ଡାକ୍ତରଙ୍କ ନିଆରା ପ୍ରୟାସ, ପ୍ରଥମ ଥର ପାଇଁ ଆଇବ୍ରୋ ମାଧ୍ୟମରେ ହେଲା ବ୍ରେନ୍‌ ଟ୍ୟୁମର ସର୍ଜରୀ

ସୂଚନା ଅନୁସାରେ ବାଇକ୍ ଦୁର୍ଘଟଣା ପରେ ଜଣେ ମହିଳା ଚେକ୍ ଅପ୍ ପାଇଁ ହସ୍ପିଟାଲକୁ ଆସିଥିଲେ । ଏହି ସମୟରେ ଏସିସି ଡାକ୍ତରମାନେ ମହିଳାଙ୍କ ମସ୍ତିଷ୍କରେ ଏକ ଆଶ୍ଚର୍ଯ୍ୟଜନକ ଟ୍ୟୁମର ଦେଖିବାକୁ ପାଇଥିଲେ । ଯାହା ଡାକ୍ତରଙ୍କ ହୋସ ଉଡ଼ାଇଥିଲା ।

ଚିକିତ୍ସା ବିଜ୍ଞାନରେ ନୂଆ ନୂଆ ଉପାୟକୁ ଆପଣା ଯାଉଛି । ରୋଗୀ କୌଣସି ରୋଗରେ ପିଡ଼ିତ ହେଲେ କିପରି ସହଜରେ ଚିକିତ୍ସା କରିହେବ, ସେଥିପାଇଁ ଡାକ୍ତରମାନେ ପ୍ରାଣପଣେ ଚେଷ୍ଟା ବି କରନ୍ତି । ତେବେ ନିକଟରେ ନ୍ୟୁରୋ ସର୍ଜନଙ୍କ ଏକ ଟିମ୍‌ ଚିକିତ୍ସା କ୍ଷେତ୍ରରେ ଏପରି ସଫଳତା ଆଣିଛନ୍ତି, ଯାହା ସାରା ଦୁନିଆରେ ଚହଳ ପକାଇଛି । ନ୍ୟୁରୋ ସର୍ଜନମାନେ ଜଣେ ମହିଳାଙ୍କର ଆଇବ୍ରୋରେ କିହୋଲ୍‌ ମାଧ୍ୟମରେ ବ୍ରେନ୍‌ ଟ୍ୟୁମର ସର୍ଜରୀ କରିଛନ୍ତି । ଏହା ହେଉଛି ବିଶ୍ୱର ପ୍ରଥମ କିହୋଲ୍‌ ସର୍ଜରୀ, ଯାହାକୁ ଚେନ୍ନାଇର ଡାକ୍ତରୀ ଦଳ ସଫଳତାର ସହ ଶେଷ କରିଛନ୍ତି ।

ଜଣେ ୪୪ ବର୍ଷିୟା ମହିଳାଙ୍କ ମସ୍ତିଷ୍କରେ ହୋଇଥିବା ଡୋମିନେଣ୍ଟ-ସାଇଡ ଇନସୁଲାର ଲୋବ୍‌ ର ଟ୍ୟୁମରକୁ ବାହାର କରିଛନ୍ତି ଡାକ୍ତର । ଚେନ୍ନାଇର ଆପୋଲୋ କ୍ୟାନ୍ସର ସେଣ୍ଟର (ଏସିସି) ର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରଥମ ଥର ପାଇଁ ନ୍ୟୁରୋ-ଅଙ୍କୋଲୋଜି କ୍ଷେତ୍ରରେ ଅଗ୍ରଗତି ହୋଇଛି ।

