୫ମ ଥର ପାଇଁ ତୁର୍କୀରେ ଆସିଲା ଭୂମିକମ୍ପ: ପୁଣି ୫.୭ ତୀବ୍ରତାର ଝଟକା, ବଢିଚାଲିଛି ମୃତକଙ୍କ ସଂଖ୍ୟା

ତୁର୍କୀରେ ଲଗାତାର ୫ ଥର ପାଇଁ ଭୂମିକମ୍ପ ଆସିଛି । ମଙ୍ଗଳବାର ଦିନ ୫.୭ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ଦିନ ୩ଟି ଭୂମିକମ୍ପ ଆସିବା ପରେ ପୁଣି ମଙ୍ଗଳବାର ଦିନ ୨ଟି ଭୂମିକମ୍ପ ଆସିଛି ।  ଖବର ମୁତାବକ, ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୪,୮୦୦ରେ ପହଞ୍ଚିସାରିଲାଣି । ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୂମିକମ୍ପରେ ପ୍ରଭାବିତ ତୁର୍କୀ ପଇଁ ଭାରତ ପକ୍ଷରୁ ସହାୟତାର ହାତ ବଢାଯାଇଛି । ତୁର୍କୀକୁ ୨ଟି ଏନଡିଆରଏଫ ଟିମ୍‌ ପଠାଯାଇଛି ।
କେବଳ ଭାରତ ନୁହେଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟ ତୁର୍କୀକୁ ୧୧ ମିଲିଅନ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି ।

ତେବେ ସୋମବାର ଦିନ ହୋଇଥିବା ଭୂମିକମ୍ପର ତୀବ୍ରତା ୭.୮, ୭.୬ ଏବଂ ୬.୦ ରେକର୍ଡ କରାଯାଇଥିଲା । ଭୂମିକମ୍ପରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଅନେକ ବିଲିଡିଂ ଧୂଳିସାତ ହୋଇପଡିଛି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭୂମିକମ୍ପ ପରେ ୧୦୦ରୁ ଅଧିକ ଝଟକା ଲାଗିଲା ।

ସୂଚନାଯୋଗ୍ୟ, ତୁର୍କୀରେ ଭୂମିକମ୍ପର ସ୍ଥାନୀୟ ସମୟ ଅନୁସାରେ, ସକାଳ ୪ଟା ୧୭ରେ ପ୍ରଥମ ଭୂମିକମ୍ପ ଆସିଥିଲା। ଏହାର ଗଭୀରତା ଭୂମିଠାରୁ ୧୭.୯ କିଲୋମିଟର ଭିତରେ ଥିଲା। ଭୂମିକମ୍ପର କେନ୍ଦ୍ର ଥିଲା ଗାଜିଆନଟେପ, ଯାହାକି ସିରିୟା ସୀମାଠାରୁ ୯୦ କିଲୋମିଟର ଦୂରରେ ରହିଛି। ତେଣୁ ସିରିୟାର ଅନେକ ସହରରେ ମଧ୍ୟ ଭୂମିକମ୍ପର ତୀବ୍ର ଝଟ୍‌କା ଅନୁଭବ କରାଯାଇଛି।

ସୋମବାର ତୁର୍କୀରେ ଆସିଥିବା ଏହି ଭୟଙ୍କର ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୫୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ତୁର୍କୀରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପୀଡ଼ିତ ଲୋକମାନଙ୍କୁ ମସ୍‌ଜିଦରେ ଶରଣ ଦିଆଯାଉଛି। ସକାଳେ ଭୂମିକମ୍ପର ପ୍ରଥମ ଝଟ୍‌କା ପରେ ଏବେ ଅନୁଭୂତ ହୋଇଛି ଦ୍ୱିତୀୟ ଝଟ୍‌କା, ଯେଉଁଥିରେ ତୁର୍କୀ ଏକ ପ୍ରକାର ଧ୍ୱଂସ ସ୍ତପରେ ପରିଣତ ହୋଇଛି। ପ୍ରଭାବରେ ସାଇପ୍ରସ୍, ତୁର୍କୀ, ଗ୍ରୀସ୍, ଜୋର୍ଡାନ, ଲେବାନନ୍, ସିରିଆ, ଇରାକ ଏବଂ ଜର୍ଜିଆ ଥରି ଉଠିଛି।

୧୯୯୯ରେ ତୁର୍କୀର ଡସ୍ଜେ ବଡ଼ଧରଣର ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ୭.୪ ରହିଥିଲା। ଏଥିରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.