କରୋନା ସମୟରେ ଅନ୍‌ଲାଇନ୍‌ ଖାଦ୍ୟ ବ୍ୟବସ୍ଥାକୁ କେମିତି ମିଳିଲା ଅନୁମତି, ତାକୁ ଯାଞ୍ଚ କରୁଛି କିଏ, କଣ ରହିଛି ଏହାର ଗାଇଡ୍‌ ଲାଇନ୍‌ ?

କରୋନା ଜନିତ ଲକ୍‌ଡାଉନ୍‌ରେ ସବୁକ୍ଷେତ୍ର, ସବୁ ବର୍ଗ ପ୍ରଭାବିତ । କରୋନା ଭାଇରସ୍‌ ଠାରୁ ଦୂରେଇ ରହିବା ଲାଗି ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏମିତିକି ନିଜ ମାସ୍କକୁ ୬ ଘଣ୍ଟାରେ ଥରେ ଧୋଇବା, ଦିନକୁ ଅତି କମ୍‌ରେ ୨୦ ଥର ହାତ ଧୋଇବା କଥା କୁହାଯାଉଛି । କେବଳ ଔଷଧ, ରେସନ୍‌ ଓ ପରିବା ଦୋକାନ ଛଡ଼ା ଅନ୍ୟ କିଛି ଖୋଲା ରଖିବାକୁ ମନା କରାଯାଇଛି । ସେହି ଅନୁସାରେ ନିୟମ ପାଳନ ବି ହେଉଛି । ହେଲେ ଆମ ଦେଶୀ ଖାଦ୍ୟ ଦୋକାନ ସବୁ ବନ୍ଦ ରହିଛି । ଏମିତିକି ମହାପ୍ରଭୁଙ୍କ ମହାପ୍ରସାଦ ବି ଲୋକଙ୍କୁ ମିଳୁ ନାହିଁ । ତେବେ ଏତେ ସବୁ କଟକଣା ଭିତରେ ଅନ୍‌ଲାଇନ୍‌ ଖାଦ୍ୟକୁ କେମିତି ସରକାର ଅନୁମତି ଦେଇଛନ୍ତି ?

ONLINE-4ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ପିଜା, ବର୍ଗର କିମ୍ବା ସେହି ଜାତୀୟ ବିଦେଶୀ ଖାଦ୍ୟ ସବୁ କିଭଳି ସ୍ୱଚ୍ଛତାର ସହ ପ୍ରସ୍ତୁତ ହେଉଛି କେହି ଜାଣନ୍ତି ନାହିଁ । କିଭଳି ମାନରେ ଏସବୁ ତିଆରି ହେଉଛି, ଯିଏ ତିଆରି କରୁଛି ସେ କେତେଦୂର ସଂକ୍ରମଣ ମୁକ୍ତ, ସେ ସବୁକୁ କିଏ ଯାଞ୍ଚ କରୁଛି ଏକଥା କାହାକୁ ବି ଜଣାନାହିଁ । ପୁଣି ସରକାରଙ୍କ ତରଫରୁ ବିଧିବଦ୍ଧ ଭାବେ ଘୋଷଣା ମଧ୍ୟ କରାଯାଇ ନାହିଁ ଯେ ଏହି ଅନ୍‌ଲାଇନ୍‌ ଖାଦ୍ୟ ଲୋକଙ୍କ ପାଖରେ ଶୁଦ୍ଧତା ଓ ସଂକ୍ରମଣ ମୁକ୍ତ ହୋଇ ପହଞ୍ଚିବ ବୋଲି । ତାହାହେଲେ ଏହି ବେପାର ଚାଲିଛି କେମିତି ? ଆମ ରାଜ୍ୟ ତଥା ଦେଶୀ ଖାଦ୍ୟ ଉପରେ କଟକଣା ଲାଗିଥିବା ବେଳେ ଏହି ବିଦେଶୀ ଖାଦ୍ୟକୁ ଅନୁମତି ମିଳିବା କେତେଦୂର ଉଚିତ ହୋଇଛି ?

