ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଥମେ ପିଓକେରେ ଆକ୍ରମଣ ପାଇଁ ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇ ପ୍ରସ୍ତାବ ଗୃହୀତ ହୋଇଛି । ଓଡ଼ିଶା ବନ୍ୟଜନ୍ତୁ ସୁରକ୍ଷା ନିୟମାବଳୀ-୧୯୭୪ର ସଂଶୋଧନ କରାଯାଇ ବନ୍ୟଜନ୍ତୁ ଆକ୍ରମଣରେ ମୃତାହତଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନରେ ସରଳୀକରଣ କରାଯାଇଛି। କାଳିଆ ଯୋଜନାରେ ଆଉ ୧୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ, ଭୂମିହୀନ କୃଷି ଶ୍ରମିକଙ୍କୁ ସାମିଲ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ଫଳରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୪୫ ଲକ୍ଷକୁ ବୃଦ୍ଧି ହେବ । କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଏପ୍ରିଲ ୧ରୁ ଖରିଫ ଫସଲ ପାଇଁ ଏବଂ ସେପ୍ଟେମ୍ବର ପରେ ରବିଋତୁ ପାଇଁ ଯେ କୌଣସି ସମୟରେ ପ୍ରଦାନ କରାଯିବ। ସେହିପରି ଡାକ୍ତରମାନଙ୍କୁ ପଦୋନ୍ନତି ଏଣିକି ୭ ବର୍ଷରେ ସୁନିଶ୍ଚିତ ହେବ। ଉଚ୍ଚଶିକ୍ଷା ବିଭାଗରେ ଶାରୀରିକ ଶିକ୍ଷା ଶିକ୍ଷକଙ୍କର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ମାଧ୍ୟମରେ କରାଯିବ। ଅନ୍ୟପଟେ ଓଡ଼ିଶା ସରକାରୀ ଭାଷା ନିୟମାବଳୀ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।