କଅଁଳ କାନ୍ଧରେ ପରିବାର ବୋଝ, ଖେଳିବା ବୁଲିବା ବୟସରେ ପୋଷୁଛି ଦୁଇ ଦୁଇଟା ପେଟ

ବଲାଙ୍ଗିର(କେନ୍ୟୁଜ୍‌):ବାପା ନାହାନ୍ତି । ମାଆ ରୋଗୀଣା । ସାନ ଭାଇ ସାତ ସାନ । ତେଣୁ ୧୨ ବର୍ଷର ପୁଅ ଦାୟିତ୍ୱ ନେଉଛି ପରିବାରର । ଭୋର ୫ ଟା ରୁ ଆଠ ଟା, ହକ୍କର କାମ କରୁଛି । ସକାଳ ୧୦ଟା ରୁ ୪ଟା ସ୍କୁଲ୍ ଯାଉଛି, ଆଉ ସନ୍ଧ୍ୟା ୫ଟା ରୁ ୮ଟା ସାଇକେଲ ଦୋକାନରେ କାମ କରୁଛି । ସେ ଯାହା ରୋଜଗାର କରୁଛି ସେଇଥିରେ ମାଆ ଏବଂ ସାନ ଭାଇର ପେଟ ପୁରୁଛି। ଖେଳିବା ବୁଲିବା ବୟସରେ ପିଲାଟିର ସଂଘର୍ଷ ଦେଖି ଆପଣଙ୍କ ହୃଦୟ ଟା ତରଳି ଯିବ।

ଛୋଟ ପିଲା ମାନେ ସାଇକଲ ଗଡ଼ାଇ, ଘରକୁ ଘର ବୁଲି ଖବର କାଗଜ ପକାଇବା ଦୃଶ୍ଯ ଆପଣ କେଉଁ ଚଳଚିତ୍ର କିମ୍ବା ନାଟକ ରେ ଦେଖିଥିବେ ନିଶ୍ଚୟ। ହେଲେ ବଲାଙ୍ଗିର ସହରର ରାସ୍ତାରେ ପ୍ରତିଦିନ ସକାଳୁ ତାଜା ଖବର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଘୁରିବୁଲେ ଏଇ ପିଲାଟି । ନାଁ ଚୁମନ୍ ରାଓ। ଚୁମନ ବୁଝି ସାରିଛି ତା ସାଇକେଲର ଚକ ଘୁରିଲେ ହିଁ ପରିବାର ଜୀବନ ବଞ୍ଚି ରହିବ। ରୋଗୀଣା ମା ପାଇଁ ଔଷଧ ଓ ସାନ ଭାଇ ପେଟରେ ଦାନା ପଡିବ । ତେଣୁ ସାଇକେଲରେ ପେପର୍ ସଜାଡି ନିଜ ସ୍ବପ୍ନ କୁ ବାନ୍ଧି ଚାଲିଛି ମାଆର ସୁନା ପୁଅ ଚୁମନ । ଚୁମନର ଦେହ ଖରାପ୍ ଥିଲେ ବି ସେ କାମରେ ଅବହେଳା କରେନି । ବରଂ ଭାବିନିଏ, ତାର କିଛି ହେଇନି । ଦେହରେ ଦେହରେ ମାରି ଦିଏ ସବୁକିଛି । ତା ବିଶାଳ ସ୍ବପ୍ନ ଆଗରେ ସତେକି, ତୁଚ୍ଛ ତାର ବର୍ତ୍ତମାନର ପରିସ୍ଥିତି । ଭଲ ପାଠ ପଢୁଛି ଚୁମନ । ମାଆକୁ ରୋଗ ଶଯ୍ୟାରେ ଦେଖି ନିଜେ ସ୍ବପ୍ନ ଦେଖୁଛି ଡାକ୍ତର ହେବାକୁ । ତେଣୁ ପରିଶ୍ରମ କରି ଚାଲିଛି ।

