ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ବାଗଚୀ ଦୂର କଲେ କୋଭିଡ୍‌କୁ ନେଇ ରହିଥିବା ଭୁଲ ଧାରଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଗତ ୩୧ ଦିନ ଭିତରେ ୬୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନେ ନିଜ ଇଚ୍ଛାରେ ସଂକ୍ରମିତ ହୋଇ ନାହାନ୍ତି । ଏଭଳି ସଂକ୍ରମିତ ଲୋକଙ୍କ ପ୍ରତି ଖରାପ ବ୍ୟବହାର କରିବା ନାହିଁ କିମ୍ବା ସେମାନଙ୍କୁ ଭୁଲ ବୁଝିବା ନାହିଁ । ଏକଥା ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଆଜି ରାଜ୍ୟରେ କୋଭିଡ୍‌ ସ୍ଥିତି ସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ ମୋଟ୍‌ ୫୫୩୭ ନମୂନା ପରୀକ୍ଷଣ କରାଯାଇଛି । ସେଥିରୁ ୬୦ ଜଣ ପଜେଟିଭ୍‌ ଆସିଛନ୍ତି । ଏହାର ପ୍ରତିଶତ ହେଉଛି ମାତ୍ର ୧.୦୮ । ଏମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୨୧ଟି କୋଭିଡ୍‌ ଡାକ୍ତରଖାନା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏଥିରେ ଶଯ୍ୟା ସଂଖ୍ୟା ହେଉଛି ୩୬୨୦ ହଜାର ।
ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ ବାଗଚୀ ଯେଉଁ ପ୍ରମୁଖ କଥାଟି କହିଥିଲେ ତାହା ହେଉଛି କୋଭିଡ୍‌କୁ ନେଇ ରହିଥିବା ଭୁଲ ଧାରଣା । ଏ ସମ୍ପର୍କରେ ସେ ୧୨ଟି ପଏଣ୍ଟ ବିଷୟରେ କହିଥିଲେ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ରହିଛି । ସେ ସବୁ ଠିକ୍‌ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆସନ୍ତୁ ଜାଣିବା ବାଗଚୀ କଣ କହି ଆମକୁ ସଚେତନ କରିଛନ୍ତି ।

୧-ନକରେ ଲୁଣ ପାଣି ଦେଲେ କରୋନା ହେବ ନାହିଁ । ଅବଶ୍ୟ ଏଥିରେ ସାଧାରଣ ଥଣ୍ଡାରୁ ଆଶ୍ୱସ୍ତ ମିଳେ ହେଲେ କରୋନା ଭଲ ହୁଏ ନାହିଁ ।
୨-ଅତ୍ୟଧିକ ଗରମରେ ଆପେ ଆପେ କରୋନା ଭାଇରସ୍‌ ମରିଯିବ ଧାରଣା ଭୁଲ । ଏହା ବିଜ୍ଞାନ ସମ୍ମତ ନୁହେଁ ।
୩-କରୋନା ଥରେ ହେଲେ ଆଉ ହୁଏ ନାହିଁ । ଏହି କଥା ମଧ୍ୟ ଭୁଲ ।
୪-ଦଶ ସେକେଣ୍ଡ ନିଶ୍ୱାସ ବନ୍ଦ କରି ରଖିଲେ ଜାଣି ହେବ କରୋନା ହୋଇଛି କି ନାହିଁ । ଏକଥାରେ ମଧ୍ୟ ସତ୍ୟତା ନାହିଁ ।
୫-ମଦ ପିଇଲେ କରୋନା ହୁଏ ନାହିଁ ମଧ୍ୟ ଭୁଲ କଥା । ଏହା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ରୋଗ ହେବାର ଅଧିକ ଆଶଙ୍କା ରହିଛି ।
୬-ଗରମ ପାଣିରେ ଗାଧୋଇଲେ କରୋନା ହୁଏ ନାହିଁ ମଧ୍ୟ ସତ ନୁହେଁ ।
୭-ମଶା କାମୁଡ଼ାରୁ କରୋନା ସଂକ୍ରମିତ ହେବା କଥା ଏକ ଭ୍ରମ ଧାରଣା ।
୮-ରସୁଣ ଖାଇଲେ କରୋନା ହେବ ନାହିଁ । ଏକଥାରେ ମଧ୍ୟ ସତ୍ୟତା ନାହିଁ ।
୯-ଛୁଆ ଏବଂ ଯୁବକଙ୍କୁ କରୋନା ହୁଏ ନାହିଁ ବେଲି ରହିଥିବା ଧାରଣା ଭୁଲ ।
୧୦-ଆଣ୍ଟିବାୟୋଟିକ୍‌ ଔଷଧ ଖାଇଲେ କରୋନା ହୁଏ ନାହିଁ । ଏହା ମଧ୍ୟ ଠିକ୍‌ କଥା ନୁହେଁ ।
୧୧-କ୍ଲୋରିନ୍‌ ପାଣିରେ କୁଳୁକୁଚା କଲେ କରୋନା ଭଲ ହୁଏ । ଏହା ଏକ ବିପଦପୂର୍ଣ୍ଣ କଥା । ଏଥିରେ ଶରୀରକୁ କ୍ଷତି ପହଞ୍ଚିବ ।
୧୨-ସେହିପରି ଗୃହପାଳିତ ପଶୁଙ୍କ ଠାରୁ କରୋନା ବ୍ୟାପେ ବୋଲି ରହିଥିବା ଭୁଲ ଧାରଣାକୁ ଦୂରେଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.