ମାଟି ମା’ର ସେବା ପାଇଁ ଦୌଡୁଛନ୍ତି ଗୋଟିଏ ପରିବାରର ୩ କୁନି ପିଲା, କହୁଛନ୍ତି ଆମେ ପୂରଣ କରିବୁ ବାପାଙ୍କ ସ୍ବପ୍ନ

ଏଇ ମାଟି ଆମ ପାଇଁ ଜୀବନ। ମାଟି ମା'ର ସୁରକ୍ଷା ଆମ ଜୀବନର ଧର୍ମ । ଏଭଳି କିଛି ନିଜ ଜୀବନର ମୂଳ ମନ୍ତ୍ର ଭାବେ ଗ୍ରହଣ କରିଦେଇଛନ୍ତି ଜିତେନ୍ଦ୍ର ବାହାଦୁରଙ୍କ ପରିବାର। ଆଉ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ୩ କୁନି ପିଲା ବି ଆରମ୍ଭ କରିଦେଇଛନ୍ତି ପ୍ରୟାସ।

କୋରାପୁଟ(କେନ୍ୟୁଜ୍): ମରିବୁ ପଛେ ବୀର ଭଳି ଲଢିବୁ। ଏଇ ମାଟି ଆମ ପାଇଁ ଜୀବନ। ମାଟି ମା’ର ସୁରକ୍ଷା ଆମ ଜୀବନର ଧର୍ମ । ଏଭଳି କିଛି ନିଜ ଜୀବନର ମୂଳ ମନ୍ତ୍ର ଭାବେ ଗ୍ରହଣ କରିଦେଇଛନ୍ତି ଜିତେନ୍ଦ୍ର ବାହାଦୁରଙ୍କ ପରିବାର। ଆଉ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ୩ କୁନି ପିଲା ବି ଆରମ୍ଭ କରିଦେଇଛନ୍ତି ପ୍ରୟାସ। କୁନି ଝିଅ ମାନଙ୍କ ଏଭଳି ସ୍ବଭାବ ସମସ୍ତଙ୍କୁ ଚକିତ କରିଦେଇଛି ଆଜ୍ଞା ।

ନେପାଳରୁ ଆସି ଜୟପୁର ସହରରେ ରାତ୍ର ଜଗୁଆଳି ଭାବେ କାମ କରୁଛନ୍ତି ଜିତେନ୍ଦ୍ର ବାହାଦୁର। ଜିତେନ୍ଦ୍ରଙ୍କ ସ୍ବପ୍ନ ଥିଲା ସେନା ବାହିନୀରେ ଯୋଗଦେବା ପାଇଁ । କିନ୍ତୁ ସମସ୍ତ ଚେଷ୍ଟା ପରେ ବି ସେ ସଫଳତା ପାଇପାରିନଥିଲେ । ହେଲେ ବାପାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ପରିବାରର କୁନି କୁନି ୩ ସନ୍ତାନ ସତେ ଯେମିତି ପୁରା ଆଗଭର।

ଏଥିପାଇଁ ନିଜକୁ ଫିଟ ରଖିବାକୁ ସେମାନେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ତେବେ ଏଥିପାଇଁ ସେମାନେ ପ୍ରତିଦିନ ଦୌଡ ଅଭ୍ଯାସ କରୁଥିବାବେଳେ, ଗତ ରବିବାର ସକାଳୁ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ୨୯ କିମି ଦାମନଜୋଡିକୁ ଦୌଡିଛନ୍ତି । ପ୍ରାୟ ୪ ଘଣ୍ଟା ୪୫ ମିନିଟରେ ଏହି ବାଟ ସେମାନେ ଅତିକ୍ରମ କରିଛନ୍ତି ।

କୁନି ପିଲାଙ୍କ ଏଭଳି ଉଦ୍ୟମକୁ ବାପା ବେଶ ଖୁସି ପ୍ରକଟ କରିଛନ୍ତି । ସେନାରେ ପିଲାଙ୍କୁ ଦେଖିଲେ ନିଜକୁ ଗୌରବାନ୍ବିତ ମନେ କରିବି ବୋଲି କହିଛନ୍ତି । ଏପଟେ କୁନି ପିଲାଙ୍କ ଏଭଳି ଆଗ୍ରହରେ କୋଚ ମଧ୍ୟ ବେଶ ଉତ୍ସାହିତ ହୋଇ ପ୍ରଶିକ୍ଷଣ ଦେଉଛନ୍ତି ।

three child

ପ୍ରତ୍ୟେକ ଦିନ ସକାଳୁ ଉଠି କୁନି ପିଲାମାନେ ନିଜକୁ ଫିଟ ରଖିବାକୁ ଦୌଡ ଅଭ୍ୟାସ ଜାରି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜୟପୁର ରୁ ବୋରିଗୁମା ୨୩ କିମି ଅନେକ ଥର ସଫଳତାର ସହ ଦୌଡିଥିବା ବେଳେ ଏବେ କୋରାପୁଟରୁ ଦାମନଜୋଡିକୁ ଦୌଡିଛନ୍ତି । ପରିବାର ୨ ବଡ ଭଉଣୀ ଓ ଭାଇଙ୍କ ଦୌଡ ଅଭ୍ୟାସକୁ ଦେଖି ୮ ବର୍ଷର ସାନ ଭଉଣି ନିଜକୁ ଦୌଡ ଅଭ୍ୟାସରେ ସାମିଲ କରିଛନ୍ତି।

ସେନା ବାହିନୀରେ ଯୋଗଦେଇ ବାପାଙ୍କ ଅଧୁରା ସ୍ବପ୍ନ ସାକାର କରିବାକୁ ସ୍ବପ୍ନ ରଖିଛନ୍ତି ୧୧ ବର୍ଷର ଝିଅ ଜମୁନା ବାହାଦୁର,୮ବର୍ଷର କୁନି ଝିଅ ତପସ୍ୟା ବାହାଦୁର ଓ ୯ ବର୍ଷର ପୁଅ ହରିଶ ବାହାଦୁର। ୩ ପୁଅ ଝିଅଙ୍କ ମହତ ଉଦେଶ୍ୟକୁ ସାକାର କରିବାପାଇଁ ଉତ୍ସାହିତ କରିବା ସକାଶେ ଜିଲ୍ଲା ପୋଲିସର ଅଧିକାରୀମାନେ ମଧ୍ୟ ଦୌଡିଥିଲେ ।

୩ ପିଲାଙ୍କ ଏଭଳି ଉଦ୍ୟମରେ କୋରାପୁଟ ନଗରପାଳ ବେଶ ପ୍ରଭାବିତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଓ ସହାୟତା ଯୋଗାଇବାକୁ ଉଦ୍ୟମ କରିବି କହିଛନ୍ତି । ଯଦି ସରକାରଙ୍କ ପକ୍ଷରୁ ତାଲିମ ପାଇଁ ଆବଶ୍ୟକ ସାହାଯ୍ୟ ଯୋଗାଇ ଦିଆଯାଆନ୍ତା, ତେବେ ଭବିଷ୍ୟତରେ ନିଶ୍ଚୟ ଏହି ୩ କୁନି ପିଲାଙ୍କ ସ୍ବପ୍ନ ସାକାର ହୋଇପାରନ୍ତା ଏଥିରେ ଦ୍ବନ୍ଦ ନାହିଁ।

 

Leave A Reply

Your email address will not be published.