ପୁରୁଣା ଗାଡ଼ିର ପୁଣି ରେଜିଷ୍ଟ୍ରେସନ୍ ପାଇଁ ଦେବାକୁ ପଡ଼ିବ ୨୫ ଗୁଣ ଅଧିକ ଟଙ୍କା! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ପ୍ଲାନ୍
ନୂଆଦିଲ୍ଲୀ: ଲୋକମାନେ ବର୍ତ୍ତମାନ ନୂଆ ମୋଟରଯାନ ଆକ୍ଟ ଏବଂ ଟ୍ରାଫିକ୍ ନିୟମକୁ ନେଇ ଚିନ୍ତାରେ ଥିବା ବେଳେ ସରକାର ପୁଣି ଏକ ନୂଆ ନିୟମ ଆଣିବାକୁ ଯୋଜନା ଚଳାଇଛନ୍ତି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ରାସ୍ତାଠାରୁ ଦୂରେଇ ରଖିବାକୁ ପଞ୍ଜିକରଣର ନବୀକରଣ ଶୁଳ୍କକୁ ବହୁ ଗୁଣ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି।
ଏହାସହ ପଢନ୍ତୁ: କମ୍ ସୁଧରେ ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଥିଲେ, ଏହିସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ
ରିପୋର୍ଟ ମୁତାବକ, ଏହି ବର୍ଦ୍ଧିତ ଶୁଳ୍କ ୨୦୨୦ ଜୁଲାଇ ମାସରୁ ଲାଗୁ କରାଯିବ। ମନ୍ତ୍ରଣାଳୟର ଏହି ନୂଆ ନିଷ୍ପତ୍ତିକୁ ସାର୍ବଜନୀନ କରାଯାଇନାହିଁ। ମାତ୍ର ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳଙ୍କ ନିକଟକୁ ଏହି ପ୍ରସ୍ତାବ ସ୍ୱୀକୃତି ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ଏହି ନୂଆ ନିୟମ ଲାଗୁ କରିବା ପଛରେ ସରକାରଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ପ୍ରଦୂଷଣ ବଢ଼ାଉଥିବା ଗାଡ଼ିକୁ ରୋକିବା।
ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ ନୀତିରେ ଦିଆଯାଇଥିବା ସୂଚନାନୁସାରେ, ପୁରୁଣା ବ୍ୟକ୍ତିଗତ ଗାଡ଼ିର ରେଜିଷ୍ଟ୍ରେସନ୍ର ନବୀକରଣ ପାଇଁ ୨୫ ଗୁଣ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ବର୍ତ୍ତମାନ ଏଥିପାଇଁ ୬୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ନୂଆ ନିୟମ ଆସିବା ପରେ ୧୫ ହଜାର ଟଙ୍କା ଗଣିବାକୁ ପଡ଼ିବ। ସେହିଭଳି ବ୍ୟାବସାୟିକ ଉଦ୍ଦେଶ୍ୟରେ ଚାଲିଥିବା ଚାରିଚକିଆ ଗାଡ଼ିର ନବୀକରଣ ପାଇଁ ବର୍ତ୍ତମାନ ୧୦୦୦ ଟଙ୍କା ଲାଗୁଥିବା ବେଳେ ନୂଆ ନିୟମ ପରେ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ିର ପୁନଃ ରେଜିଷ୍ଟ୍ରେସନ୍ କରାଯିବ ନାହିଁ ବୋଲି ସୂଚନା ମିଳିଛି।