ନୂଆଦିଲ୍ଲୀ : ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଧନ-ଜନ ଆକାଉଣ୍ଟ ଖୋଲାଯାଇଛି । ଏହାଦ୍ୱାରା ଆକାଉଣ୍ଟଧାରୀଙ୍କ ଖାତାରେ ସିଧା ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାର ଟଙ୍କା ପହଞ୍ଚିପାରିବ । ହେଲେ ଆପଣ ଜାଣିଛନ୍ତି କି ଏଥିରେ ଆଉ କ’ଣ ସୁବିଧା ରହିଛି । ଏଥିରେ ଆପଣଙ୍କୁ ଏକ ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ମିଳିପାରିବ । ଯାହାଫଳରେ ଖାତାଧାରୀ ଅତି ଜରୁରୀ ସମୟରେ ଆକାଉଣ୍ଟରେ ଟଙ୍କା ନଥିଲେ ମଧ୍ୟ ୧୦ ହଜାର ଟଙ୍କା ଉଠାଇ ପାରିବେ । ତେବେ ଏହି ସୁବିଧା କିପରି ନେଇ ପାରିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ଓଭରଡ୍ରାଫ୍ଟ ଫେସିଲିଟି କ’ଣ :
ଏହି ସୁବିଧା ଯୋଗୁ ଆପଣ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଠାରୁ ଅଧିକ ଉଠାଇପାରିବେ । ଆପଣ ଯେତିକି ଅଧିକ ଅର୍ଥ ନେବେ ତାକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫେରାଇବାକୁ ହେବ । ଏହାକୁ ଆପଣ ଦୈନିକ କିମ୍ବା ମାସିକ କିସ୍ତିରେ ଫେରାଇ ପାରିବେ । ତେବେ ଏହା ଭିନ୍ନ ଭିନ୍ନ ବ୍ୟାଙ୍କର ପଲିସି ଉପରେ ନିର୍ଭର କରେ ।
ଭଲ ରେକର୍ଡ ଥିବା ଖାତାଧାରୀଙ୍କୁ ମିଳିବ ସୁବିଧା :
ଓଭରଡ୍ରାଫ୍ଟ ସୁବିଧା ଭଲ ରେକର୍ଡ ଥିବା ଖାତାଧାରୀଙ୍କୁ ମିଳିବ । ଯଦି ଆପଣଙ୍କ ସବୁ ରେକର୍ଡ ଭଲ ଅଛି ତେବେ ଆପଣଙ୍କୁ ଏହି ସେବାର ଲାଭ ମିଳିବ । ଓଭରଡ୍ରାପ୍ଟ ସୁବିଧା ପାଇଁ ଅଧିକତମ ବୟସ ସୀମା ୬୫ ବର୍ଷ ରହିଛି । ପୂର୍ବରୁ ଏହି ସୁବିଧାରେ ୫ ହଜାର ଟଙ୍କା ମିଳୁଥିଲା ଏବେ ଏହାକୁ ବଢ଼ାଇ ୧୦ ହଜାର ଟଙ୍କା କରାଯାଇଛି ।