ଆସନ୍ତାକାଲି କେନ୍ଦ୍ରାପଡ଼ାରେ କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ପ୍ରଥମ କିସ୍ତିର ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଆସନ୍ତାକାଲି କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବଣ୍ଟାଯିବ ଟଙ୍କା । ପ୍ରଥମ କିସ୍ତିରେ ସେମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯିବ । କେନ୍ଦ୍ରାପଡ଼ାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏହାପୂର୍ବରୁ ଭୁବନେଶ୍ୱରରେ ଆଜି ଜିଲ୍ଲାସ୍ତରୀୟ ପ୍ରଶିକ୍ଷକଙ୍କ ପାଇଁ ଦିନିକିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।.

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ । ବାରୋ ପଡ଼ିଆରେ ଚାଷୀ ସମାବେଶରେ ଯୋଗଦେବେ । ଏହି ସମାବେଶରେ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ଭୂମିହୀନ କୃଷକଙ୍କୁ  ଛତୁ ଚାଷ, ମାଛ ଚାଷ, ଛେଳି ଓ ବତକ ପାଳନ ଆଦି ଜରିଆରେ ଜୀବିକା ଓ ଉପାର୍ଜନ ପାଇଁ ସହାୟତା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷରୁ ଅଧିକ ଭୂମିହୀନଙ୍କୁ ମିଳିବ ସହାୟତା । ମୋଟ ତିନୋଟି ପର୍ଯ୍ୟାୟରେ ୧୨ ହଜାର ୫ ଶହ ଟଙ୍କା ସେମାନଙ୍କୁ ଆକାଉଣ୍ଟକୁ ପଠାଯିବ । ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଦିଆଯିବ ।

କାଳିଆ ଯୋଜନାରେ ଭୂମିହୀନ କୃଷକଙ୍କୁ ଟଙ୍କା ବଣ୍ଟନ ପୂର୍ବରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକଙ୍କ ପାଇଁ ଦିନିକିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଭୁବନେଶ୍ୱର କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, ରାଜ୍ୟ ଜୀବିକା ମିଶନ, କୃଷି ବିଜ୍ଞାନ କେନ୍ଦ୍ରର ୧୮୦ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ଦିଆଯାଇଛି । ସେମାନେ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ଆସନ୍ତା ୧୮ରେ ଟ୍ରେନିଂ ଦେବେ । ଏହାପରେ କ୍ଷେତ୍ରାଧିକାରୀ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ଆସନ୍ତା ୨୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ଦିଆଯିବ । କାଳିଆ ଯୋଜନାକୁ ନେଇ ଚାଷୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.