ସକାଳୁ ଖବର କାଗଜ ବାଣ୍ଟିବା ପରେ ଠିକ୍ ସମୟରେ ସ୍କୁଲରେ ପହଞ୍ଚି ଯାଏ ଚୁମନ। ସ୍କୁଲରୁ ପାଠ ପଢି ଫେରିବା ପରେ ପାଣି ଗ୍ଲାସେ ପିଇ ସନ୍ଧ୍ଯା ୫ଟାରେ ବାହାରିପଡେ ଏକ ସାଇକେଲ ଦୋକାନରେ କାମ କରିବା ପାଇଁ । ପହନ୍ତାରୁ ରାତି ଯାଏଁ, ନିଜ ପରିସ୍ଥିତି ସହ ଲଢ଼ୁଛି ଛୋଟ ପିଲାଟି । ପିଲାଟି ବିଷୟରେ ଜାଣିବା ପରେ ଆମ ବଲାଙ୍ଗୀର ପ୍ରତିନିଧି ଚିତ୍ତ ରଞ୍ଜନ ମିଶ୍ର ପହଞ୍ଚି ଥିଲେ ତା ଘରେ । ରୋଗୀଣା ମାଆ ଠୁ ବୁଝିଥିଲେ ଘରର ଅବସ୍ଥା ଆଉ କଥା ହୋଇଥିଲେ ଚୁମନ ସହ। ଦେଖୁଥିଲେ ତାର ଦିନ ଜାକର ପରିଶ୍ରମ।

ଚୁମନ ବିଷୟରେ ବଲାଙ୍ଗିର ପୌରାଧ୍ଯକ୍ଷା ଜାଣିବା ପରେ ପୌର ପରିଷଦ ର ଏକ ସ୍ୱତନ୍ତ୍ର ଟିମ ଯାଇ ଏହି ପରିବାରକୁ ଭେଟି ସାହଯ୍ୟର ହାତ ବଢାଇଛନ୍ତି। ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଅଧିକ ସାହଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଯଦି ପିଲାଟିକୁ ସରକାର ଟିକେ ଅନାଇ ଦିଅନ୍ତେ ପିଲାଟିର ଭାଗ୍ୟ ବଦଳି ଯାଆନ୍ତା । ଭାବନ୍ତୁ ଆଜି ଏଇ ଅଵସ୍ଥା ରେ ଥାଇ ଯିଏ ଡାକ୍ତର ହେବା କୁ ସ୍ବପ୍ନ ଦେଖୁଛି, ଆଉ ନିଜ ସ୍ବପ୍ନ ପୂରଣ କରିବା ପାଇଁ ପରିଶ୍ରମ ବି କରୁଛି, ତାକୁ ସହାୟତା ମିଳିଲେ ସେ କଣ କରିବ । ଘର ନାହିଁ, ଖାଈବାକୁ ନାହିଁ ବୋଲି ମାଆ କିଛି ଋଣ କରିଛନ୍ତି, ସେହି ଋଣକୁ ସୁଝିବାକୁ ୧୨ ବର୍ଷ ପୁଅ ଅଣ୍ଟା ଭିଡ଼ିଛି । ଯାହାକୁ ଦେଖି ଆଜି ସେଇ ଧର୍ମପଦ ମନେ ପଡୁଛି । ଜଣେ ବାପାଙ୍କ ପାଇଁ ଅଣ୍ଟା ଭିଡ଼ି ଥିଲା ଇଏ ମାଆ ପାଇଁ ଲଢ଼ୁଛି। ସବୁକୁଛି ଠିକ୍ କରିଦେବାକୁ ଚେଷ୍ଟା କରୁଛି । ଆପଣ ଚୁମନକୁ ଦେଖି କଣ କହିବାକୁ ଚାହୁଁଛନ୍ତି ଆମକୁ ଲେଖି ଜଣାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.