରେ ସବୁବେଳେ ଥିବି । ମୋତେ ସବୁଦିନେ ଖାଇବାକୁ ଦବୁ । ବାପାଙ୍କୁ କହିବୁ ମନ ଦୁଖ କରିବେନି । ବାପାଙ୍କର ଇଚ୍ଛା ଥିଲା ମୁଁ ଭଲ ଚାକିରି କରିବି । ତାଙ୍କ ସ୍ୱପ୍ନ ସାକାର କରିବି । ହେଲେ ପାରିଲିନି ମା । ସବୁ କଥା ମୋ ମୋବାଇଲରେ ଅଛି ।’ ଇଏ ହେଉଛି ଏମ୍ସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ସୁଇସାଇଡ୍ ନୋଟ୍ର କିଛି ଅଂଶ ।
୯ ବର୍ଷର ସମ୍ପର୍କ ୯ ସେକେଣ୍ଡରେ ଶେଷ । ଆଉ ଏମିତି ଜୀବନ ହାରି ଦେଲେ ଆଶ୍ରିତା । ତାଙ୍କ ଆତ୍ମହତ୍ୟା ପରେ ପ୍ରେମିକ ସତ୍ୟପ୍ରକାଶ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୋଗ ଅନୁଯାୟୀ, ଆଉ ଜଣେ ଯୁବକଙ୍କୁ ଆଶ୍ରିତା ଭଲ ପାଉଥିବା ସନ୍ଦେହ କରି ସତ୍ୟ ପ୍ରକାଶ ତାଙ୍କୁ ମାଡ଼ ମାରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ତୃତୀୟ ଯୁବକ ଜଣକ କିଏ ? କେତେ ଦିନ ହେବ ଆଶ୍ରିତାଙ୍କର ସେ ଯୁବକଙ୍କ ସହ ସମ୍ପର୍କ ଥିଲା? ଏବିଷୟରେ ଆଶ୍ରିତାଙ୍କ ପରିବାର ଲୋକେ ଜାଣିଥିଲେ କି ନାହିଁ ? ତୃତୀୟ ଯୁବକ ଜଣଙ୍କର ପୋଲିସ ବୟାନ ରେକର୍ଡ କଲେ ସବୁ ସତ ସାମ୍ନାକୁ ଆସିବ । ଆଶ୍ରିତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।