ପୂର୍ବତନ କ୍ରିକେଟର ସଲିମ ଦୁରାନୀଙ୍କ ପରଲୋକ, ଦୀର୍ଘଦିନରୁ କ୍ୟାନସରରେ ଥିଲେ ପୀଡିତ
ଟିମ୍ ଇଣ୍ଡିଆର ପୂର୍ବତନ ଲୋକପ୍ରିୟ କ୍ରିକେଟର ସଲିମ ଦୁରାନୀଙ୍କ ପରଲୋକ । ୮୮ ବର୍ଷ ବୟସରେ ଗୁଜରାଟର ଜାମନଗର ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଥମ ଭାରତୀୟଖେଳାଳି ଯାହାଙ୍କୁ ମିଳିଥିଲା ଅର୍ଜୁନ ପୁରସ୍କାର ।
ପରଲୋକରେ ପୂର୍ବତନ କ୍ରିକେଟର ସଲିମ ଦୁରାନୀ । ଷାଠିଏରୁ ସତୁରୀ ଦଶକ ଭିତରେ ଭାରତ ପକ୍ଷରୁ ୨୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଦୁରାନୀଙ୍କର ଗୁଜରାଟ ଜାମନଗର ଠାରେ ଆଜି ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ।
ଦୁରାନୀଙ୍କ ମୃତ୍ୟୁ ଖବର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍ କରି ଦୁଃଖ ପ୍ରକାଶ କରିବା ସହିତ ଟ୍ଵିଟ୍ କରି ଜଣାଇଛନ୍ତି । ମୋଦି କହିଛନ୍ତି, ଦୁରାନୀ କ୍ରିକେଟ ଲିଜେଣ୍ଡ ଥିଲେ । ବିଶ୍ୱ କ୍ରିକେଟରେ ଭାରତର ବିକାଶ କରିବାରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି ।
Salim Durani Ji was a cricketing legend, an institution in himself. He made a key contribution to India’s rise in the world of cricket. On and off the field, he was known for his style. Pained by his demise. Condolences to his family and friends. May his soul rest in peace.
— Narendra Modi (@narendramodi) April 2, 2023
୧୯୩୪ ମସିହା ଡିସେମ୍ବର ୧୧ ତାରିଖରେ ଆଫଗାନିସ୍ତାନର କାବୁଲରେ ଜନ୍ମ ଗ୍ରହଣ କରିଥିଲେ ସଲିମ ଅଜିଜ ଦୁରାନୀ । ଦୁରାନୀ ମାତ୍ର୮ ମାସର ଥିବା ବେଳେ ତାଙ୍କର ପରିବାର ପାକିସ୍ତାନର କରାଚୀରେ ବସବାସ କରିଥିଲା । ଏହା ପରେ ଭାରତ ଏବଂ ପାକିସ୍ତାନ ଅଲଗା ହୋଇଥିଲା । ତା’ ପରେ ଦୁରାନୀଙ୍କ ପରିବାର ଭାରତରେ ଆସି ରହିଥିଲେ ।
୧୯୬୦ରେ ଦୁରାନୀ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇରେ ଟେଷ୍ଟ ଡେବ୍ୟୁ କରିଥିଲେ । ଦୁରାନୀ ଜଣେ ଦକ୍ଷ ଅଲରାଉଣ୍ଡର ଥିଲେ । ୨୯ଟି ଟେଷ୍ଟରେ ଗୋଟିଏ ଶତକ ଏବଂ ୭ଟି ଅର୍ଦ୍ଧଶତକ କରିବା ସହିତ ୭୫ଟି ଓ୍ଵିକେଟ୍ ମଧ୍ୟ ଦଖଲ କରିଥିଲେ । ୧୯୬୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା । ୧୯୭୩ ମସିହାରେ ଇଂଲଣ୍ଡ ବିପକ୍ଷରେ ମୁମ୍ବାଇ ଠାରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ଜଣେ ବାମହାତୀ ବିସ୍ଫୋରକ ବ୍ୟାଟର ଏବଂ ବାମହାତୀ ସ୍ପିନ୍ ବୋଲର ଥିଲେ । ଭାରତୀୟ ଦଳରେ ଜଣେ ହ୍ୟାଣ୍ଡସମ୍ ଖେଳାଳି ଭାବେ ପରିଚିତ ଥିଲେ ଦୁରାନୀ । କ୍ରିକେଟ୍ ସହ ସେ ବଲିଉଡ୍ରେ ମଧ୍ୟ ପାଦ ଥାପିଥିଲେ । ପରବିନ୍ ବବିଙ୍କ ସହିତ ‘ଚରିତ୍ର’ ନାମକ ଏକ ଫିଲ୍ମରେ ନାୟକ ସାଜିଥିଲେ ।