ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେଲା ସିଂହାପୁର ଯାତ୍ରା, ଦେଖିବା ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଠାରେ ଥିବା ଏହି ପୁଷ୍କରିଣୀ ହେଉଛି ମଧୁତୀର୍ଥ । ଏହି ପୋଖରୀରେ ପ୍ରଭୁ ନାରାୟଣ ଗୋସେଇଁ ୩୬୨ଦିନ ଜଳଶାୟୀ ହୋଇ ରହିଥାନ୍ତି । ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ପ୍ରଭୁ ନାରାୟଣ ଗୋସେଇଁଙ୍କୁ ପୁଷ୍କରିଣୀରୁ ଆଣି ମନ୍ଦିରରେ ସ୍ଥାପନା କରାଯାଏ ।

ମହାବିଷୁବ ସଂକ୍ରାନ୍ତି ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଠାରେ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ମହାପ୍ରଭୁ ନାରାୟଣ ଗୋସେଇଁଙ୍କ ବିଜୟ ଯାତ୍ରା । ଏହି ଯାତ୍ରା ୩ଦନ ଧରି ଚାଲିବ । ବର୍ଷକ ଯାକ ଜଳଶାୟୀ ନାରାୟଣ ଗୋସେଇଁ ମାତ୍ର ତିନିଦିନ ପାଇଁ ପୁଷ୍କରିଣୀରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ହଜାର ହଜାର ଭକ୍ତଙ୍କ ଗହଳିରେ ଆଜି ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଠାରେ ଥିବା ଏହି ପୁଷ୍କରିଣୀ ହେଉଛି ମଧୁତୀର୍ଥ । ଏହି ପୋଖରୀରେ ପ୍ରଭୁ ନାରାୟଣ ଗୋସେଇଁ ୩୬୨ଦିନ ଜଳଶାୟୀ ହୋଇ ରହିଥାନ୍ତି । ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ପ୍ରଭୁ ନାରାୟଣ ଗୋସେଇଁଙ୍କୁ ପୁଷ୍କରିଣୀରୁ ଆଣି ମନ୍ଦିରରେ ସ୍ଥାପନା କରାଯାଏ । ଅନ୍ୟପଟରେ ସୁସଜିତ ବିମାନରେ ସ୍ଥାନୀୟ ମଠରୁ ପ୍ରଭୁଙ୍କର ଚଳନ୍ତି ବିଗ୍ରହକୁ ଅଣାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ପରମ୍ପରା ଅନୁସାରେ ଗଡ଼ମଧୁପୁର ରାଣୀ ଆଜି ସକାଳେ ପହଂଚି ମଧୁତୀର୍ଥ ପୁଷ୍କରିଣୀ ନିକଟରେ ନାରାୟଣ ଗୋସେଇଁଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ପରେ ପୁଷ୍କରିଣୀରୁ ମହାପ୍ରଭୁଙ୍କୁ ପାଣିରେ ଚାପ ଖେଳେଇ କୂଳକୁ ଅଣାଯାଇଛି । ପରେ ପଇଡ଼ ପାଣି, ଲହୁଣୀରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ମନ୍ଦିରକୁ ବିଜେ କରାଯାଏ । ଏହି ଯାତ୍ରା ୩ଦିନ ଧରି ଚାଲିବାକୁ ଥିବା ବେଳେ ଶେଷ ଦିନରେ ପ୍ରଭୁ ସନ୍ୟାସୀ ବେଶରେ ପୁଣି ପାଣିକୁ ଯିବେ । ଚଳିତ ବର୍ଷ ନୂତନ ମନ୍ଦିରରେ ପ୍ରଭୁଙ୍କୁ ସ୍ଥାପନା କରାଯାଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।

କିମ୍ବଦନ୍ତୀ ଅନୁସାରେ ଶହ ଶହ ବର୍ଷ ପୂର୍ବେ କଳାପାହାଡ଼ ଆକ୍ରମଣରୁ ପ୍ରଭୁଙ୍କୁ ବଞ୍ଚାଇବା ପାଇଁ ତାଙ୍କର ଭକ୍ତ ମାନେ ନାରାୟଣ ଗୋସେଇଁଙ୍କୁ ଏହି ପୁଷ୍କରିଣୀରେ ଲୁଚାଇ ରଖିଥିଲେ । ବହୁ ବର୍ଷ ପରେ ତତ୍କାଳୀନ ଗଡ଼ମଧୁପୁର ରାଜାଙ୍କୁ ସ୍ୱପ୍ନାଦେଶ ପରେ ଏହି ପୁଷ୍କରିଣୀରୁ ନାରାୟଣ ଗୋସେଇଁଙ୍କୁ ଉଦ୍ଧାର କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ସେହି ଦିନଠାରୁ ପୁଷ୍କରିଣୀର ନାମ ମଧୁତୀର୍ଥ ରଖାଯାଇଛି । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଥିବା ବେଳେ ଏହି ସମୟରେ ମହାପ୍ରଭୁଙ୍କ ତିଦିନାତ୍ମକ ଯଜ୍ଞ ସହ ଦଶ ଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାରାୟଣ ଗୋସେଇଁ । ଫଳରେ ଏହି ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏପଟେ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ଓ ମନ୍ଦିର ରୂପାନ୍ତରିକରଣରେ ରାଜ୍ୟ ସରକାର ଆର୍ଥିକ ସହଯୋଗ ଯୋଗାଇଦେଇଥିବା କହିଛନ୍ତି ସ୍ଥାନୀୟ ବିଧାୟକ । ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ କୁଆଖିଆ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.