ରେଳ ବଜେଟ୍ରେ ଓଡ଼ିଶାକୁ ଝଟ୍କା, ଗତ ବର୍ଷ ତୁଳନାରେ ଓଡିଶାକୁ କମ ଅନୁଦାନ ଦେଲା କେନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ): ଏଥର ରେଳ ବଜେଟ୍ରେ ଓଡ଼ିଶାକୁ ଝଟ୍କା ଲାଗିଛି। ୧୬୨୦ କୋଟି ଟଙ୍କାର ଝଟ୍କା ଲାଗିଛି। ରେଳ ବଜେଟ୍ରେ ଏଥର ଓଡ଼ିଶା ପାଇଁ ୪ ହଜାର ୩୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୧୬୨୦ କୋଟି ଟଙ୍କା କମ୍। ଗତ ଆର୍ଥିକ ବର୍ଷରେ ୫୯୯୩ କୋଟି ଟଙ୍କା ମିଳିଥିଲା। ଅର୍ଥାତ ଚଳିତ ବର୍ଷ ବହୁ ପରିମାଣରେ ଅନୁଦାନ କମିଛି। ଏଥର ବଜେଟ୍ରେ ଓଡ଼ିଶା ପାଇଁ ନୂଆ ରେଳଲାଇନ ପ୍ରସ୍ତାବ ଆସିଛି। ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଦେଇ ନୂଆ ରେଳଲାଇନ୍ର ଘୋଷଣା ହୋଇଛି। ୨୪୧ କିଲୋମିଟର ଲମ୍ବା ଏହି ରେଳ ଲାଇନ ପାଇଁ ଖର୍ଚ୍ଚ ଅଟକଳ ରହିଛି ୨ ହଜାର ୯୫୭ କୋଟି ଟଙ୍କା। ବହୁ ଦିନ ହେବ କନ୍ଧମାଳ ଜିଲ୍ଲାକୁ ରେଳଲାଇନ ପାଇଁ ଦାବି ହୋଇ ଆସୁଥିଲା। ଏବେ ତାହା ପୂରଣ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରକଳ୍ପକୁ ନୀତି ଆୟୋଗ ଅନୁମତିକୁ ଅପେକ୍ଷା କରାଯାଇଛି।
ଓଡ଼ିଶାରେ ରେଳବାଇ ବିଦ୍ୟୁତ୍କରଣ ପାଇଁ ଏଥର ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା। କଳାହାଣ୍ଡିରେ ଇଲେକ୍ଟ୍ରିକ୍ ଇଞ୍ଜିନ ଓଭରହାଉଲିଂ ୱାର୍କସପ୍ ପାଇଁ ମିଳିଛି ମାତ୍ର ୧ କୋଟି ଟଙ୍କା। ସମ୍ବଲପୁର ନିକଟ ମାନେଶ୍ୱରରେ ୱାଗନ ମରାମତି ୱାର୍କସପ୍ ପାଇଁ ୨୦ କୋଟି ଟଙ୍କା, ରୋଡ ଓଭର ଓ ରୋଡ୍ ଅଣ୍ଡର ବ୍ରିଜ୍ ପାଇଁ ଏଥର ଖର୍ଚ୍ଚ ହେବ ୧୧୬୫ କୋଟି ଟଙ୍କା। ଏବେ ଆସନ୍ତୁ ଜାଣିବା କେଉଁ ପ୍ରକଳ୍ପ ପାଇଁ କେତେ ବ୍ୟୟ ବରାଦ ହୋଇଛି।
- ଅନୁଗୁଳୁ-ସୁକିନ୍ଦା ଲାଗି ୪୫୦ କୋଟି ଟଙ୍କା
- ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି ଟଙ୍କା
- ଖୋର୍ଦ୍ଧାରୋଡ୍-ବଲାଙ୍ଗିର ପାଇଁ ୫୨୦ କୋଟି ଟଙ୍କା
- ତାଳଚେର-ବିମଳାଗଡ଼ ପାଇଁ ୧୪୦ କୋଟି ଟଙ୍କା
- ଜୟପୁର-ମାଲକାନଗିରି ପାଇଁ ୩୩ କୋଟି ଟଙ୍କା
- ଜୟପୁର ନବରଙ୍ଗପୁର ପାଇଁ ୨୦ କୋଟି ଟଙ୍କା
- ଖୋର୍ଦ୍ଧାରୋଡ-ବିଜୟନଗରମ ବାଏ ପାସ୍ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।
ରେଳ ଲାଇନ ଦୋହରୀକରଣ ନେଇ
- ସମ୍ବଲପୁର ତାଳଚେର ପାଇଁ ୨୯୨ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ୩୮୨
- ଟିଟିଲାଗଡ଼-ବିଜୟନଗରମ ତୃତୀୟ ଲେନ୍ ପାଇଁ ୩୮୦ କୋଟି ଟଙ୍କା
- ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲେନ୍ ପାଇଁ ୧୦୨ କୋଟି ଟଙ୍କା
- ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲେନ୍ ପାଇଁ ୧୧୮ କୋଟି ଟଙ୍କା
- ବୁଢ଼ାପଙ୍କ-ସାଲେଗାଁଓ ତୃତୀୟ ଓ ଚତୁର୍ଥ ଲେନ ପାଇଁ ୨୦୫ କୋଟି ଟଙ୍କା
- କୋରାପୁଟ ସିଙ୍ଗାପୁର ରୋଡ୍ ୨୦୧ କୋଟି ଟଙ୍କା
- ଜଗଦଲପୁର – କୋରାପୁଟ ୧୩୦ କୋଟି ଟଙ୍କା
- କୋଟାଭାଲସା-କୋରାପୁଟ ୧୯୬ କୋଟି ଟଙ୍କା
- ରାୟପୁର ଟିଟିଲାଗଡ଼ ୧୪୬ କୋଟି ଟଙ୍କା
- ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲେନ୍ ପାଇଁ ୨୮୦ କୋଟି ଟଙ୍କା
- ରାଉରକେଲା-ଝାରସୁଗୁଡ଼ା ୧୭୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।