ବେଙ୍ଗାଲୁରୁ: କଥାରେ ଅଛି ଜଳ ବିନା ସୃଷ୍ଟି ନାଶ ଓ ଜଳ ବହୁଳେ ସୃଷ୍ଟି ନାଶ । କିନ୍ତୁ ବର୍ତ୍ତମାନ ସମୟରେ ଜଳ ବହୁଳେ ପରିବର୍ତ୍ତେ ଜଳ ବିହୁନେ ସୃଷ୍ଟି ଥରହର ହେବାର ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଜଳ ବାୟୂର ପରିବର୍ତ୍ତନ ଭୂତଳ ଜଳସ୍ତରକୁ କମେଇବାରେ ଲାଗିଛି। ଯାହାର ପରିଣାମ ମଣିଷକୁ ଭୋଗିବାକୁ ପଡୁଛି। ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ ଅତ୍ୟଧିକ ଗରମ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି। କିଛି ରାଜ୍ୟରେ ତ ଜଳ ସଂକଟ ଏକ ପ୍ରମୁଖ ସମସ୍ୟା ରୂପରେ ମୁଣ୍ଡ ଟେକି ଠିଆ ହେଇଛି। ସେହିସବୁ ରାଜ୍ୟମାନଙ୍କ ମଧ୍ୟରୁ ଚେନ୍ନାଇର ଜଳ ସମସ୍ୟା ଟିକେ ଅଧିକ ହୋଇଥିବା ଦେଖିବାକୁ ମିଳିଛି ।ଏଠାରେ ବସବାସ କରୁଥିବା ଲୋକମାନେ ନାହିଁ ନଥିବା ହନ୍ତସନ୍ତ ହେଉଥିବା ବେଳେ ଏବେ ଜଳ ସମସ୍ୟା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇପଡିଛି। ଚଳିତ ବର୍ଷ ଚେନ୍ନାଇରେ ଥିବା ହ୍ରଦ ଗୁଡିକ ଶୁଖିଯିବା ସହ ଜଳ ସ୍ତର ମଧ୍ୟ ତଳକୁ ଖସିଯାଇଛି । ଫଳରେ ଜଳ ସଂକଟ ଦେଖାଦେଇଛି । ଯେଉଁଥିପାଇଁ ଏଠାରେ ବସବାସ କରୁଥିବା ଲୋକ ମାନେ ବେଙ୍ଗାଲୁରୁ ଓ କେରଳକୁ ଚାଲିଯାଉଥିବା ଜଣାପଡିଛି । ପରିସ୍ଥିତି ଏମିତି ହୋଇଛି ଯେ, ଓଏମ୍ଆର୍ ଅଞ୍ଚଳରେ ଥିବା ଆଇଟି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି ବିଭିନ୍ନ ଆଇଟି କମ୍ପାନୀର ମାଲିକମାନେ ।
ଆଇଟି କମ୍ପାନୀ ଗୁଡିକରେ ଜଳ ସମେତ ବିଦ୍ୟୁତ୍ ସମସ୍ୟା ଥିବାରୁ ଏପରି ଭାବେ କର୍ମଚାରୀ ମାନଙ୍କୁ ନିଜ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଉଛି । ଏକ ଟ୍ୟାଙ୍କର ପାଣି କିଣିବା ପାଇଁ ଏକ ସପ୍ତାହ ପୂର୍ବରୁ ବୁକିଂ କରିବାକୁ ପଡୁଛି ଏହି ଅଞ୍ଚଳରେ। ପଇସା ଦେଲେ ସୁଦ୍ଧା ଜଳ ମିଳୁ ନଥିବା କହିଛନ୍ତି ଏଠାରେ ରହୁଥିବା ପ୍ରବାସୀ ଓଡିଆ ମାନେ। କେବଳ ଆଇଟି କମ୍ପାନୀର ଅଞ୍ଚଳ ନୁହେଁ ବରଂ ସବୁ ସ୍ଥାନରେ ଜଳସଂକଟ ଦେଖାଯାଇଛି । ଲୋକମାନେ ଲାଇନ ଦେଇ ଟ୍ୟାଙ୍କରୁ ପାଣି ନେବାପାଇଁ ଅପେକ୍ଷା କରି ରହୁଛନ୍ତି । ଚଳିତ ବର୍ଷ ବର୍ଷାର ପରିମାଣ ସବୁଠାରୁ କମ୍ ହୋଇଥିବାରୁ ଏହି ସମସ୍ୟା ଦେଖିବାକୁ ମିଳୁଥିବା ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି। ଏହା ସହ ଅଧିକ ପରିମାଣରେ ଘର ନିର୍ମାଣ କାରଣରୁ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ମଧ୍ୟ ଜଳ ଠିକ ସମୟରେ ଯୋଗାଇ ଦିଆଯାଉନଥିବାର ଅଭିଯୋଗ ଆଣଛନ୍ତି ଏଠାରେ ରହୁଥିବା ପ୍ରବାସୀ ଓଡିଆ ମା ନେ ।