ଚାଷୀ ଗଢ଼ିବେ ତାଙ୍କ ସ୍ୱପ୍ନର ଘର…! ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଋଣ ସୁବିଧା; ପରିଶୋଧ ପାଇଁ ପର୍ଯ୍ୟାପ୍ତ ସମୟ

ନୂଆ ବର୍ଷରେ ଚାଷୀଙ୍କ ପାଇଁ ଏକ ଖୁସି ଖବର। ଦେଶର ଅଗ୍ରଣୀ ସରକାରୀ ବ୍ୟାଙ୍କ ମଧ୍ୟରୁ ଏବେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚାଷୀଙ୍କ ପାଇଁ ଜବରଦସ୍ତ ସୁବିଧା ଆଣିଛି। ବ୍ୟାଙ୍କ ଚାଷୀମାନଙ୍କ ପାଇଁ ‘ଷ୍ଟାର କିସାନ ଘର’ ନାମକ ସ୍ୱତନ୍ତ୍ର ଋଣ ଯୋଜନା ଆଣିଛି। ଏହି ଯୋଜନା ଅଧୀନରେ ଚାଷୀମାନଙ୍କ ପାଇଁ ଘର ତିଆରିଠାରୁ ଆରମ୍ଭ କରି ଘର ମରାମତି ପର୍ଯ୍ୟନ୍ତ, ଏ ସବୁ ନିମନ୍ତେ ସ୍ୱଳ୍ପ ସୁଧ ହାରରେ ଋଣ ଉପଲବ୍ଧ ହେବ। ବ୍ୟାଙ୍କ ତରଫରୁ ଏହି ଋଣ ପରିଶୋଧ ପାଇଁ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ସମୟ ମଧ୍ୟ ଦିଆଯାଉଛି।
BOI ଗ୍ରାହକମାନଙ୍କୁ ମିଳିବ ଏହି ସୁବିଧା
ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକମାନଙ୍କୁ ଏହି ସ୍ୱତନ୍ତ୍ର ଯୋଜନାର ଲାଭ ମିଳିବ। ବାସ୍ତବରେ, BOI ତରଫରୁ ଏହି ଯୋଜନାର ପ୍ରାରମ୍ଭ କେବଳ BOI ଗ୍ରାହକମାନଙ୍କ ପାଇଁ ରହିଛି। ଆସନ୍ତୁ ଜାଣିବା ଏହି ଖାସ୍ ଯୋଜନାର ଫାଇଦା।
୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ ସୁବିଧା
ଏହି ସ୍ୱତନ୍ତ୍ର ଯୋଜନା ଅଧୀନରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜବରଦସ୍ତ ସୁବିଧା ଦେଉଛି। ଧ୍ୟାନ ରଖନ୍ତୁ ଯେ ଏହି ଯୋଜନାର ଫାଇଦା କେବଳ କିଛି ହିଁ ଚାଷୀ ଉଠାଇ ପାରିବେ। ଯେଉଁ ଚାଷୀମାନଙ୍କୁ ନିଜ ଚାଷଜମିରେ ଫାର୍ମ ହାଉସ୍ ନିର୍ମାଣ କରିବାକୁ ଅଛି କିମ୍ବା ନିଜ ଘରର ମରାମତି କିମ୍ବା ଏହାର ନବୀକରଣ କରିବାକୁ ଅଛି, ସେହି ଚାଷୀମାନେ ହିଁ ଏହାର ଲାଭ ଉଠାଇ ପାରିବେ। ଏବେ ଚାଷୀମାନଙ୍କ ପାଇଁ ତାଙ୍କ ସ୍ୱପ୍ନର ଘର ନିର୍ମାଣ କରିବା ଅତି ସହଜ ହୋଇ ଯାଇଛି। ଏଥିରେ ଚାଷୀମାନଙ୍କୁ ୮.୫ ପ୍ରତିଶତ ସୁଧ ହାରରେ ୧ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଏହାକୁ ପରିଶୋଧ କରିବା ପାଇଁ ୧୫ ବର୍ଷ ପର୍ଯ୍ୟନ୍ତ ସମୟ ଦିଆଯିବ।
ମରାମତି ପାଇଁ ମିଳିବ ୧୦ ଲକ୍ଷ ଟଙ୍କା
ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ଯୋଜନାର ଲାଭ କେବଳ କେସିସି ଆକାଉଣ୍ଟ ଥିବା ଚାଷୀମାନେ ଉଠାଇ ପାରିବେ। ଏହି ସ୍ୱତନ୍ତ୍ର ଯୋଜନା ଅଧୀନରେ ଚାଷୀଙ୍କୁ ନୂଆ ଫାର୍ମ ହାଉସ୍ କିମ୍ବା ଘର ନିର୍ମାଣ ପାଇଁ ୧ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଦିଆଯିବ। ଏହା ବ୍ୟତୀତ ବର୍ତ୍ତମାନର ଘର ମରାମତି କିମ୍ବା ନବୀକରଣ କାର୍ଯ୍ୟ କରେଇବା ପାଇଁ ଚାଷୀଙ୍କୁ ୧ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।
ITR ଦେବା ଆବଶ୍ୟକ ନାହିଁ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଏହି ଯୋଜନାରେ କୃଷକମାନଙ୍କୁ ଆଇଟି ରିଟର୍ଣ୍ଣ (IT Return) ଦେବାର କୌଣସି ଆବଶ୍ୟକ ପଡ଼ିବ ନାହିଁ। ବ୍ୟାଙ୍କ ଅଫ୍ ଇଣ୍ଡିଆର ‘ଷ୍ଟାର୍ କିସାନ ଘର’ ଋଣ ଯୋଜନା ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଆପଣ ନିକଟତମ BOI ଶାଖା ପରିଦର୍ଶନ କରି ପାରିବେ, ନଚେତ୍ ବ୍ୟାଙ୍କର ଟୋଲ୍ ଫ୍ରି ନମ୍ବର 1800 103 1906 ସହିତ ଯୋଗାଯୋଗ କରି ପାରିବେ।