ବିଦା ହେବେ IPS-APS ସମେତ ଅନ୍‌ଫିଟ୍‌ ପୋଲିସ କର୍ମୀ, ଆସାମ ସରକାରଙ୍କ ଖାସ୍‌ ପ୍ଲାନ୍‌

ନିଜକୁ ଫିଟ୍‌ ରଖିବା ପାଇଁ ଆଇପିଏସ୍ ଏବଂ ଏପିଏସ୍ ସମେତ ଆସାମର ସମସ୍ତ ପୋଲିସ୍ କର୍ମଚାରୀଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଆସାମ ସରକାର ପୋଲିସ ବିଭାଗ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହା ମୁତାବକ, ଯେଉଁମାନେ ‘ଡେଡ୍‌ଉଡ୍‌’ ପୋଲିସ କର୍ମୀ (ଯେଉଁମାନେ ମଦ୍ୟପାନ କରନ୍ତି, ମୋଟାପଣ ଅଛି ଏବଂ ଡ୍ୟୁଟିରେ ନିଜର ୧୦୦ ପ୍ରତିଶତ ଦେବାକୁ ଅସମର୍ଥ), ସେମାନେ ନିଜକୁ ଫିଟ୍ ରଖିବା ପାଇଁ ସରକାର ତିନିମାସ ସମୟ ଦେଇଛନ୍ତି। ଯଦି ସେମାନେ ଏହି ସମୟ ସୀମା ମଧ୍ୟରେ ଫିଟ୍ ନ ହୋଇଛନ୍ତି, ତେବେ ସେମାନଙ୍କୁ ଅବସର ଦିଆଯିବ ବା VRS ଦିଆଯିବ।

ଆସାମ ଡିଜିପି ଜିପି ସିଂ ମଙ୍ଗଳବାର ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିଜକୁ ଫିଟ୍‌ ରଖିବା ପାଇଁ ଆମେ ଆଇପିଏସ୍ ଏବଂ ଏପିଏସ୍ ସମେତ ଆସାମର ସମସ୍ତ ପୋଲିସ୍ କର୍ମଚାରୀଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ଦେଉଛୁ। ପରବର୍ତ୍ତୀ ୧୫ ଦିନରେ ଆମେ ସେମାନଙ୍କର BMI (ବଡି ମାସ ଇଣ୍ଡେକ୍ସ) ରେକର୍ଡ କରିବା ଆରମ୍ଭ କରିବୁ।

ଏହାପରେ ଯେଉଁମାନଙ୍କର ବଡି ମାସ ଇଣ୍ଡେକ୍ସ ୩୦ରୁ ଅଧିକ ହେବ, ସେମାନଙ୍କୁ ଆଉ ତିନି ମାସ ସମୟ ଦିଆଯିବ। ଯଦି ଏହି ଅବଧି ମଧ୍ୟରେ ସେମାନେ BMI ହ୍ରାସ କରିବାରେ ବିଫଳ ରହୁଛନ୍ତି, ତା’ ହେଲେ ମେଡିକାଲ ଆଧାରରେ ସେମାନଙ୍କୁ VRS ଦିଆଯିବ।

ଆସାମ ଡିଜିପି କହିଛନ୍ତି କି, ଅଗଷ୍ଟ ୧୬ରୁ ଆମେ BMI ମୂଲ୍ୟାଙ୍କନ ଆରମ୍ଭ କରିବୁ। ଆସାମରେ ପୋଲିସ ବଳର ମୋଟ ସଂଖ୍ୟା ପାଖାପାଖି ୭୦ ହଜାର। ଗତ ସପ୍ତାହରେ ଡିଜିପି ଏକ ବୟାନରେ କହିଥିଲେ ଯେ ଆମେ ୬୫୦ରୁ ଅଧିକ ପୋଲିସ କର୍ମୀଙ୍କର ଏକ ତାଲିକା ପ୍ରସ୍ତୁତ କରିଛୁ, ଯେଉଁଥିରେ ଅତ୍ୟଧିକ ମଦ୍ୟପାନ କରୁଥିବା, ମେଦବହୁଳର ଶିକାର ଥିବା ଏବଂ ଡ୍ୟୁଟିରେ ଶତପ୍ରତିଶତ ଦେଇପାରୁ ନ ଥିବା ପୋଲିସ କର୍ମୀ ରହିଛନ୍ତି।

Leave A Reply

Your email address will not be published.