ଭାରତୀୟ କ୍ରିକେଟ ଟିମର ଓ୍ଵିକେଟ କିପର ରିଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ମୁମ୍ବାଇର କୋକିଲାବେନ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟ ସର୍ଜରୀ ହୋଇସାରିଛି । କିନ୍ତୁ ଆଗାମୀ ୬ ସପ୍ତାହ ପରେ ରିଷଭଙ୍କର ଆଉ ଏକ ସର୍ଜରୀ ହେବ । ଆଉ ଏଥିପାଇଁ ରିଷଭ ଆଇପିଏଲ୍ ଏବଂ ଏସିଆ କପ୍ ସହିତ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍ ପଡିପାରନ୍ତି। ତେବେ ରିଷଭ ବିଶ୍ୱକପ୍ ପର୍ଯ୍ୟନ୍ତ ଫିଟ୍ ହେବା ଅସମ୍ଭବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।
ଅଧିକାରୀ ଜଣକ କହିଛନ୍ତି, ରିଷଭ ଟିମ୍କୁ ଫେରିବା ଏବେ ସମ୍ଭବ ନୁହେଁ । ଅତି କମରେ ୮ରୁ ୯ ମାସ ଖେଳ ଠାରୁ ଦୂରେଇ ରହିବା ରିଷଭଙ୍କ ପାଇଁ ଭଲ । ଆଗାମୀ ସର୍ଜରୀ କେବେ ହେବ ତା’ ଉପରେ ନିର୍ଭର କରେ ରିଷଭଙ୍କ ଫିଟ୍ ହେବା । ରିଷଭଙ୍କର ଦୁଇଟି ଯାକ ଆଣ୍ଠୁର ସର୍ଜରୀ ହୋଇପାରେ । ଆଉ ଲିଗାମେଣ୍ଟ ସର୍ଜରୀ ପରେ ଠିକ୍ ହେବା ପରେ ୬ ମାସ ଲାଗିଥାଏ ।
ତେବେ ରିଷଭଙ୍କ ଲିଗାମେଣ୍ଟ ସର୍ଜରୀ ପରେ ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ରିଷଭ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ କିଛି ସମୟ ଠିଆ ହୋଇଥିଲେ । ତେବେ ରିଷଭ ହସପିଟାଲରେ ଆଉ ପାଖାପାଖି ୧ ସପ୍ତାହ ହସପିଟାଲରେ ରହିବେ ।
କେଉଁ କେଉଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିପାରନ୍ତି ରିଷଭ :
ଭାରତ ବନାମ ନ୍ୟୁଜିଲାଣ୍ଡ (୩ଟି ଦିନିକିଆ, ୩ଟି ଟି-୨୦)
ଭାରତ ବନାମ ଅଷ୍ଟ୍ରେଲିଆ (୪ଟି ଟେଷ୍ଟ, ୩ଟି ଦିନିକିଆ)
ଆଇପିଏଲ ୨୦୨୩ (ଏପ୍ରିଲ-ମେ’)
ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ
ଇଣ୍ଡିଆ ଟୁର ଟୁ େଓ୍ଵଷ୍ଟଇଣ୍ଡିଜ (ଜୁଲାଇ)
ଏସିଆ କପ୍ ୨୦୨୩
ଦିନିକିଆ ବିଶ୍ୱକପ
ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡ ସଂପୂର୍ଣ୍ଣ ଭାବେ ଠିକ ଅଛି। ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।। ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।