ଜାନୁଆରୀରୁ ୧୦ ପ୍ରତିଶତ ବଢ଼ିବ ଟିଭି, ଫ୍ରିଜ୍‌, ଓ୍ଵାଶିଂମେସିନ୍‌ ସମେତ ଅନ୍ୟ ଘରୋଇ ସାମଗ୍ରୀ ଦାମ୍‌, ଉତ୍ପାଦନକାରୀ କମ୍ପାନୀ ଦେଲା ସୂଚନା

ତମ୍ବା, ଆଲୁମିନିୟମ୍‌ ଓ ଇସ୍ପାତ କଞ୍ଚାମାଲର ଆମଦାନି ଓ ପରିବହନ ଭଡ଼ା ମହଙ୍ଗା ହୋଇଥିବାରୁ ଏଲ୍‌ଇଡି ଟିଭି, ରେଫ୍ରିଜିରେଟର, ଓ୍ଵାଶିଂ ମେସିନ୍‌ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌ ଆସନ୍ତା ବର୍ଷ ଜାନୁଆରୀରୁ ୧୦ ପ୍ରତିଶତ ବଢ଼ିପାରେ। ଏନେଇ ଉତ୍ପାଦନକାରୀ ସଂସ୍ଥାମାନେ ସୂଚନା ଦେଇଛନ୍ତି। ନିର୍ମାଣକାରୀ ସଂସ୍ଥା କହିଛି ସପ୍ଲାଏ କମିଥିବାରୁ ଓପନ୍‌ ସେଲ ମଧ୍ୟ ଦୁଇଗୁଣ ଅଧିକ ବଢ଼ିଛି। ଅଶୋଧିତ ତୈଳର ମୂଲ୍ୟ ବଢ଼ିବା ସହ ପ୍ଲାଷ୍ଟିକ୍‌ ମଧ୍ୟ ମହଙ୍ଗା ହୋଇଛି। ତେଣୁ ସେମାନେ ବାଧ୍ୟ ହୋଇ ପ୍ରଡକ୍ଟର ଦାମ୍‌ ବଢ଼ାଉଛନ୍ତି।

ଏଲ୍‌ଜି, ପାନାସୋନିକ ଓ ଥମସନ୍‌ ଭଳି କମ୍ପାନୀ ଜାନୁଆରୀରେ ନିଜ ଉତ୍ପାଦିତ ସାମଗ୍ରୀର ଦାମ୍‌ ବଢ଼ାଇବାକୁ ଘୋଷଣା କରିଥିବା ବେଳେ ସୋନି ଏବେ ସ୍ଥିତି ସମୀକ୍ଷା କରୁଛି। ସେ ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ଜଣାଇବ। ପାନାସୋନିକ ଇଣ୍ଡିଆର ଅଧ୍ୟକ୍ଷ ଓ ସିଇଓ ମନୀଷ ଶର୍ମା କହିଛନ୍ତି, ନିକଟ ଭବିଷ୍ୟତରେ କଞ୍ଚାମାଲର ଦାମ୍‌ ବୃଦ୍ଧି ପାଇଥିବାରୁ ଆମ ସାମଗ୍ରୀର ମୂଲ୍ୟ ଜାନୁଆରୀରେ ୬-୭ ପ୍ରତିଶତ ଯାଏଁ ବଢ଼ିବ। ବିତ୍ତବର୍ଷର ପ୍ରଥମ ତିନି ମାସରେ ଏହା ୧୦-୧୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।

ସେହିପରି ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ମଧ୍ୟ ଆସନ୍ତାବର୍ଷ ନିଜ ପ୍ରଡକ୍ଟର ମୂଲ୍ୟ ୭ରୁ ୮ ପ୍ରତିଶତ ବଢ଼ାଇବ ବୋଲି ସଂସ୍ଥାର ଉପାଧ୍ୟକ୍ଷ ବିଜୟ ବାବୁ କହିଛନ୍ତି। କଞ୍ଚାମାଲର ମୂଲ୍ୟ ବଢ଼ୁଥିବାରୁ ସେମାନେ ପ୍ରଡକ୍ଟର ଦାମ୍‌ ବଢ଼ାଇଥିବା କହିଛନ୍ତି। ତେବେ ଏଭଳି ସମସ୍ତ ଘରୋଇ ସାମଗ୍ରୀର ମୂଲ୍ୟ ବଢ଼ିଲେ ଗ୍ରାହକଙ୍କ ଉପରେ ବୋଝ ବଢ଼ିବ ବୋଲି ଅର୍ଥନୀତିଜ୍ଞ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.