କାନ୍ଧରେ ହେଉଥିଲା ଯନ୍ତ୍ରଣା, ମାତ୍ର ୯ ହଜାର ଟଙ୍କାରେ ଗାଡ଼ିକୁ କଲେ ଅଟୋମ୍ୟାଟିକ୍‌

ବେଙ୍ଗାଲୁରୁର ପାର୍ଥ ପରମାର ନାମକ ଜଣେ ବ୍ୟକ୍ତି ମାରଥହଲୀରୁ ଏଚଏସଆର୍‌ ଲେଆଉଟ୍ ପର୍ଯ୍ୟନ୍ତ ଗାଡ଼ି ବୁକ୍ କରିଥିଲେ ଏବଂ ଗାଡ଼ିର ଟେକନିକ୍‌ ଦେଖି ତାଜୁବ ହୋଇଥିଲେ । ସେ ଦୁରାଇର ଏକ ଭିଡିଓ କରିଥିଲେ ଏବଂ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଜଣେ ଉବର ଡ୍ରାଇଭରଙ୍କ ଆଶ୍ଚର୍ଯ୍ୟଜନକ କାରନାମା ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ସେ ନିଜ ଗାଡ଼ିରେ ଏମିତି କିଛି ଚେଞ୍ଜ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଭାରତରେ ପ୍ରତିଭାର ଅଭାବ ନାହିଁ । ଭାଇରାଲ ହୋଇଥିବା ଭିଡିଓକୁ ଦେଖିଲେ ଆପଣ ବି ଏ କଥା କୁ ବିଶ୍ୱାସ କରିବେ । ଦୁରାଇ ନାମକ ଜଣେ ଉବର ଡ୍ରାଇଭରଙ୍କୁ ଗିଅର ବଦଳାଇବା ସମୟରେ କାନ୍ଧରେ ଯନ୍ତ୍ରଣା ହେଉଥିବାରୁ ସେ ନିଜ କାରର ଡ୍ୟାସବୋର୍ଡରେ ଏକ ଅଟୋମ୍ୟାଟିକ୍‌ ପ୍ୟାଡଲ୍ ସିଫ୍ଟର୍ ତିଆରି କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କାମ ପାଇଁ ତାଙ୍କୁ ମାତ୍ର ୯ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ଏଭଳି ଟେକନିକ୍‌ ଦେଖିବା ପରେ ଜଣେ ଯାତ୍ରୀ ଏହାର ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପାର୍ଥ ପରମାର ନାମକ ଜଣେ ଟ୍ଵିଟର ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି ।

ବେଙ୍ଗାଲୁରୁର ପାର୍ଥ ପରମାର ନାମକ ଜଣେ ବ୍ୟକ୍ତି ମାରଥହଲୀରୁ ଏଚଏସଆର୍‌ ଲେଆଉଟ୍ ପର୍ଯ୍ୟନ୍ତ ଗାଡ଼ି ବୁକ୍ କରିଥିଲେ ଏବଂ ଗାଡ଼ିର ଟେକନିକ୍‌ ଦେଖି ତାଜୁବ ହୋଇଥିଲେ । ସେ ଦୁରାଇର ଏକ ଭିଡିଓ କରିଥିଲେ ଏବଂ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓ ସେୟାର କରିବା ସହିତ ପାର୍ଥ ପୋଷ୍ଟରେ ଲେଖିଛନ୍ତି, ଏହି ଉବର ଡ୍ରାଇଭର କାନ୍ଧ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଗାଡ଼ିରେ ଥିବା ଗିଅରକୁ ବଦଳାଇଛନ୍ତି ଏବଂ ନିଜେ ହିଁ କାରର ଡ୍ୟାସବୋର୍ଡରେ ଏକ ଅଟୋମ୍ୟାଟିକ ପ୍ୟାଡଲ ସିଫ୍ଟର ତିଆରି କରିଛନ୍ତି । ଏଥିପାଇଁ ତାଙ୍କୁ ମାତ୍ର ୯ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ।

ପାର୍ଥ ଘରକୁ ଫେରିବା ପାଇଁ ଏକ ଉବର ବୁକିଂ କରିଥିଲେ । ଯେତେବେଳେ ଉବର ଡ୍ରାଇଭର ପାର୍ଥଙ୍କୁ ନେବାକୁ ଆସିଥିଲେ ସେ ଗାଡ଼ିର ଡିଜାଇନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଭିଡିଓ କରିବାକୁ ଲାଗିଥିଲେ । ଭିଡିଓରେ ଦେଖାଯାଇଛି ଯେ ଏହି ଗିଅରଟି ଅଟୋମ୍ୟାଟିକ୍‌ ବଦଳୁଥିଲା । ପାର୍ଥ ଉବର ଡ୍ରାଇଭରଙ୍କୁ ଗାଡ଼ି ମୋଡିଫାଏ କରିଛନ୍ତି କି ପଚାରିଥିଲେ । ତେବେ ଉବର ଡ୍ରାଇଭର ଦୁରାଇ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ସେ ଗିଅର ବଦଳାଇବା ସମୟରେ ତାଙ୍କ କାନ୍ଧରେ ବହୁତ ଯନ୍ତ୍ରଣା ହେଉଥିଲା ତେଣୁ ସେ ଏକ ଉପାୟ ଆପଣାଇଥିଲେ । ସେ ଓ ତାଙ୍କ ବନ୍ଧୁ ମିଶି ଗାଡ଼ିରେ ଏହି ପରିବର୍ତ୍ତନ କରିଛନ୍ତି ।

ଦୁରାଇ କହିଛନ୍ତି ଯେ ବେଙ୍ଗାଲୁରୁର ତାଙ୍କର ଅନେକ ବନ୍ଧୁ ସମାନ ପ୍ୟାଡଲ୍ ସିଫ୍ଟର୍ ତିଆରି କରିବାକୁ ଅନୁରୋଧ କରିଛନ୍ତି, କିନ୍ତୁ ସେ ଏହାକୁ ଉନ୍ନତ କରିବାରେ ବ୍ୟସ୍ତ ଥିବାରୁ ଡିଜାଇନକୁ ନେଇ କିଛି କହିନଥିଲେ । ଦୁରାଇ ଏହି ଡିଜାଇନକୁ ନେଇ ଅଧିକ ପରୀକ୍ଷା କରୁଛନ୍ତି । ବେଳେବେଳେ ଏହା ରାସ୍ତା ମଝିରେ ଖରାପ ହୋଇଯାଏ, ତେଣୁ ଏହାକୁ ଆହୁରି ଉନ୍ନତ କରିବାକୁ ପଡିବ। ଦୁରାଇଙ୍କ ଏହି ଆଇଡିଆ ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି । ଯଦି ତାଙ୍କୁ ସାହାଯ୍ୟ ମିଳନ୍ତା ସେ ହୁଏତ ଏହାକୁ ଭଲ ଡିଜାଇନରେ ପ୍ରସ୍ତୁତ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.