ଘର କିଣିବାକୁ ଚାହୁଁଛନ୍ତି କି! ଦୀପାବଳିରେ ସବୁଠୁ ଶସ୍ତା ହୋମ୍‌ ଲୋନ୍‌ ଅଫର କରୁଛି ଏହି ସରକାରୀ ବ୍ୟାଙ୍କ

ଦୀପାବଳି ବେଳେ ହୋମ୍‌ ଲୋନ୍‌ ନେବାକୁ ଚିନ୍ତା କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଦୀପାବଳି ଅବସରରେ ଗୃହ ଋଣରେ ଆକର୍ଷଣୀୟ ଛାଡ଼ କରାଯାଇଛି। ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଗୃହ ଋଣ ଉପରେ ସୁଧହାରକୁ କମାଇ ୬.୪୦ ପ୍ରତିଶତ କରିଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ଶସ୍ତାରେ ହୋମ୍‌ ଲୋନ୍‌ ଆଉ କୌଣସି ବ୍ୟାଙ୍କ ଅଫର କରୁନାହାନ୍ତି।

ଏହି ନୂଆ ଦର ୨୭ ଅକ୍ଟୋବର ବା ବୁଧବାରଠାରୁ ଲାଗୁ ହୋଇଛି। ପୂର୍ବରୁ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ହୋମ୍‌ ଲୋନ୍‌ରେ ସୁଧହାର ୬.୮୦% ଥିଲା। ଏବେ ଏହା କମି ୬.୪୦% ହୋଇଯାଇଛି। ଏହି ଦର ଆଜିଠାରୁ ଲାଗୁ ହେବା ଆରମ୍ଭ ହୋଇଛି।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ପାର୍ବଣ ବେଳେ ଏହି ସୁଧହାର କମିବା ଦ୍ୱାରା ଗ୍ରାହକମାନେ ନିଶ୍ଚିତ ଭାବେ ଲାଭବାନ୍‌ ହେବେ। କାରଣ ଏବେ ଲୋକମାନେ ଘର କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ କହିଛି, ନୂଆ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକଙ୍କ ବ୍ୟତୀତ ବର୍ତ୍ତମାନ ନିଜର ଚାଲୁଥିବା ଲୋନ୍‌କୁ ଟ୍ରାନ୍ସଫର କରୁଥିବା ଉପଭୋକ୍ତାଙ୍କୁ ମଧ୍ୟ ଏହା ଲାଭ ମିଳିବ।

ଅନ୍ୟପଟେ ୟୁନିୟନ୍‌ ବ୍ୟାଙ୍କ ପକ୍ଷରୁ ସୁଧ ହାରକୁ ଏତେ ପରିମାଣରେ କମାଇବା ପରେ ଏବେ ଅନ୍ୟ ବ୍ୟାଙ୍କମାନେ ଚିନ୍ତାରେ ପଡ଼ିଛନ୍ତି। କାରଣ ଏତେ କମ୍‌ ସୁଧହାରରେ କେହି ବି ହୋମ୍‌ ଲୋନ୍‌ ଅଫର କରୁନାହାନ୍ତି। ଫଳରେ ବଡ଼ ବଡ଼ ବ୍ୟାଙ୍କଙ୍କୁ ଚ୍ୟାଲେଞ୍ଜ କରିବାରେ ସଫଳ ହୋଇଛି ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ଏହା ପୂର୍ବରୁ ବ୍ୟାଙ୍କ ଅଫ୍‌ ବରୋଦା, କୋଟାକ୍‌ ମହିନ୍ଦ୍ରା ଓ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଫେଷ୍ଟିଭ୍‌ ଅଫର ଭାବେ ୬.୫୦ ପ୍ରତିଶତ ସୁଧହାରରେ ହୋମ୍‌ ଲୋନ୍‌ ଦେଉଥିଲେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ବ୍ୟାଙ୍କ ଅଫ୍‌ ବରୋଦା ପ୍ରମୁଖ ମଧ୍ୟ ହୋମ୍‌ ଲୋନ୍‌ର ସୁଧର ହାରରେ ଭଲ ଡିସ୍‌କାଉଣ୍ଟ ଦେଉଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ହୋମ୍‌ ଲୋନ୍‌ର ସୁଧର ହାର କମାଇ ୬.୬୦ ପ୍ରତିଶତ କରିଦେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.