ସିଡ୍ନୀ(କେନ୍ୟୁଜ୍) : ରୋମାଞ୍ଚକର ସ୍ଥିତିରେ ସିଡ୍ନୀ ଟେଷ୍ଟ । ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ। ପରାଜୟରୁ ବଞ୍ଚିବା ପାଇଁ କଙ୍ଗାରୁ ଦଳର ଲଢେଇ ଜାରି ରହିଛି। ତେବେ ଗତକାଲି କଙ୍ଗାରୁ ଦଳକୁ ଫଲୋଅନ୍ ଦେବା ପରେ ବ୍ୟାଟିଂ ଆରମ୍ଭ କରିଥିଲା ଦଳ। କିନ୍ତୁ ବର୍ଷା ଯୋଗୁ ଚତୁର୍ଥ ଦିନରେ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପଞ୍ଚମ ଦିନରେ ବି ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି। ପ୍ରଥମ ଇନିଂସରେ ଭାରତ ବିଶାଳ ୬୨୨ ରନ୍ର ସ୍କୋର କରି ପାଳି ଘୋଷଣା କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଓପନର ମରକସ୍ ହାରିସ୍ ସର୍ବାଧିକ ୭୯ ରନ୍ କରି କରିଥିଲେ ।
ତେବେ ସିଡନୀ ଟେଷ୍ଟ ଜିତିଲେ ଇତିହାସ ରଚିବ ଭାରତ । ବିଜୟ ଲାଭ କରି ନପାରିଲେ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ହାତେଇବ ଭାରତ। ଶେଷ ଥର ଭାରତ ମାଟିରେ ଏହି ଟ୍ରଫି ହାସଲ କରିଥିଲା ଟିମ୍ ଇଣ୍ଡିଆ। ତେବେ ଏହା ସହ ଅନେକ ରେକର୍ଡର ଅଧିକାରୀ ହେବ। ୧୯୭୭-୭୮ ପରେ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆରେ କୌଣସି ଟେଷ୍ଟ ସିରିଜରେ ୨ଟି ବିଜୟ ଲାଭ କରିବାର ରେକର୍ଡ କରିବ। ଏହା ବିଦେଶ ମାଟିରେ ଗୋଟିଏ ବର୍ଷରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ସହ ସମାନ ସ୍ଥିତିରେ ରହିବ। ପୂର୍ବରୁ ୨୦୦୪ ଓ ୨୦୧୦ରେ ସର୍ବାଧିକ ୪ଟି ଟେଷ୍ଟ ଜିତିଛି ଭାରତ। ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ବିଦେଶରେ ୧୧ଟି ଟେଷ୍ଟ ମ୍ୟାଚ ଜିତି ସୌରଭ ଗାଙ୍ଗୁଲିଙ୍କ ସହ ରେକର୍ଡ ବରାବର କରିବେ।