ONLINE-3ଅବଶ୍ୟ ଆମ ପାଖରେ ଯାହା ସୂଚନା ରହିଛି ସ୍ୱିଗି ଭଳି ଅନ୍‌ଲାଇନ୍‌ରେ ଖାଦ୍ୟ ଯୋଗାଉଥିବା କିଛି କମ୍ପାନୀ ପ୍ରଥମରୁ ସ୍ପଷ୍ଟ କରିଛନ୍ତି ଯେ ସେମାନେ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି ଓ ସମସ୍ତ ସୁରକ୍ଷା ବ୍ୟବସ୍ଥା ଭିତରେ କାର୍ଯ୍ୟ କରୁଛନ୍ତି । ଖାଦ୍ୟ ତିଆରି କରୁଥିବା ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଡେଲିଭରୀ ବୟ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଗ୍ରାହକଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ । ତେବେ ଏକଥା ମଧ୍ୟ ବିଚାର କରାଯାଇ ପାରେ ଯେ ଏହି ଅନ୍‌ଲାଇନ୍‌ ସଂସ୍ଥାଗୁଡ଼ିକ ସମସ୍ତେ ନିଜେ ଖାଦ୍ୟ ପ୍ରସ୍ତୁତ କରୁ ନାହାନ୍ତି । ସେମାନେ ଅନ୍ୟ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ନିର୍ଭର କରନ୍ତି । ତେଣୁ ସେମାନେ ସୁରକ୍ଷା ଓ ସ୍ୱଚ୍ଛତାର ନିୟମ କାନୁନକୁ କେତେଦୂର ମାନୁଛନ୍ତି ତାକୁ ଦେଖିବାକୁ କିଏ ଅଛି ? ଏ ନେଇ କଣ ଗାଇଡ୍‌ ଲାଇନ୍‌ ରହିଛି ସେ କଥା ବି କାହାକୁ ଜଣା ନାହିଁ ।

ONLINE FOOD DELIVERYଆମ ରାଜ୍ୟରେ ତ ଫୁଡ୍‌ ଇନିସପେଟକ୍ଟରଙ୍କ ସଂଖ୍ୟା ଏତେ କମ୍‌ ଯେ ସାଧାରଣ ସମୟରେ ବି ସେମାନେ ବାହାର ଖାଦ୍ୟକୁ ଯାଞ୍ଚ କରିବା ସ୍ଥିତିରେ ନଥାନ୍ତି । ଆଉ ଏବେକା କଥା ନକହିଲେ ଭଲ । ସେ ସ୍ୱିଗି ହୁଅନ୍ତୁ କି ଜମାଟୋ, ପୂର୍ବରୁ ଏମାନଙ୍କ ଡେଲିଭରୀ ବୟଙ୍କ ବିରୋଧରେ କିଛି କିଛି ଅଭିଯୋଗ ବି ଆସିଛି । ଅନ୍‌ଲାଇନ୍‌ରେ ମିଳୁଥିବା ଚଟ୍‌ପଟା ଖାଦ୍ୟ ଯୁବ ପିଢ଼ିଙ୍କର ଖୁବ୍‌ ପସନ୍ଦ । ଘରେ ବସି ଅର୍ଡର କରିଦେଲେ ତୁରନ୍ତ ଆସି ପହଞ୍ଚି ଯାଉଛି । ହେଲେ ବର୍ତ୍ତମାନ ସମୟରେ ଏସବୁ ଖାଦ୍ୟ କେତେ ଭଲ ସେ କଥା କାହାକୁ ବି ଜଣାନାହିଁ । ତେଣୁ ଏହି କରୋନା ସମୟରେ ଏସବୁ ପ୍ରତି ଧ୍ୟାନ ଦିଆଯିବା ଉଚିତ ।

ONLINE-2ସରକାର ବୁଝିଛନ୍ତି ବର୍ତ୍ତମାନ ଲୋକଙ୍କ ପାଇଁ ମୌଳିକ ଆବଶ୍ୟକତା ହେଉଛି କେବଳ ଖାଦ୍ୟ ଓ ସ୍ୱାସ୍ଥ୍ୟ । ହେଲେ ମଣିଷ ସହିତ ନିୟମିତ ଯୋଡ଼ି ହୋଇଥିବା କିଛି ଆବଶ୍ୟକତାକୁ ମଧ୍ୟ ଉପଲବ୍‌ଧି କରିବା ଉଚିତ । ଯେମିତି ଯାନବାହନ ମରାମତି, ଚୁଟି କାଟିବା ପାଇଁ ସେଲୁନ୍‌ ଆଦି କଥାକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ପଡ଼ିବ । କାରଣ ଲକ୍‌ଡାଉନ୍‌ ସମୟ ଯେତିକି ବଢ଼ିବ ଆଗକୁ ସମସ୍ୟା ମଧ୍ୟ ସେତିକି ଦେଖାଦେବ । ତେଣୁ ତୃଣମୂଳ ସ୍ତରରେ ସାଧାରଣ ଲୋକ ଯେଉଁ ସମସ୍ୟାର ସାମନା କରୁଛନ୍ତି, ତାକୁ ବୁଝି ବିଚାରି ପଦକ୍ଷେପ ନେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.