ଭିନ୍ନ ପରମ୍ପରା : ବରଗଡ ପ୍ରଭୁ ନୃସିଂହନାଥ ମନ୍ଦିରରେ ବ୍ରହ୍ମଚାରୀ ପୂଜକ

() ଆମ ଦେଶର ମଠ ମନ୍ଦିରରେ ଏମିତି କିଛି ପରମ୍ପରା ରହିଛି ଯାହାକୁ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ଠିକ୍‌ ଯେମିତି ପଶ୍ଚିମ ଓଡିଶାର ପ୍ରସିଦ୍ଧ କ୍ଷେତ୍ର ନୃସିଂହନାଥ ପୀଠ । ମନ୍ଦିର କାରୁକାର୍ଯ୍ୟ, ଏଠାକାର ପ୍ରାକୃତିକ ପରିବେଶ, ଗନ୍ଧମାର୍ଦନ ପର୍ବତ ଓ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଆମେ ଏହି ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇ ଏହାର ଭିତରେ ହଜି ଯାଉ, ହେଲେ ଏହି ପୀଠରେ ରହିଥିବା ଅନେକ ନିଆରା ପରମ୍ପରା ସମ୍ପର୍କରେ ସମସ୍ତେ ଜାଣି ନାହାନ୍ତି । ଆଜି ସେହିଭଳି ଏକ ପରମ୍ପରା ବିଷୟରେ ଜାଣିବା ।
ପ୍ରଭୁ ନୃସିଂହନାଥ ମନ୍ଦିରରେ ପୂଜା କରିଥାନ୍ତି ବ୍ରହ୍ମଚାରୀ ପୂଜକ । ଆରଣ୍ୟକ ବ୍ରାହ୍ମଣ ବାଳକର ବ୍ରତ ବା ଉପନୟନ ପରେ ବାଇଶି ବର୍ଷ ବୟସ ପର୍ଯ୍ୟନ୍ତ ପୀଠରେ ପୂଜା କରିଥାଏ । ଏହିପୀଠରେ ରହିଛନ୍ତି ୫ଜଣ ବ୍ରହ୍ମଚାରୀ ପୂଜକ । ମନ୍ଦିର ପ୍ରଶାସନ ଏହି ବ୍ରହ୍ମଣ ବାଳକମାନଙ୍କୁ ମନ୍ଦିରକୁ ଆଣି ବ୍ରତ କରାଇବା ପରେ ପୂଜକ ଭାବରେ ନିଯୁକ୍ତି ଦେଇଥାନ୍ତି । ୨୨ ବର୍ଷ ବୟସ ହେବା ଯାଏ ଏମାନେ ମନ୍ଦିରରେ ପୂଜା ଭାବେ ରହିଥାନ୍ତି ।
baragadaଏହି ସମୟରେ ବ୍ରହ୍ମଚାରୀ ପୂଜାକମାନଙ୍କ ରହିବା ଖାଇବା ଏପରିକ ପାଠ ପଢିବା ଆଦି ସମସ୍ତ ଦାୟିତ୍ୱ ମନ୍ଦିର ପ୍ରଶାସନ ନେଇଥାଏ । ଏହି ପୂଜଜକମାନଙ୍କ ପାଠ ପଢିବା ପାଇଁ ରହିଛି ଶ୍ରୀ ଶ୍ରୀ ନୃସିଂହନାଥ ସଂସ୍କୃତ ବିଦ୍ୟାନିକେତନ । ସେମାନଙ୍କୁ ୨୨ବର୍ଷ ବୟସ ହୋଇଗଲେ ମନ୍ଦିର ପୀଠରେ ପୂଜା କରିବାକୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଏ ।
ବରଗଡ ଜିଲ୍ଲା ର ପାଇକମାଲରେ ରହିଛି ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ । ପୀଠର କାରୁକାର୍ଯ୍ୟରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଅଷ୍ଟମ ଶତାବ୍ଦୀରେ ଆରମ୍ଭ ହୋଇଥିବା ଅନୁମାନ କରାଯାଏ । ତେବେ ୧୪୧୩ରେ ପାଟଣା ମହାରାଜ ବୈଜଲ ଦେବ ମନ୍ଦିର କାମ ସଂପୂର୍ଣ୍ଣ କରିଥିଲେ । ପୁର୍ବରୁ ଆଦିବାସୀ କନ୍ଧ ସଂପ୍ରଦାୟର ପୂଜକ ଠାକୁରଙ୍କୁ ଜଙ୍ଗଲର ଫଳମୂଳ ଦେଇ ପୁଜା କରୁଥିଲେ । ଲୋକ କଥା ଅନୁସାରେ ଏହି ମନ୍ଦିର ପ୍ରତିଷ୍ଠା ସମୟରେ ମହାପ୍ରଭୁ ନୃସିଂହନାଥ ମହାରାଜାଙ୍କୁ ସ୍ୱପ୍ନାଦେଶ କରିଥିଲେ ମନ୍ଦିରରେ ଅନ୍ନଭୋଗ ଲାଗି କରିବା ପାଇଁ । ସେହି ଦିନ ଠାରୁ ଆରମ୍ଭ ହୁଏ ବ୍ରହ୍ମଚାରୀ ପୂଜକଙ୍କ ପରମ୍ପରା ।

ଭକ୍ତ ପ୍ରହଲ୍ଲାଦ ଯେପରି ଭଗବାନଙ୍କୁ ପୂଜା କରିଥିଲା ଠିକ୍‌ ସେହି ପରି ପୁରାଣ କଥାକୁ ନେଇ ଏଠାରେ ବ୍ରହ୍ମଚାରୀ ପୂଜକ ପୂଜା କରିବାର ପରମ୍ପରା ରହିଛି ।

ରିପୋର୍ଟ : ପ୍ରିୟ ରଞ୍ଜନ ଭୋଇ ଓ ଚିତ୍ତ ରଞ୍ଜନ ମିଶ୍ର, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.