Below header

ନୀଳାଚଳ ଇସ୍ପାତ ନିଗମ ପାଇବ ନୂଆ ଜୀବନ, ପୁଞ୍ଜି ପ୍ରତ୍ୟାହାର କରିବେ ସରକାରୀ ଉଦ୍ୟୋଗ

କେନ୍ୟୁଜ୍(ବ୍ୟୁରୋ): ମିଳିଲା ଗ୍ରୀନ୍‌ ସିଗନାଲ୍‌ । ରୁଗଣ ଅବସ୍ଥାରେ ଥିବା ଯାଜପୁର କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ ନିଗମ ପାଇବ ନୂଆ ଜୀବନ । ପୁଞ୍ଜି ପ୍ରତ୍ୟାହାର କରିବେ କେନ୍ଦ୍ର ସରକାରୀ ଉଦ୍ୟୋଗ । ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ନୀଳାଚଳ ଇସ୍ପାତରେ ପୁଞ୍ଜି ଖଟାଇଥିଲେ MMTC, NMDC, MECON, BHEL ଭଳି ସରକାରୀ ଉଦ୍ୟୋଗ । ଏଥିରେ ଓଡ଼ିଶା ସରକାରଙ୍କ ଓଏମ୍‌ସି ଓ ଇପିକଲ୍‌ର ବି ଅଂଶଧନ ରହିଛି । ତେବେ କେତେ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ନୂଆ ନିଲାମୀ ଜରିଆରେ ନୂଆ ଅଂଶୀଦାର ସାମିଲ ହେବେ ।

କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ ଲିମିଟେଡ୍‌ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଦେଶର ପ୍ରମୁଖ ପିଗ୍‌ ଆଇରନ୍‌ ଉତ୍ପାଦନକାରୀ ଏହି କମ୍ପାନୀ ବ୍ୟାପକ କ୍ଷତିରେ ଚାଲୁଛି । ଏଥିରେ MMTCର ସର୍ବାଧିକ ୪୯ ଦଶମିକ ୭୮ପ୍ରତିଶତ ସେୟାର ରହିଥିବା ବେଳେ NMDCର ୧୦ ଦଶମିକ ୧୦, ମେକନ ଓ ଭେଲ୍‌ର ଦଶମିକ ୬୮ ପ୍ରତିଶତ ଅଂଶଧନ । ସେହିପରି ଓଏମ୍‌ସିର ୨୦ ଦଶମିକ ୪୭ ପ୍ରତିଶତ ସେୟାର ଥିବା ବେଳେ ଇପିକଲ୍‌ର ଅଛି ୧୨ ପ୍ରତିଶତ ସେୟାର । ୨୦୧୨ରୁ କ୍ରମାଗତ ଭାବରେ ନୀଳାଚଳ ଇସ୍ପାତ କ୍ଷତିରେ ଚାଲୁଛି । ଅର୍ଥ ଅଭାବରୁ କମ୍ପାନୀର କିଛି ୟୁନିଟ୍‌ ବି ବନ୍ଦ ହୋଇଛି ।

ଆର୍ଥିକ ରୁଗଣ ନୀଳଚଳ ଇସ୍ପାତର ସ୍ଥିତିରେ ସୁଧାର ଆଣିବା ପାଇଁ ୨୦୧୭, ଜୁଲାଇ ମାସରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇକ୍ୱିଟି ସପୋର୍ଟ ବୃଦ୍ଧି ପାଇଁ ମିନେରାଲ୍ସ ଟ୍ରେଡିଂ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ବା MMTCକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରିଛିଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ନୀଳଚଳ ଇସ୍ପାତରେ ୩ ହଜାର ୫ଶହ କର୍ମଚାରୀ କାମ କରୁଛନ୍ତି । ଦରମା ଦେଇ ପାରୁ ନଥିବାରୁ ବିଭିନ୍ନ ସମୟରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଏବେ ପୁଞ୍ଜି ପ୍ରତ୍ୟାହାର ପରେ ନୀଳାଚଳ ଇସ୍ପାତର ରୂପ ବଦଳିବ ଓ ରୋଜଗାର ବଢ଼ିବ ବୋଲି ଆଶା ସଞ୍ଚାର ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.