ଗଛ କାଟୁଛ, କ୍ଷୀର ଢାଳୁଛ କାହିଁକି ? ଏଇ କରୋନା ବେଳାରେ ଲୋକେ ତ ଖାଇବାକୁ ପାଉ ନାହାନ୍ତି

କରୋନା ଲକ୍‌ଡାଉନ୍‌ରେ ବନ୍ଧା ହୋଇଯାଇଛି ସାରା ଦେଶ । ମନ୍ତ୍ରୀ ଠୁ ଯନ୍ତ୍ରୀ, ଧନୀରୁ ଗରିବ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଫରକ ଏତିକି ଯେ ଯିଏ ସାଇତି ରଖିଛି କିମ୍ବା ଅଧିକ ଅର୍ଥ ପାଖରେ ଅଛି ସିଏ ଚଳି ଯାଉଛି ଆଉ ଯିଏ ଦାଣ୍ଡରୁ ଆଣିଲେ ହାଣ୍ଡିରେ ଫୁଟାଏ ତାକୁ ଅସୁବିଧା ହେଉଛି । ଅବଶ୍ୟ ରାଜ୍ୟରୁ କେନ୍ଦ୍ର ସରକାର ଏଭଳି ବର୍ଗର ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି । ତଥାପି ଯେ ସମସ୍ତେ ଏହାର ସୁବିଧା ପାଉଥିବେ ଏବଂ ଏହାର ଫାଇଦା ଉଠାଇ ପାରୁଥିବେ ଏହାକୁ ନେଇ ସନ୍ଦେହ ରହିଛି। ତେବେ ଗୋଟିଏ କଥା ହେଉଛି ଶତପ୍ରତିଶତ ସତ ଯେ ଏହି ଲକ୍‌ଡାଉନ୍‌ ସମସ୍ତଙ୍କ ପାଇଁ କଷ୍ଟ ଆଣି ଦେଇଛି । କାରଣ ଏଭଳି କଷ୍ଟ ନକଲେ ଆମେ ନିଜକୁ ବି ବଞ୍ଚାଇ ପାରିବା ନାହିଁ । ହେଲେ ଲକ୍‌ଡାଉନ୍‌ ଭିତରେ ଆମେ ଆମର ସଞ୍ଚିତ ଜିନିଷକୁ ହିସାବ କରି ଖର୍ଚ୍ଚ କରୁଥିବା ବେଳେ କିଛି ଏଭଳି ଘଟୁଛି ଯାହାକୁ ଆମେ କଣ କେହିବି ପସନ୍ଦ କରୁନାହାନ୍ତି ।

TREE-1

ଆସନ୍ତୁ ଜାଣିବା ଘଟଣା ସବୁ କଣ । ପ୍ରଥମ ଘଟଣା ହେଉଛି ବିଭିନ୍ନ ଜାଗାରେ ବିଶେଷ କରି ରାଜ୍ୟର ଗ୍ରାମାଞ୍ଚଳରେ ଅନେକ ଗାଁ ସେମାନଙ୍କ ସୀମାକୁ ବନ୍ଦ କରିଛନ୍ତି । କୌଣସି ବାହାର ଲୋ କ ଆସିବେ ନାହିଁ ଏବଂ ଗାଁ ଲୋକ ଯଦି ବାହାରକୁ ଯାଛନ୍ତି ତେବେ ପୂରା ହାତଗୋଡ଼ ଧୋଇ ଗାଁକୁ ଆସିବେ । ଏସବୁ ନିୟମ କାନୁନ କରାଯାଇଛି । ଯାହା ନିହାତି ଆବଶ୍ୟକ । ହେଲେ କିଛି ଜାଗାରେ ଦେଖିବାକୁ ମିଳିଛି ଯେ ଗାଁ ଲୋକେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ସମସ୍ତେ ଜାଣନ୍ତି ଯେ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା କେତେ । ତେଣୁ ଏଭଳି ଗଛ କାଟିବା ଆଦୌ ଉଚିତ ନୁହେଁ । ଯାହା ପ୍ରଥମରେ ବେଆଇନ୍‌ ଏବଂ ଦ୍ୱିତୀୟରେ ପରିବେଶ ସୁରକ୍ଷାରେ ବାଧକ । ଏଥିପ୍ରତି ସମସ୍ତେ ସଜାଗ ରହିବେ ବୋଲି ଆଶା କରୁଛୁ । ଗାଁ ରାସ୍ତା ରୋକିବାର ଅନ୍ୟ ବିକଳ୍ପ ବି ରହିଛି ।

ସେହିପରି କିଛି ଜାଗାରେ ଆମେ ଦେଖିଲୁ ଯେ କ୍ଷୀର ବେପାରୀମାନେ ନିରାଶ ହୋଇ କ୍ଷୀର ଢାଳି ଦେଉଛନ୍ତି । କାରଣ କ୍ଷୀର ବିକ୍ରି କରିବା ସମ୍ଭବ ହେଉନାହିଁ । ତେବେ ଏଥିରେ କ୍ଷୀରର ଦୋଷ ନାହିଁ । ଏହା ପରିସ୍ଥିତିର ଦୋଷ । ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ ଖାଇବାକୁ ପାଉ ନାହାନ୍ତି । ସରକାର ଏବଂ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ସେମାନଙ୍କୁ ଖାଦ୍ୟ ବାଣ୍ଟିବାକୁ ପ୍ରୟାସ ଚଳାଇଛନ୍ତି । ହେଲେ କ୍ଷୀର ଭଳି ଖାଦ୍ୟକୁ ଏଭଳି ବାହାରେ ଢାଳିଦେବା ଘଟଣାକୁ କେହି ବରଦାସ୍ତ କରିବା ଉଚିତ ନୁହେଁ ।TREE-2ଆମେ ଏତିକି କହି ପାରିବୁ ଯେ କ୍ଷୀରକୁ ହୁଏତ ଅଧିକ ଦିନ ରଖି ହେବ ନାହିଁ, ହେଲେ ଏଥିରୁ ଘିଅ ଭଳି ଅନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ କରି ହେବ। ଯାହାକୁ ଦୀର୍ଘ ଦିନ ରଖିହେବ । ଯଦି ସେଭଳି ବି ନହେଉଛି ତେବେ ଆବଶ୍ୟକ ଥିବା ଲୋକଙ୍କୁ ଅନ୍ତତଃ ବାଣ୍ଟି ଦେଲେ ସେମାନେ ଉପକୃତ ହେବେ । ତେଣୁ କେ ନ୍ୟୁଜ୍‌ ତରଫରୁ ଆମେ କ୍ଷୀର ବ୍ୟବସାୟୀଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଏଭଳି କାମ କରନ୍ତୁ ନାହିଁ । କାରଣ ଆପଣଙ୍କ ଭଳି ସମସ୍ତେ ବିଭିନ୍ନ କ୍ଷେତ୍ରରେ କରୋନା ଜନିତ କଷ୍ଟକର ପରିସ୍ଥିତିର ସାମନା କରୁଛନ୍ତି । ଆପଣମାନେ ହିଁ ଅଧିକ ଭାବେ ଜାଣିଥିବେ ଯେ ଏହି କ୍ଷୀରରେ କଣ କରାଯାଇ ପାରିବ । ତେଣୁ ତାକୁ ନଷ୍ଟ କରନ୍ତୁ ନାହିଁ ।

 

ହିମାଂଶୁ ଶେଖର ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.