ଭେଟେରାନ ଅଭିନେତା ରମେଶ ଦେଓଙ୍କର ହୃଦଘାତରେ ନିଧନ, ୪ ଦିନ ତଳେ ପାଳିଥିଲେ ୯୩ତମ ଜନ୍ମଦିନ; କହିଥିଲେ, ‘ମୁଁ ୧୦୦ ବର୍ଷ ବଞ୍ଚିବି’

ହିନ୍ଦୀ ଏବଂ ମରାଠି ସିନେମାର ଭେଟେରାନ ଅଭିନେତା ରମେଶ ଦେଓଙ୍କର ବୁଧବାର ୯୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପୁଅ ତଥା ଚଳଚ୍ଚିତ୍ର ନିର୍ମାତା ଅଭିନୟ ଦେଓ ସୂଚନା ଦେଇଛନ୍ତି। ଅଭିନୟ ଦେଓ କହିଛନ୍ତି, ବୁଧବାର ରାତି ପ୍ରାୟ ୮ଟା ୩୦ ମିନିଟ୍‌ରେ ତାଙ୍କ ବାପାଙ୍କର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।

ରମେଶ ଦେଓ ନିଜ କ୍ୟାରିୟରରେ ଅନେକ ହିନ୍ଦୀ ଏବଂ ମରାଠି ଚଳଚ୍ଚିତ୍ରରେ କାମ କରିଛନ୍ତି। ୧୯୬୨ର ଚଳଚ୍ଚିତ୍ର ‘ଆରତୀ’ରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ଶତ୍ରୁଘ୍ନ ସିହ୍ନା ଓ ହେମା ମାଲିନୀ-ଧର୍ମେନ୍ଦ୍ରଙ୍କ ଭଳି କଳାକାରଙ୍କ ସହିତ ସ୍ମରଣୀୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ନାମରେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ରହିଛି, ଯେଉଁଥିରେ ‘ଆନନ୍ଦ’, ‘ଆପ୍ କି କସମ୍’, ‘ମେରେ ଅପ୍‌ନେ’ ଏବଂ ‘ଡ୍ରିମ୍ ଗାର୍ଲ’ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।

ରମେଶ ଦେଓଙ୍କ ପରିବାରରେ ତାଙ୍କ ପତ୍ନୀ ସୀମା ଦେଓ, ଦୁଇ ପୁଅ ଅଜିଙ୍କ୍ୟ ଓ ଅଭିନୟ ଅଛନ୍ତି। ଅଭିନୟ ‘ଦିଲ୍ଲୀ ବେଲୀ’ ଏବଂ ‘ଫୋର୍ସ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ଅଜିଙ୍କ୍ୟ ହିନ୍ଦୀ ଏବଂ ମରାଠି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ପ୍ରସିଦ୍ଧ ଅଭିନେତା ଭାବରେ ଜଣାଶୁଣା। ୨୦୧୮ରେ ଏକ ସାକ୍ଷାତକାରରେ ଅଭିନୟ ଦେଓ ନିଜ ବାପାଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ ‘ମୁଁ ମୋ ଭଳି ପିତାମାତାଙ୍କୁ ପାଇ ବହୁତ ଧନ୍ୟ ଅନୁଭବ କରୁଛି, ଯେଉଁମାନେ କେବଳ ପ୍ରେରଣା ଦେଉଥିବା ସାର୍ବଜନିକ ବ୍ୟକ୍ତି ନୁହଁନ୍ତି, ବରଂ ଆମକୁ ସଠିକ୍ ମୂଲ୍ୟବୋଧ ପାଇଁ ପ୍ରେରିତ କରି ଥାଆନ୍ତି। ମୁଁ ମୋ ବାପାଙ୍କ ଦ୍ୱାରା ଲଞ୍ଚ୍‌ ହୋଇ ନ ଥିଲି, ଏହା କେବେ ବି ଏକ ବିକଳ୍ପ ନ ଥିଲା। ମୋତେ ଆଗରୁ ହିଁ କୁହାଯାଇଥିଲା ଯେ ମୋତେ ପ୍ରତ୍ୟେକ ମଉକା ପାଇଁ ବାସ୍ତବରେ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ମୁଁ ଏଥିପାଇଁ ଖୁସି ଅଛି’।

କହି ରଖୁଛୁ, ରମେଶ ଦେଓଙ୍କ ଜନ୍ମ ମହାରାଷ୍ଟ୍ରର କୋହ୍ଲାପୁରରେ ୩୦ ଜାନୁଆରୀରେ ହୋଇଥିଲା। ୪ ଦିନ ତଳେ ସେ ନିଜର ୯୩ତମ ଜନ୍ମଦିନ ପାଳନ କରିଥିଲେ। ଗତ ମାସରେ ରମେଶ ଦେଓଙ୍କୁ ଜୀ ଆଓ୍ଵାର୍ଡସ୍‌ରେ ଦେଖା ଯାଇଥିଲା, ଯେଉଁଠି ସେ କହିଥିଲେ କି, ସେ ୧୦୦ ବର୍ଷ ବଞ୍ଚିବେ। ଜୀବନକୁ ନେଇ ସେ ବହୁତ ପଜିଟିଭ ରହୁଥିଲେ। ତାଙ୍କ ପତ୍ନୀ ସୀମା ଦେଓ ମଧ୍ୟ ଅଭିନେତ୍ରୀ ଭାବେ କାମ କରିଛନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସୂଚନାଥାଉ କି, ରମେଶ ଦେଓ ତାଙ୍କ କ୍ୟାରିୟର ଭିତରେ ମୋଟ ୪୫୦ ଫିଲ୍ମ ଏବଂ ୨୫୦ ବିଜ୍ଞାପନରେ କାମ କରିଛନ୍ତି। ଏହା ବ୍ୟତୀତ ଟିଭି ସିରିଜ୍‌, ଡକ୍ୟୁମେଣ୍ଟ୍ରିଜ୍‌ ଏବଂ କେତେକ ଫିଚର ଫିଲ୍ମକୁ ମଧ୍ୟ ପ୍ରଯୋଜନା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.