ନୂଆଦିଲ୍ଲୀ : ରାଜସ୍ଥାନରେ ଦଳିତ ଶିଶୁଙ୍କ ହତ୍ୟା ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଜାତିଗତ ଭେଦଭାବ ଓ ଛୁଆଅଛୁଆକୁ ନେଇ ଘଟିଥିବା ଅଭାବନୀୟ ଘଟଣାର ନୂଆ ମୋଡ ନେଇଛି । ୯ ବର୍ଷର ଦଳିତ ଛାତ୍ରକୁ ସ୍କୁଲ ଶିକ୍ଷକ ନିସ୍ତୁକ ମାଡ଼ ମାରିଥିବା ଘଟଣା ନେଇ ଅନ୍ୟଶିକ୍ଷକ ଓ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ସ୍କୁଲରେ ମାଠିଆ ନ ଥିଲା ।
ଅନ୍ୟପଟେ ଏହି ଘଟଣାକୁ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ଏନସିପିସିଆର (ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ କମିସନ୍) ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମୃତ ୩ୟ ଛାତ୍ର ଇନ୍ଦ୍ର କୁମାର ସହିତ ପଢ଼ୁଥିବା ରାଜେଶ କହିଛି ଯେ, ମୋ ସହିତ ଇନ୍ଦ୍ର କୁମାର ମେଘୱାଲର ଲଢ଼େଇ ହୋଇଥିଲା । ଛୈଳ ସାର ଏଥି ପାଇଁ ଉଭୟ ଇନ୍ଦ୍ର ଓ ମୋତେ ମାଡ଼ ମାରିଥିଲେ । ସେହିଦିନ ଠାରୁ ଇନ୍ଦ୍ର ଆଉ ସ୍କୁଲକୁ ଆସି ନଥିଲା । ମାଠିଆ ନେଇ ଗଣମାଧ୍ୟମକୁ ରାଜେଶ କହିଛି ଯେ, ସ୍କୁଲରେ ଆମେ ପାଇପରୁ ପାଣି ପିଇଥାଉ । ସ୍କୁଲ କର୍ମଚାରୀଙ୍କ କହିବା ଅନୁସାରେ ବିଦ୍ୟାଳୟରେ କୌଣସି ଭେଦଭାବ ନାହିଁ । ପୂରା କର୍ମଚାରୀ ଓ ପିଲାମାନେ ଟାଙ୍କିରୁ ପାଣି ପିଇଥାଉ । ମାଠଆ ନାହିଁ ।
ଅନ୍ୟପଟରେ ଏପର୍ଯ୍ୟନ୍ତ ଏହି ମାମଲାକୁ ଜାତଗତ ରଂଗ ଦିଆଯାଉଥିଲା । ପୂର୍ବରୁ ଅଭିଯୋଗ ହୋଇଥିଲା ଯେ, ମୃତ ଶିଶୁର ପରିବାର ଲୋକଙ୍କ କହିବା ଅନୁସାରେ ସ୍କୁଲର ଶିକ୍ଷକ ଛୈଳ ସିଂହ ଦଳିତ ଶିଶୁକୁ ମାଠିଆ ଛୁଇଁବାରୁ ମାଡ଼ ମାରିଥିଲେ । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ପାଣିପାତ୍ରରୁ ପାଣିଇବାକୁ ନେଇ ଶିକ୍ଷକ ଜଣକ ଛାତ୍ରକୁ ନିସ୍ତୁକ ମାଡ଼ମାରିଥିଲେ ।
ସୂଚନାଯୋଗ୍ୟ, ଜାଲୋର ଜିଲ୍ଲଶ ସାୟଲା ଉପଖଣ୍ଡର ସୁରାଣା ଗାଁରେ ୯ ବର୍ଷୀୟ ଛାତ୍ର ସ୍କୁଲର ମାଠିଆରୁ ପାଣି ପିଇଥିଲା ନେଇ ଅଭିଯୋଗ ହୋଇଥିଲା । ସେ ଉଚ୍ଚ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପାତ୍ରରେ ପାଣି ପିଇଦେବାରୁ ଏଥିରେ ଶିକ୍ଷକ ଜଣକ ଉତ୍କ୍ଷୀପ୍ତ ହୋଇ ତାଙ୍କୁ ନିସ୍ତୁତ ମାଡ଼ ମାରିଥିଲେ। ସେ ଏମିତି ନିର୍ଧୁମ ମାଡ଼ ମାରିଥିଲେ ଯେ, ଛାତ୍ରର କାନନାଡି ଫାଟି ଯାଇଥିଲା । ଏହା ପରେ ଛାତ୍ରକୁ ଉଦୟପୁରସ୍ଥିତ ଡାକ୍ତରଖାନା ନିଆଯାଇଥିଲା । ପରେ ଅହମଦାବାଦ ପଠାଯାଇଥିଲା । କିନ୍ତୁ ଅହମଦାବାଦରେ ଶନିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ଘଟିଥିଲା । ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ରାଜ୍ୟ ଶିକ୍ଷା ବିଭାଗ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପାଇଁ ଗେହଲଟଙ୍କ ବିରୋଧରେ ବିରୋଧ ବଢ଼ିଛି। ଇତି ମଧ୍ୟରେ ଜଣେ କଂଗ୍ରେସ ବିଧାୟକ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି, ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଖୁବ୍ଶୀଘ୍ର ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।