Below header

ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ରଖିବାର ଲାଇସେନ୍ସ; ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରି ଆସିଥିଲେ ଚର୍ଚ୍ଚାକୁ…

ବିଜେପିରୁ ବହିଷ୍କୃତ ନେତା ନୂପୁର ଶର୍ମାଙ୍କୁ ବନ୍ଧୁକର ଲାଇସେନ୍ସ ମିଳିଛି। କୁହାଯାଉଛି ଯେ ଆତ୍ମରକ୍ଷା ପାଇଁ ତାଙ୍କୁ ଏହି ଲାଇସେନ୍ସ ମିଳିଛି। ନୂପୁର ଶର୍ମା ବିଜେପିରେ ପ୍ରବକ୍ତା ଥିଲେ। ଏକ ଟିଭି ଡିବେଟ୍‌ରେ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସାରା ଦେଶରେ ଅନେକ ବିରୋଧ ହୋଇଥିଲା। ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରି ଦେଇଥିଲା।

ନୂପୂର ଶର୍ମାଙ୍କ ବିରୋଧରେ ଅନେକ ରାଜ୍ୟରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ତାଙ୍କୁ କ୍ରମାଗତ ଭାବେ ଜୀବନରୁ ମାରିଦେବାର ଧମକ ମିଳୁଥିଲା। ନୂପୁର ଶର୍ମା ୨୦୨୨ ଜୁନ୍‌ରେ ଏକ ଟିଭି ଡିବେଟ୍‌ରେ ପ୍ରଫେଟ୍‌ ମହମ୍ମଦ ଏବଂ ତାଙ୍କର ତୃତୀୟ ପତ୍ନୀଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ଖୁବ୍‌ ହଙ୍ଗାମା ହୋଇଥିଲା।

ଦେଶର କେତେକ ରାଜ୍ୟରେ ନୂପୁରଙ୍କ ବୟାନକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏତିକି ହିଁ ନୁହେଁ, ମୁସ୍‌ଲିମ ଦେଶଗୁଡ଼ିକ ଏହି ବୟାନର କଡ଼ା ନିନ୍ଦା କରିଥିଲେ। ଏହାପରେ ବିଜେପି ତାଙ୍କୁ ନିଲମ୍ବିତ କରି ଦେଇଥିଲା। ଯଦିଓ ବିବାଦ ବଢ଼ିବା ପରେ ନୂପୁର କ୍ଷମା ପ୍ରାର୍ଥନା କରି ନେଇଥିଲେ।

ଏପଟେ ଅନେକ ରାଜ୍ୟରେ ନୂପୁର ଶର୍ମାଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ସୁପ୍ରିମ୍‌ କୋର୍ଟ ନୂପୁରଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ତାଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇଛନ୍ତି। ଏଥି ସହିତ ସାରା ଦେଶରେ ତାଙ୍କ ବିରୋଧରେ ଦାୟର ହୋଇଥିବା ମାମଲାଗୁଡ଼ିକୁ ମଧ୍ୟ ଗୋଟିଏ ଜାଗାକୁ ଟ୍ରାନ୍ସପର କରି ଦେଇଛନ୍ତି।

କିନ୍ତୁ ଏଥି ପୂର୍ବରୁ ସୁପ୍ରିମ୍‌ କୋର୍ଟ ନୂପୁର ଶର୍ମାଙ୍କୁ କଡ଼ା ଚେତାବନୀ ଦେଇଥିଲା। ସୁପ୍ରିମ୍‌ କୋର୍ଟଙ୍କ ଜଜ୍‌ ଜଷ୍ଟିସ୍‌ ପାରଦିଓ୍ଵାଲା କଡ଼ା ଟିପ୍ପଣୀ କରି କହିଥିଲେ ଯେ ଦେଶରେ ବିଗୁଡ଼ୁଥିବା ପରିସ୍ଥିତି ପାଇଁ ନୂପୁର ଶର୍ମା ଦାୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.