ସୂଚନା ଅନୁସାରେ ବାଇକ୍ ଦୁର୍ଘଟଣା ପରେ ଜଣେ ମହିଳା ଚେକ୍ ଅପ୍ ପାଇଁ ହସ୍ପିଟାଲକୁ ଆସିଥିଲେ । ଏହି ସମୟରେ ଏସିସି ଡାକ୍ତରମାନେ ମହିଳାଙ୍କ ମସ୍ତିଷ୍କରେ ଏକ ଆଶ୍ଚର୍ଯ୍ୟଜନକ ଟ୍ୟୁମର ଦେଖିବାକୁ ପାଇଥିଲେ । ଯାହା ଡାକ୍ତରଙ୍କ ହୋସ ଉଡ଼ାଇଥିଲା । ଏହି ଟ୍ୟୁମର ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ଏହି ଟ୍ୟୁମର ଏମିତି ସ୍ଥାନରେ ହୋଇଥିଲା ଯେ ଏହାକୁ ସର୍ଜରୀ କରିବା ଅସମ୍ଭବ ଥିଲା । ଡାକ୍ତରମାନେ ଚିନ୍ତାରେ ପଡ଼ି ଯାଇଥିଲେ ଯେ ସେମାନେ କେମିତି ମହିଳାଙ୍କ ସର୍ଜରୀ କରିବେ । ବ୍ରେନ୍‌ ସର୍ଜରୀ ସମୟରେ ରୋଗୀକୁ ବ୍ରେନ୍‌ ଷ୍ଟ୍ରୋକ୍‌ ଏବଂ ପାରାଲିସିସ୍‌ ହେବାର ସମ୍ଭାବନା ଥାଏ । ଅନେକ ସମୟରେ ସର୍ଜରୀ ବେଳେ ରୋଗୀକୁ ବେହୋସ କରାଯାଇ ନଥାଏ, ଯାହା ଦ୍ୱାରା ଡାକ୍ତରଙ୍କ ଚିନ୍ତା ଅଧିକ ବଢ଼ିଯାଏ । କିନ୍ତୁ ଟ୍ୟୁମରକୁ ହଟାଇବା ପାଇଁ ସର୍ଜରୀ ହିଁ ଏକ ମାତ୍ର ମାଧ୍ୟମ ହୋଇଥାଏ । ଏପରି ପରିସ୍ଥିତିରେ ମହିଳାଙ୍କ ସର୍ଜରୀ କରିବା କଠିନ ହୋଇପଡ଼ିଥିଲା । କିନ୍ତୁ ଡାକ୍ତରମାନେ ହାର ନମାନି ସର୍ଜରୀ କରିବା ପାଇଁ ଏକ ନୂଆ ଉପାୟକୁ ଆପଣାଇଥିଲେ ।

ଡାକ୍ତରୀ ଦଳ ମହିଳାଙ୍କ ବ୍ରେନ୍‌ ଟ୍ୟୁମର ସର୍ଜରୀ ପାଇଁ ଆଇବ୍ରୋ ମାଧ୍ୟମରେ ଏକ କିହୋଲ କରିଥିଲେ, ଯେଉଁଥିରେ ସେମାନେ ସର୍ଜରୀ କରିଥିଲେ । ପୂର୍ବ ଅନୁଭୂତି ଅନୁସାରେ ଡାକ୍ତରମାନେ ଏହି ସର୍ଜରୀକୁ କରିଥିଲେ । ପ୍ରଥମ ଥର ପାଇଁ ଡାକ୍ତରମାନେ ଏଭଳି ସର୍ଜରୀ କରିଥିବା କୁହାଯାଉଛି । ଏହି ସର୍ଜରୀ ସଫଳ ହୋଇଥିବାରୁ ଡାକ୍ତରଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

ଡାକ୍ତର କହିଛନ୍ତି ଯେ ସର୍ଜରୀର ୭୨ ଘଣ୍ଟା ପରେ ମହିଳାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ମହିଳା ଜଣଙ୍କ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଉନ୍ନତ ଚିକିତ୍ସା ଦ୍ୱାରା ତାଙ୍କୁ ନୂଆ ଜୀବନ ମିଳିଛି । ତାଙ୍କୁ ବଞ୍ଚିବା ପାଇଁ ନୂଆ ଆଶା ମିଳିଛି ବୋଲି କହିଥିଲେ ମହିଳା ।

Leave A Reply

Your email address will not be published.