ହସ୍ପିଟାଲ ବେଡ଼ରେ ଶୋଇ ୩୯ ବର୍ଷୀୟା ମହିଳା ଭିଡିଓ ଜରିଆରେ ଜଣାଇଲେ କେତେ ମାରାତ୍ମକ କରୋନା ଭାଇରସ୍

ଲଣ୍ଡନର ଜଣେ ୩୯ ବର୍ଷୀୟା କରୋନାରେ ପୀଡିତ ମହିଳା ସୋସିଆଲ ମିଡିଆ ମାଧ୍ୟମରେ ଏହି ଭାଇରସ୍ କେତେ କ୍ଷତିକାରକ ସେ ନେଇ ଜଣାଇଛନ୍ତି । ଟାରା ଜନି ନାମକ ଏହି ମହିଳା ଜଣକ ହସ୍ପିଟାଲ ବେଡରେ ଶୋଇ ଭିଡ଼ିଓଟି ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଶରୀରରେ ଦୁଇଟି ଟ୍ୟୁବ ଲାଗିଥିବା ଦେଖିବାକୁ ମିଳିଛି । ତାସହିତ କଥା କହିବା ସମୟରେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ଯ କଷ୍ଟ ଅନୁଭବ ହେଉଥିବା ଦେଖିବାକୁ ମିଳିଛି ।

ଟାରାଙ୍କ କହିବା ଅନୁଯାୟୀ ଯେଉଁ ଲୋକମାନେ ଏହି ଭାଇରସକୁ ଏପର୍ଯ୍ୟନ୍ତ ଗମ୍ଭୀରତାର ସହ ନେଇନାହାନ୍ତି ସେମାନେ ସତର୍କ ହୋଇଯାଆନ୍ତୁ । କାରଣ ଏହି ଭାଇରସ୍ ଅତ୍ୟନ୍ତ ମାରାତ୍ମକ ଅଟେ । ଯାହା ଥରେ ଶରୀର ଭିତରେ ପ୍ରବେଶ କରିବା ମାତ୍ରେ ଅନେକ ଯନ୍ତ୍ରଣା ସହିବାକୁ ପଡିଥାଏ । ଏପରି ଲାଗେ ଯେପରି କୌଣସି ସମୟରେ ବି ମୃତ୍ୟୁ ଆସିପାରେ । ଏହାସହିତ ସେ କହିଥିଲେ ଯେ ପ୍ରଥମରୁ ମୁଁ ମଧ୍ଯ ଏହି ଭାଇରସକୁ ଏତେ ଗମ୍ଭିରତାର ସହ ନେଇ ନଥିଲି । ମୋତେ ଲାଗୁଥିଲା ଯେ ଏହାକୁ କେବଳ ବଡ଼ କରି ଲୋକମାନେ କହୁଛନ୍ତି କିନ୍ତୁ ଏହି ଭାଇରସ୍ ଦ୍ଵାରା ସଂକ୍ରମିତ ହେବାପରେ ମୁଁ ବୁଝିପାରୁଛି ଯେ ପ୍ରକୃତରେ ଏହା କେତେ ମାରାତ୍ମକ ଏବଂ ଯନ୍ତ୍ରଣାଦାୟକ ଅଟେ ।

ଟାରା ଲୋକମାନଙ୍କୁ ପରାମର୍ଶ ଦେବା ସହିତ କହିଛନ୍ତି ଯେ ଦୟାକରି କିଛି ସମୟ ପାଇଁ ନିଜକୁ ଆଇଶୋଲେଟ କରିଦିଅନ୍ତୁ ଏବଂ ସିଗାରେଟ୍ ପିଉଥିବା ଲୋକମାନେ କିଛିଦିନ ପାଇଁ ସିଗାରେଟ୍ ପିଅନ୍ତୁ ନାହିଁ । ସୁଚନା ଅନୁଯାୟୀ ଟାରା ଦୁଇଟି ପିଲାର ମା ଅଟନ୍ତି ଏବଂ ତାଙ୍କୁ ଜିମ୍ କରିବା ପସନ୍ଦ । ତେବେ ଟାରାଙ୍କ ପତି କହିଛନ୍ତି ଯେ ସେ ବର୍ତ୍ତମାନ୍ ପୂର୍ବ ଅପେକ୍ଷା ବହୁତ ଭଲ ଅନୁଭବ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.