ମୁମ୍ବାଇ ରାସ୍ତାରେ ଆଉ ଗଡ଼ିବନି ‘ଡବଲ୍ ଡେକର୍ ବସ୍’, ଆସନ୍ତାକାଲି ନିଜର ଶେଷ ଯାତ୍ରାରେ ଦୌଡ଼ିବ
ମୁମ୍ବାଇରେ ବିଦାୟ ନେବାକୁ ଯାଉଛି ଇଂରେଜ ଯୁଗର ଡବଲ୍ ଡେକର୍ ବସ୍। ୮୬ ବର୍ଷର ଦୀର୍ଘ ଯାତ୍ରା ପରେ ଆସନ୍ତାକାଲି ଏହା ନିଜର ଅନ୍ତିମ ଯାତ୍ରାରେ ଦୌଡ଼ିବ। ଏହାପରଠୁ ମୁମ୍ବାଇ ରାସ୍ତାରେ ଆଉ ଗଡ଼ିବ ନାହିଁ ଡବଲ୍ ଡେକର୍ ବସ୍।
ମୁମ୍ବାଇରେ ବିଦାୟ ନେବାକୁ ଯାଉଛି ଇଂରେଜ ଯୁଗର ଡବଲ୍ ଡେକର୍ ବସ୍। ୮୬ ବର୍ଷର ଦୀର୍ଘ ଯାତ୍ରା ପରେ ଆସନ୍ତାକାଲି ଏହା ନିଜର ଅନ୍ତିମ ଯାତ୍ରାରେ ଦୌଡ଼ିବ। ଏହାପରଠୁ ମୁମ୍ବାଇ ରାସ୍ତାରେ ଆଉ ଗଡ଼ିବ ନାହିଁ ଡବଲ୍ ଡେକର୍ ବସ୍। ୮୬ ବର୍ଷର ପୁରୁଣା ଏହି ବସ୍କୁ ପରବର୍ତ୍ତୀ ସମୟରେ ସଂଗ୍ରହାଳୟରେ ସାଇତି ରଖିବାକୁ ଯୋଜନା କରାଯାଉଛି।
ଶୁକ୍ରବାର ଏହି ବସ୍ ନିଜର ଶେଷ ଯାତ୍ରାରେ ଦୌଡ଼ିବ। ସବୁଜ ପତାକା ଦେଖାଇ ବସ୍କୁ ଚଲାଯିବ। ମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍ ଟ୍ରାନ୍ସପୋର୍ଟ ଦ୍ୱାରା ଏହି ବସ୍ ସଞ୍ଚାଳିତ ହେଉଛି। ସେପଟେ ଆସନ୍ତା ଅକ୍ଟୋବର ୫ରେ ଓପନ୍ ଟପ୍ ନନ୍-ଏସି ଡବଲ୍ ଡେକର ବସ୍ ମଧ୍ୟ ବନ୍ଦ ହୋଇଯିବ।
୧୯୩୭ରୁ ଡବଲ୍ ଡେକର ବସ୍ ଗଡ଼ିବା ଆରମ୍ଭ କରିଥିଲା। ଓପନ୍ ଟପ୍ ଡବଲ୍ ଡେକର ବସ୍ ୧୯୯୭ ଜାନୁୟାରୀ ୨୬ରେ ମହାରାଷ୍ଟ୍ର ପର୍ଯ୍ୟଟନ ବିକାଶ ନିଗମ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଟ୍ରାନ୍ସପୋର୍ଟର ଜଣେ ଅଧିକାରୀ କହିଛନ୍ତି, ବସ୍ଗୁଡ଼ିକୁ ୧୫ ବର୍ଷର ସେବା ପରେ ସ୍କ୍ରାପ୍ କରି ଦିଆଯାଇଥାଏ। କିନ୍ତୁ ଆଗକୁ ପୁଣି ଏହାକୁ ଆରମ୍ଭ କରିବାର କୌଣସି ଯୋଜନା ନାହିଁ।
ମୁମ୍ବାଇ ପ୍ରଶାସନ ଆଶ୍ୱସନା ଦେଇଛି ଯେ ଡବଲ୍ ଡେକର୍ ବସ୍ ଜାଗାରେ ଏସି ସଂଲଗ୍ନ ଡବଲ୍ ଡେକର ଇଲେକ୍ଟ୍ରିକ୍ ବସ୍ ଆରମ୍ଭ କରାଯିବ। ୯୦୦ ବସ୍ର ଅର୍ଡର ଦିଆଯାଇଛି। ୧୬ଟି ବସ୍ ପୂର୍ବରୁ ଚାଲୁଥିବା ବେଳେ ଆହୁରି ୮ଟି ବସ୍ ବହୁତ ଜଲ୍ଦି ରାସ୍ତାରେ ଗଡ଼ିବ।
କହି ରଖୁଛୁ, ଗତ କିଛି ବର୍ଷ ହେବ ମୁମ୍ବାଇ ରାସ୍ତାରେ ଡବଲ୍ ଡେକର ବସ୍ ସଂଖ୍ୟା ହ୍ରାସ ପାଇଛି। ମୋଟ ୧୨୦ଟି ବସ୍ ଥିବା ବେଳେ କରୋନା ପରଠାରୁ ୭ଟି ରହିଛି। ସେଥିରୁ ୪ଟି ସାଧାରଣ ଲୋକଙ୍କ ପାଇଁ ଚାଲୁଥିବା ବେଳେ ୩ଟି ବସ୍ ମୁମ୍ବାଇ ଦର୍ଶନ ସେବା ପ୍ରଦାନ କରୁଛି।