କାଲି ଦିଲ୍ଲୀରେ ନବୀନଙ୍କୁ ଭେଟିବେ ଧର୍ମେନ୍ଦ୍ର, ଓଡ଼ିଶାରେ ସେଲ୍‌ର ପ୍ରସ୍ତାବିତ ଦ୍ୱିତୀୟ ପ୍ରକଳ୍ପ ଉପରେ ହେବ ଆଲୋଚନା

ଭୁବନେଶ୍ବର : ନବୀନ ପଟ୍ଟନାୟକ ଲଗାତର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ । ସେପଟେ କେନ୍ଦ୍ରରେ ପୁଣି ଥରେ ମନ୍ତ୍ରୀ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥର ପେଟ୍ରୋଲିୟମ ସହ ମିଳିଛି ଇସ୍ପାତ ମନ୍ତ୍ରାଳୟ। ଇସ୍ପାତ, ରାଜ୍ୟର ଶିଳ୍ପ ବିକାଶ ଇଞ୍ଜିନର ପ୍ରମୁଖ ଅଂଶ। କାଲି ନବୀନ ପଟ୍ଟନାୟକଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା। ସାକ୍ଷାତ ସମୟରେ ସେଲ୍‌ର ପ୍ରସ୍ତାବିତ ଦ୍ୱିତୀୟ ଷ୍ଟିଲ ପ୍ରକଳ୍ପ ଉପରେ ଆଲୋଚନା ହେବ।

ଓଡ଼ିଶା ଦେଶରେ ଏକ ଷ୍ଟିଲ ହବ୍‌ରେ ପରିଣତ ହେବାକୁ ଯାଉଛି। ରାଜ୍ୟରେ ସେଲ୍‌ ଦ୍ୱିତୀୟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଚାହୁଁଛି। ୧୯୬୦ରୁ ରାଉରକେଲାରେ ପ୍ଲାଣ୍ଟ ରହିଛିି। ଏଥର ସମୁଦ୍ରକୂଳରେ ଏକ ଶିଳ୍ପ ପ୍ରତିଷ୍ଠା ପାଇଁ ଚାହୁଁଛି ସେଲ୍‌। ଓଡ଼ିଶା ଶିଳ୍ପ ବିଭାଗର ପ୍ରମୁଖ ସଚିବଙ୍କୁ ସେଲ୍‌ ଅନୁରୋଧ କରିଥିଲା। ସେଲ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କ ସୂଚନା ମୁତାବକ ସରକାର ବି ସକରାତ୍ମକ ଉତ୍ତର ଦେଇଛନ୍ତି। ନୂଆ ପ୍ରକଳ୍ପ ପାଇଁ ସେଲ୍‌ ୧୫ ହଜାର କୋଟି ଟଙ୍କାର ନିବେଶ କରିବ। ପ୍ରାଥମିକ ପର‌୍ୟ୍ୟାୟରେ ବାର୍ଷିକ ଉତ୍ପାଦନ ଲକ୍ଷ ରହିଛି ୩ ମିଲିଅନ ଟନ୍‌। ପରେ ଏହାକୁ ୬ ମିଲିଅନ ଟନ୍‌କୁ ସମ୍ପ୍ରସାରଣ କରାଯିବ। ବର୍ତ୍ତମାନ ସେଲର ବାର୍ଷିକ ଉତ୍ପାଦନ କ୍ଷମତା ୧୬.୩ ମିଲିଅନ ଟନ୍‌। ୨୦୩୦-୩୧ ସୁଦ୍ଧା ଏହାକୁ ୫୦ ମିଲିଅନ ଟନ୍‌ କରିବାକୁ ଚାହୁଁଛି ସେଲ୍‌। ସୂଚନା ମିଳିଛି, ସେଲ୍‌ ପାରାଦୀପ ନିକଟରେ ପୋସ୍କୋ ଛାଡିଥିବା ଜମିରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ଅଛି। ପୂର୍ବରୁ ପୋସ୍କୋ ଛାଡିଥିବା ଜମି ନିକଟରେ ଜେଏସ୍‌ଡବ୍ଲୁ ମଧ୍ୟ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରି ସାରିଛି। ପୋସ୍କୋ ପ୍ରାୟ ୨୭ଶହ ଏକର ଜାଗାରେ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ କରିଥିଲା। କିନ୍ତୁ ଏଥିରୁ ଓହରିଯାଇଥିଲା ପୋସ୍କୋ। ଏବେ ସେ ଜମି ସରକାରଙ୍କ ପାଖରେ ରହିଛି। ଏବେ ସେଲ୍‌ର ଷ୍ଟିଲ୍‌ ପ୍ରକଳ୍ପକୁ ନେଇ କଣ କରାଯାଇ ପାରେ, ତା ଉପରେ ନବୀନ-ଧର୍ମେନ୍ଦ୍ର ଆଲୋଚନା ହେବ।

ନିର୍ବାଚନ ପରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବାକୁ ନବୀନ ଦିଲ୍ଲୀ ଯାଇଥିବା ବେଳେ, ଏୟାରପୋର୍ଟ ନିକଟରେ ଧର୍ମେନ୍ଦ୍ର, ନବୀନଙ୍କୁ ଭେଟିଥିଲେ। ଏବେ ନବୀନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହାପରେ କାଲି ନବୀନଙ୍କୁ ସାକ୍ଷତ କରିବାକୁ ଆସିବେ ଧର୍ମେନ୍ଦ୍ର ପ୍ରଧାନ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ବି ଜୋର ଧରିଛି।

ନିର୍ବାଚନ ସମୟରେ ବିଜେଡି-ବିଜେପି ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଭଳି ସ୍ଥିତି ଲାଗି ରହିଥିଲା। ଡବଲ ଇଞ୍ଜିନ-ସିଙ୍ଗଲ ଇଞ୍ଜିନ କଥା ଉଠିଲା । କିନ୍ତୁ ନିର୍ବାଚନ ପରେ, ବିକାଶର ଇଞ୍ଜିନ ନେଇ ସମୀକରଣ ବଦଳୁଛି, ପରିସ୍ଥିତିରେ ପରିବର୍ତ୍ତନ ନଜରକୁ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.