ଚଣ୍ଡିଖୋଲ ମହାବିନାୟକ ପୀଠରେ ମହାଶିବରାତ୍ରୀର ରହିଛି ଖାସ୍ ବିଶେଷତ୍ୱ , ଏଠି ଉଜାଗର ରୁହନ୍ତି ପଞ୍ଚଦେବତା

ଆଜି ମହାଶିବରାତ୍ରୀ । ଏନେଇ ସଜେଇ ହୋଇଛି  ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଚଣ୍ଡିଖୋଲର ମହାବିନାୟକ କ୍ଷେତ୍ର । ଏହି ପୀଠର ବିଶେଷତ୍ୱ ହେଉଛି ଆଜିର ଦିନରେ ମହାଦେବଙ୍କ ସମେତ ଏଠାରେ ଉଜାଗର ରହିଥାନ୍ତି ପଞ୍ଚଦେବତା ।

ଯାଜପୁର(କେନ୍ୟୁଜ): ଆଜି ମହାଶିବରାତ୍ରୀ । ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜାଗର ପାଇଁ ସଜେଇ ହୋଇଛି  ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଚଣ୍ଡିଖୋଲର ମହାବିନାୟକ କ୍ଷେତ୍ର । ଏହି ପୀଠର ବିଶେଷତ୍ୱ ହେଉଛି ଆଜିର ଦିନରେ ମହାଦେବଙ୍କ ସମେତ ଏଠାରେ ଉଜାଗର ରହିଥାନ୍ତି ପଞ୍ଚଦେବତା । ଭାରତବର୍ଷରେ ଏଭଳି କ୍ଷେତ୍ର ବିରଳ । ଜାଗର ଯାତ୍ରା ପାଇଁ ଏଠାରେ ପ୍ରସ୍ତୁତି ଶେଷ ହୋଇସାରିଛି ।

ମହାଶିବରାତ୍ରୀ ଅବସରରେ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ତେବେ ବଣ ପାହାଡ ଘେରା ପରିବେଶରେ ଏହି ମହାବିନାୟକ ଶୈବପୀଠରେ ପୂଜା ପାଉଛନ୍ତି ପଞ୍ଚଦେବତା । ଗଣେଷ, ଭାସ୍କର, ବିଷ୍ଣୁ, ଶିବ ଏବଂ ଦୁର୍ଗାଙ୍କ ଅନନ୍ୟ ମିଳନ ଘଟିଛି ଏଠାରେ । ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ହେଉଛି ବହୁ ପୁରାତନ । ତେବେ ଏହି ପୀଠର ବୈଶିଷ୍ଟ୍ୟ ହେଉଛି ଜାଗର ଯାତ୍ରା ଦିନ ଶିବଙ୍କ ସହ ଉଜାଗର ରୁହନ୍ତି ପଞ୍ଚଦେବତା । ଏଭଳି କ୍ଷେତ୍ର ଭାରତ ବର୍ଷରେ ପ୍ରାୟତଃ ଆଉ କେଉଁଠି ଦେଖିବାକୁ ମିଳିନଥାଏ । ଯେଉଁଥିପାଇଁ ନାନା ମନସ୍କାମନା ନେଇ ଏଠାକୁ ଛୁଟି ଆସିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏକାସାଙ୍ଗରେ ପ୍ରଭୁଙ୍କ ଦର୍ଶନ ସହ ପଞ୍ଚଦେବତାଙ୍କ ଆଶୀର୍ବାଦ ମଧ୍ୟ ଲାଭ କରିଥାନ୍ତି ।

ଜାଗର ଯାତ୍ରା ପାଇଁ ମହାବିନାୟକ ପୀଠରେ ପ୍ରବଳ ଭିଡ । ଏପଟେ ଜୋରସୋରରେ ଆଗେଇ ଚାଲିଛି ସମସ୍ତ ନୀତିକାନ୍ତି । ମନ୍ଦିର ପରିସରରେ ଚାଲିଛି ମହାଯଜ୍ଞ ।  ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜାଗର ଦୀପ ମଧ୍ୟ ପ୍ରସ୍ତୁତ । ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ମଧ୍ୟ ପଡିଛି । ଭକ୍ତମାନଙ୍କ ପ୍ରବଳ ଭିଡ ହୋଇଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ଏପଟେ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ହେଉଛି ବହୁ ପୁରାତନ । ତେବେ ମହାଶିବରାତ୍ରୀ ଅବସରରେ ଏହି ମହାବିନାୟକ ପୀଠରେ ଏକାସାଙ୍ଗରେ ମହାଦେବଙ୍କ ଦର୍ଶନ ସହ ପଞ୍ଚଦେବତାଙ୍କ ଆଶୀର୍ବାଦ  ଲାଭ କରିବାର ସୌଭାଗ୍ୟ ପାଉଛନ୍ତି ଭକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.