Below header

ଦିଲ୍ଲୀରେ ଶ୍ରଦ୍ଧା ଭଳି ଆଉ ଏକ ଜଘନ୍ୟ କାଣ୍ଡ! ହତ୍ୟା କରି ଫ୍ରିଜ୍‌ରେ ରଖିଥିଲେ ବଡି, ମାଆ-ପୁଅ ପ୍ରତିଦିନ ନେଇ ଫିଙ୍ଗୁଥିଲେ ଖଣ୍ଡେ ଖଣ୍ଡେ ମାଂସ

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ଏଠାରେ ସ୍ୱାମୀ ହତ୍ୟା ଅଭିଯୋଗରେ କ୍ରାଇମ୍‌ ବ୍ରାଞ୍ଚ ଜଣେ ମହିଳା ଏବଂ ତାଙ୍କ ପୁଅକୁ ଗିରଫ କରିଛି। ଘଟଣା ଦିଲ୍ଲୀର ପାଣ୍ଡବ ନଗରର ବୋଲି କୁହାଯାଉଛି। ମା’, ପୁଅ ମିଶି ମୃତକଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ତାହାକୁ ରେଫ୍ରିଜେରେଟରରେ ରଖିଥିଲେ ଏବଂ ପ୍ରତିଦିନ ଲୁଚି ଲୁଚି ଘର ପାଖ ପଡ଼ିଆରେ ଖଣ୍ଡେ ଖଣ୍ଡେ ମାଂସ ଫିଙ୍ଗିଦେଇ ଆସୁଥିଲେ। ଅବୈଧ ସମ୍ବନ୍ଧ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

ଦିଲ୍ଲୀ ପୋଲିସ କହିଛି ଯେ ଏହି ଜଘନ୍ୟ ହତ୍ୟାକାଣ୍ଡ ପୁନମ୍‌ ନାମ୍ନୀ ମହିଳା ଏବଂ ତାଙ୍କ ପୁଅ ଦୀପକ ମିଶି କରିଥିଲେ। ମହିଳା ପ୍ରଥମେ ନିଜ ସ୍ୱାମୀ ଅଞ୍ଜନ ଦାସଙ୍କୁ ନିଶା ଔଷଧ ଦେଇଥିଲେ ଏବଂ ପରେ ପୁଅ ସହ ମିଶି ତାଙ୍କୁ ହତ୍ୟା କରିଥିଲେ। ପୋଲିସ ମୁତାବକ, ଅବୈଧ ସମ୍ବନ୍ଧ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି।

ଦୁଇ ଅଭିଯୁକ୍ତ ମା’, ପୁଅ ହତ୍ୟା କରିବା ପରେ ଘରେ ହିଁ ଅଞ୍ଜନଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ଲୁଚାଇ ରଖିଥିଲେ। ସାମାନ୍ୟ ମଉକା ପାଇଲେ ମାଂସ ଖଣ୍ଡଗୁଡ଼ିକୁ ଅକ୍ଷରଧାମ ଏବଂ ପାଣ୍ଡବ ନଗର ଅଞ୍ଚଳରେ ଫିଙ୍ଗିଦେଇ ଆସୁଥିଲେ। ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ସାହାଯ୍ୟରେ ଏହି ଘଟଣାର ଖୁଲାସା କରିଛି। ଏଥିରେ ସମ୍ପୃକ୍ତ ମହିଳା ଏବଂ ତାଙ୍କ ପୁଅକୁ ଗିରଫ କରିବା ସହ ବ୍ୟବହୃତ ଫ୍ରିଜ୍‌କୁ ମଧ୍ୟ ପୋଲିସ ଜବତ କରିଛି।

ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା!

କହି ରଖୁଛୁ, ମୁମ୍ବାଇର ଶ୍ରଦ୍ଧା ଓ୍ଵାଲ୍‌କର ନିଜ ପ୍ରେମିକ ଆଫ୍‌ତାବଙ୍କ ସହ ଦିଲ୍ଲୀର ମହରୌଲିରେ ଏକ ଫ୍ଲାଟ୍‌ରେ ଲିଭ୍‌ ଇନରେ ରହୁଥିଲେ। ଅଭିଯୋଗ ଅନୁସାରେ, ଆଫ୍‌ତାବ ୧୮ ମେ’ରେ ଶ୍ରଦ୍ଧାଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଆଫ୍‌ତାବଙ୍କ ମୁତାବକ, ଶ୍ରଦ୍ଧା ଓ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା, ଯାହାପରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରିଥିଲେ ଏବଂ ମାଂସ ଖଣ୍ଡଗୁଡ଼ିକୁ ଫ୍ରିଜ୍‌ରେ ଷ୍ଟୋର କରି ରଖିଥିଲେ। ଆଫ୍‌ତାବ ମଉକା ଦେଖି ପ୍ରତିଦିନ ଘରୁ ବାହାରି ଯାଆନ୍ତି ଏବଂ ଆଖାପାଖର ଭିନ୍ନ ଭିନ୍ନ ସ୍ଥାନରେ ଖଣ୍ଡେ ଖଣ୍ଡେ ମାଂସ ଫିଙ୍ଗି ଦେଇ ଆସନ୍ତି। ପୋଲିସ ଏହି ମାମଲାର ଖୁଲାସା କରି ଆଫ୍‌ତାବଙ୍କୁ ୧୨ ନଭେମ୍ବରରେ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.