ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ! ଏମାନଙ୍କ ନାମ ରହିଛି ଆଗରେ

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ହୋଇଛି। ୯୯ ବର୍ଷ ବୟସରେ ନରସିଂହପୁରର ଝୋତେଶ୍ୱରସ୍ଥିତ ପରମହଂସୀ ଗଙ୍ଗା ଆଶ୍ରମରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତେବେ ତାଙ୍କ ଦେହାନ୍ତ ପରେ ଏବେ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ତେବେ ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ଆଜି ଘୋଷଣା ହୋଇପାରେ। ଉତ୍ତରାଧିକାରୀ ନାମ ଘୋଷଣା ପରେ ସନ୍ଥ ସମାଜ ଦ୍ୱାରକା ଏବଂ ଜ୍ୟୋତିଷ ପୀଠ ଉପରେ ନିଷ୍ପତ୍ତି ଛଡାଯିବ। ତେବେ ଉତ୍ତରାଧିକାରୀ ଭାବେ ଦୁଇ ଜଣ ଲୋକଙ୍କ ନାମ ଚର୍ଚ୍ଚାରେ ରହିଛି।

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଉତ୍ତରାଧିକାରୀ ଦ୍ୱାରକା ଏବଂ ଜ୍ୟୋତିଷପୀଠର ପରମହଂସୀ ଗଙ୍ଗା ଆଶ୍ରମର ଶଙ୍କରାଚାର୍ଯ୍ୟ ହେବେ। ତେବେ ଏଥିପାଇଁ ଦ୍ୱାରକା ଶାରଦା ପୀଠର ଦଣ୍ଡୀ ସ୍ୱାମୀ ସଦାନନ୍ଦ ସରସ୍ୱତୀଜି ମହାରାଜଙ୍କ ନାମ ଆଗରେ ରହିଛି। ସେହିପରି ଜ୍ୟୋତିଷପୀଠର ଶଙ୍କରାଚାର୍ଯ୍ୟ ରୂପେ ଦଣ୍ଡୀ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଜି ମହାରାଜାଙ୍କ ନାମ ଚର୍ଚ୍ଚାରେ ରହିଛି। ଦୁହେଁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ପ୍ରମୁଖ ଶିଷ୍ୟ ଭାବେ ରହିଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣକୁ ଉତ୍ତରାଧିକାରୀ ଭାବେ ଚୟନ କରାଯିବ।

କେବେ ହୋଇଥିଲେ ଶଙ୍କରାଚାର୍ଯ୍ୟ : 

ସ୍ୱାମୀ ସ୍ୱରୁପାନନ୍ଦ ୧୯୫୦ରେ ଦଣ୍ଡୀ ସନ୍ନ୍ୟାସୀ ହୋଇଥିଲେ। ଜ୍ୟୋର୍ତିମଠ ପୀଠର ବ୍ରହ୍ମଲୀନ ଶଙ୍କରାଚାର୍ଯ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଠାରୁ ଦଣ୍ଡ ସନ୍ନ୍ୟାସୀ ଦୀକ୍ଷା ନେବା ପରେ ସେ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ ଭାବେ ପରିଚିତ ହେଲେ। ୧୯୮୧ରେ ଶଙ୍କରାଚାର୍ଯ୍ୟଙ୍କ ଉପାଧି ତାଙ୍କୁ ମିଳିଥିଲା। ସେ ଦ୍ୱାରକା ପୀଠ ସହିତ ଉତ୍ତରାଖଣ୍ଡର ଜୋସୀମଠର ଜ୍ୟୋତିଷପୀଠର ମଧ୍ୟ ଶଙ୍କରାଚାର୍ଯ୍ୟ ରହିଥିଲେ। ଜ୍ୟୋତିଷପୀଠ ଶଙ୍କରାଚାର୍ଯ୍ୟର ପଦବୀ ପାଇଁ ଆଇନଗତ ଲଢେଇ ଲଢିଥିଲେ। ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଉତ୍ତରାଧିକାରୀଙ୍କ ନାମକୁ ନେଇ ଅନେକ ଚର୍ଚ୍ଚା ଚାଲିଛି।

jagatguru
photo: India TV News

ନରସିଂହପୁର ସ୍ଥିତ ପରମହଂସ ଗଙ୍ଗା ଆଶ୍ରମ ମୁତାବକ, ଆଜି ଗୋଟେଗାଁ ସ୍ଥିତ ତାଙ୍କ ଉତ୍ପତ୍ତିସ୍ଥଳରେ ପରମହଂସୀ ଗଙ୍ଗା ଆଶ୍ରମରେ ସମାଧି ଦିଆଯିବ। ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବେ ସେ ତାଙ୍କର ୯୯ତମ ଜନ୍ମଦିନ ପାଳନ କରିଥିଲେ। ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ଜେଲ ମଧ୍ୟ ଯାଇଥିଲେ। ସେ ରାମ ମନ୍ଦିର ନିର୍ମାଣ ପାଇଁ ବି ଏକ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ।

ସ୍ୱାମୀ ସ୍ୱରୂପାନନ୍ଦଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକପ୍ରକାଶ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଥିଲେ। ଶଙ୍କରାଚାର୍ଯ୍ୟଙ୍କ ମୃତ୍ୟୁ ଧର୍ମ ଏବଂ ଆଧ୍ୟାତ୍ମିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମଧ୍ୟ ଶୋକପ୍ରକାଶ କରିଥିଲେ।

Also Read : ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର