ଭାରତ ଛାଡ଼ିବ Harley-Davidson କମ୍ପାନୀ, ଖରାପ ପ୍ରଦର୍ଶନ ଯୋଗୁଁ ଏଭଳି ନିଷ୍ପତ୍ତି ନେଲା କମ୍ପାନୀ

Harley-Davidson ବାଇକ୍କୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖରାପ ଖବର। ଭାରତରେ ଆମେରିକା କମ୍ପାନୀ ହାର୍ଲି ଡେଭିଡସନ ନିଜର ପ୍ରଡକ୍ସନ ବନ୍ଦ କରିବାକୁ ଯାଉଛି। କରୋନା ମହାମାରୀର ପ୍ରଭାବ ଅଟୋମୋବାଇଲ ଶିଳ୍ପକୁ ବହୁ ପୂର୍ବରୁ ପ୍ରଭାବିତ କରିସାରିଛି।
ଗତ ଅଗଷ୍ଟରୁ ଏ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଖବରର ସତ୍ୟାସତ୍ୟ ସାମ୍ନାକୁ ଆସିଛି। ବିଶ୍ବରେ କମ୍ପାନୀ ଏହାର ପୁନର୍ଗଠନ ଯୋଜନା ‘ରିଓୟାର’ ଅଧୀନରେ ଏହି କାର୍ଯ୍ୟ ସମ୍ପାଦନ କରିବ ବୋଲି ଗୁରୁବାର ଘୋଷଣା କରିଛି। ଏହି ନିଷ୍ପତ୍ତି ଦ୍ବାରା କମ୍ପାନୀର ପ୍ରାୟ ୭୦ ଜଣ କର୍ମଚାରୀ ଛଟେଇ ହେବେ। ଭାରତରେ ବିକ୍ରି ସଂଖ୍ୟା କମ୍ ରହିବା ସହିତ ଆଗାମୀ ଦିନରେ ଚାହିଦାରେ ଉନ୍ନତି ନଆସିବା ଆଶଙ୍କା କାରଣରୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।
ଗତ ବର୍ଷ କମ୍ପାନୀ ଭାରତରେ ୨୫୦୦ଟିରୁ କମ୍ ଗାଡ଼ି ବିକ୍ରି କରିଛି। ଫଳରେ ଆମେରିକା ବାହାରେ କମ୍ପାନୀର ସବୁଠୁ ଖରାପ ପ୍ରଦର୍ଶନ କରିଥିବା ବଜାର ଭିତରେ ଭାରତ ରହିଛି। ଭାରତରେ କମ୍ପାନୀ ହରିୟାଣାର ବାୱାଲଠାରେ ଏହାର ବାଇକ୍ଗୁଡ଼ିକର ଆସେମ୍ବ୍ଲି କରିଥାଏ।
ତେବେ ଭାରତରେ କମ୍ପାନୀ ବିକ୍ରି କରୁଥିବା ମୋଟ ବାଇକ୍ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବାଇକ୍ ୭୫୦ ସିସିରୁ କମ୍ ଇଞ୍ଜିନ କ୍ଷମତା ବିଶିଷ୍ଟ। ଗତ ୩ରୁ ୪ ବର୍ଷ ଭିତରେ ଜେନେରାଲ ମୋଟର୍ସ, ଫିଆଟ, ସାଙ୍ଗୟଙ୍ଗ, ସ୍କାନିଆ, ମ୍ୟାନ୍, ୟୁଏମ୍ ମୋଟର ସାଇକଲ ଭଳି ବ୍ରାଣ୍ଡ୍ ଭାରତ ଛାଡ଼ିଥିବାବେଳେ ଏବେ ଏହି ତାଲିକାରେ ହାର୍ଲି-ଡେଭିଡ୍ସନ୍ ସାମିଲ ହୋଇଛି। ଗତ ଏପ୍ରିଲ ରୁ ଜୁନ୍ ମଧ୍ୟରେ କମ୍ପାନୀ କେବଳ ୧୦୦ଟି ବାଇକ୍ ବିକ୍ରି କରିଛି। ଗତ ୧୦ ବର୍ଷ ମଧ୍ୟରେ ଭାରତର ନିଜକୁ ସ୍ଥାପିତ କରିପାରିଲା ନାହିଁ କମ୍ପାନୀ। ତେଣୁ ଭାରତ ଛାଡିବାକୁ ନିଷ୍ପତ୍ତି ନେଇଛି।