ସାଲେପୁର(କେନ୍ୟୁଜ୍): ସେ ବିଧିବଦ୍ଧ ଭାବରେ ସଙ୍ଗୀତରେ ଶିକ୍ଷା ନେଇନାହାନ୍ତି। ହେଲେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ତାଙ୍କୁ ଜଣେ ଭଜନ ଗାୟକ ଭାବରେ ପରିଚୟ ଦେଇପାରିଛି। ସବୁଠାରୁ ବଡ କଥା ସେ ପୁଣି ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ । ତଥାପି ଜଗନ୍ନାଥଙ୍କ ଭଜନ ଗାଇବାରେ ତାଙ୍କୁ ଯେଉଁ ଆନନ୍ଦ ମିଳେ ଆଉ କେଉଁ ଗୀତ ଗାଇବାରେ ମିଳେନି। ଜଗନ୍ନାଥଙ୍କ ଭଜନ ଗାଇଦେଲେ ସତେ ଯେମିତି ତାଙ୍କର ଆତ୍ମକୁ ତୃପ୍ତି ମିଳିଯାଏ। ଜଗନ୍ନାଥଙ୍କ ଭଜନ ଶୁଣିଶୁଣି ହିଁ ଏବେ ସେ ଶହ ଶହ ଷ୍ଟେଜରେ ଗାଉଛନ୍ତି । ଖାଲି ସେତିକି ନୁହେଁ ଅନେକ ଭଜନ ଆଲବମରେ ମଧ୍ୟ ନିଜ କଣ୍ଠରେ ସେ ଭଜନ ଗାଇ ପ୍ରଶଂସିତ ହୋଇଛନ୍ତି ।
କଟକ ଜିଲ୍ଲା ସାଲେପୁର ବ୍ଲକ ସାଇଁପଡା ଗାଁର ଇଏ ହେଉଛନ୍ତି ମେହେରବାର ଖାନ୍। ଚାଷବାସ ଆଉ କାମଦାମ କରି ପରିବାର ପ୍ରତିପୋଷଣ କରନ୍ତି ସେ। ତା ଛଡା ଜେବେବି ସମୟ ପାଆନ୍ତି ନିଜେ ନିଜେ ହିଁ ଜଗନ୍ନାଥଙ୍କ ଭଜନ ଶୁଣନ୍ତି ଆଉ ଗାଇଥାନ୍ତି। ଦିନରାତି ସବୁବେଳେ ଜଗନ୍ନାଥଙ୍କ ଭଜନ ଗୁଣୁଗୁଣୁ ହୁଅନ୍ତି। ହୁଏତ ଭଗବାନଙ୍କ ନାମ ଅଲଗା ଅଲଗା ହୋଇପାରେ ହେଲେ ଭଗବାନଙ୍କ ପାଖରେ ପହଞ୍ଚିବାକୁ ହେଲେ ଭକ୍ତିର ବାଟ ଗୋଟିଏ ବୋଲି ସେ କୁହନ୍ତି। ତେଣିକି ସେ ଈଶ୍ୱର ଆଲ୍ଲାହ ହୁଅନ୍ତି କି ପ୍ରଭୁ ଜଗନ୍ନାଥ।
ମେହେରବାନଙ୍କୁ ଆଖପାଖର ବିଭିନ୍ନ ଭଜନ କାର୍ଯ୍ଯକ୍ରମରେ ବହୁ ଅନୁଷ୍ଠାନ ଖୋଜନ୍ତି। ସବୁଥିରେ ତାଙ୍କର ସ୍ବତନ୍ତ୍ର ଛାପ ଦର୍ଶକମାନଙ୍କ ମନମୋହେ। ଜଣେ ମୁସଲମାନ ହୋଇ ମଧ୍ୟ ଜଗନ୍ନାଥଙ୍କ ପ୍ରତି ତାଙ୍କ ଭକ୍ତି ପାଇଁ କେବେବି ସେ ସମସ୍ଯାରେ ପଡିନାହାନ୍ତି । ବରଂ ଭାଇଚାରା ବଢାଉଥିବା ତାଙ୍କର ଏହି ଭକ୍ତିଭରା ନୈବେଦ୍ୟ ସ୍ବରୂପ ଭଜନର ପ୍ରତିଟି ପଂକ୍ତିରେ ହୃଦୟକୁ ହୃଦୟ ଯୋଡ଼େ । ଉଭୟ ମୁସଲମାନ ଓ ହିନ୍ଦୁ ଭାଇମାନେ ତାଙ୍କ ଭଜନ ଶୁଣିବାକୁ ବେଶ୍ ଭଲପାଆନ୍ତି।
ରାମ ରହିମ ସମସ୍ତେ ଏକ । ଯଦି ଈଶ୍ୱର ଏକ ତେବେ ମନୁଷ୍ୟ କାହିଁକି ଭିନ୍ନ? କାହିଁକି ଏ ଜାତି ଓ ସମ୍ପ୍ରଦାୟ ? ଏ ଉତ୍ତର କାହା ପାଖରେ ନାହିଁ ସତ, ହେଲେ ମେହେରବାନଙ୍କ ଜଗନ୍ନାଥ ଭକ୍ତି ଏ ସମାଜ ପାଇଁ ଉଦାହରଣ ନିଶ୍ଚିତ।