ଡିଜିଟାଲ ପେମେଣ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ, ବ୍ୟାଙ୍କ କାଟି ନେବ ଟଙ୍କା

କରୋନା ସଂକ୍ରମଣରୁ ମୁକ୍ତି ପାଇବାକୁ ଲୋକମାନେ ଏବେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି। ଯଦି ଆପଣ ମାସକୁ ୨୦ରୁ ଅଧିକ ଥର ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ମାଧ୍ୟମରେ ଟଙ୍କା ପୈଠ କରୁଥାନ୍ତି ତେବେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ। ଏହାର ଆରମ୍ଭ ପ୍ରାୟ ସମସ୍ତ ପ୍ରାଇଭେଟ୍‌ ବ୍ୟାଙ୍କ କରିସାରିଲେଣି ଓ ୨.୫ରୁ ୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି। ତେବେ ସରକାର ସ୍ପଷ୍ଟ ଭାବେ କହିଥିଲେ ଯେ ୟୁପିଆଇ ମାଧ୍ୟମରେ ପେମେଣ୍ଟ ନିଃଶୁଳ୍କ ହୋଇଥାଏ, ମାତ୍ର ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଅଯଥା ନେଣଦେଣ ରୋକିବା ପାଇଁ ଅତିରିକ୍ତ ଚାର୍ଜ କରିବା ଆବଶ୍ୟକ। ଏହା ଦ୍ୱାରା ଲୋକମାନେ ଅଯଥା ନେଣଦେଣରୁ ବିରତ ରହିବେ।

pay

ଏକ ରିପୋର୍ଟ ମୁତାବକ ବ୍ୟାଙ୍କ ନିଜ ହିସାବରେ ନିୟମ ତିଆରି କରୁଛି। ବର୍ତ୍ତମାନ ମହାମାରୀ ସମୟରେ ଲୋକମାନେ ଅନ୍‌ଲାଇନ୍‌ ପେମେଣ୍ଟକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରାଇଭେଟ୍‌ ବ୍ୟାଙ୍କଗୁଡ଼ିକ ମନଇଚ୍ଛା ଏଥିରେ ଶୁଳ୍କ ଆଦାୟ କରୁଛନ୍ତି। ପୂର୍ବ ତୁଳନାରେ ଏବେ ଅନ୍‌ଲାଇନ୍‌ ପେମେଣ୍ଟ ୮ ପ୍ରତିଶତ ବଢ଼ିଛି। ଏପ୍ରିଲ ମାସରେ ଏହା ମାଧ୍ୟମରେ ୮୦ କୋଟି ଟଙ୍କା ନେଣଦେଣ ହୋଇଥିବା ବେଳେ ଅଗଷ୍ଟରେ ଏହା ୧୬୦ କୋଟି ଛୁଇଁଛି।

ଗୁଗଲ ପେ, ଫୋନ୍‌ ପେ ଓ ପେଟିଏମ୍‌ ଭଳି କମ୍ପାନୀ ୟୁଜର୍ସଙ୍କୁ ପୁରସ୍କାର ଦେଉଥିବାରୁ ଲୋକମାନେ ଅନ୍‌ଲାଇନ୍‌ ପେମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ମାତ୍ର କିଛି ଲୋକ ପୁରସ୍କାର ଟଙ୍କା ପାଇବାକୁ ନିଜ ନିଜ ଭିତରେ ଟଙ୍କା ଆଦାନପ୍ରଦାନ କରୁଛନ୍ତି। ଫଳରେ ସିଷ୍ଟମ୍‌ ଉପରେ ଲୋଡ୍‌ ବଢ଼ୁଛି। ଏହାକୁ ରୋକିବାକୁ ପ୍ରାଇଭେଟ୍‌ ବ୍ୟାଙ୍କ ଶୁଳ୍କ ଲଗାଇବାକୁ ଯୋଜନା କରୁଛନ୍ତି।

You might also like