୧୯୯୪ରେ ହେବାକୁ ଥିଲା ସଙ୍ଗୀତା-ସଲମାନଙ୍କ ବିବାହ, ଏହି କାରଣରୁ ତୁଟିଗଲା ସମ୍ପର୍କ

ଲୋକପ୍ରିୟ ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କର ଆଜି ହେଉଛି ଜନ୍ମଦିନ। ପ୍ରତ୍ୟେକ ବର୍ଷ ଜୁଲାଇ ୯ ତାରିଖରେ ସେ ନିଜ ଜନ୍ମଦିନ ପାଳିଥାଆନ୍ତି। ସଲମାନ ଖାନଙ୍କ ସହ ବିବାହ ଖବରଠାରୁ ଆରମ୍ଭ କରି ମହମ୍ମଦ ଆଝାରୁଦ୍ଦିନଙ୍କ ସହିତ ବିବାହ ଏବଂ ପରେ ଛାଡ଼ପତ୍ର ପର୍ଯ୍ୟନ୍ତ, ସବୁବେଳେ ଚର୍ଚ୍ଚାରେ ରହିଆସୁଥିଲେ ସଙ୍ଗୀତା। ତେଣୁ ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ ଅବସରରେ ଆମେ କହିରଖୁଛୁ ତାଙ୍କ ଜୀବନ ବିଷୟରେ କିଛି ଅକୁହା କଥା।

ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ଇଣ୍ଡିଆ ସଙ୍ଗୀତା ବିଜଲାନି ପିଲାବେଳୁ ହିଁ ଗ୍ଲାମର ଦୁନିଆରେ ନିଜ ନାଁ କମାଇବାକୁ ଚାହୁଁଥିଲେ। ମାତ୍ର ୧୬ ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିବା ସଙ୍ଗୀତା ଖୁବ୍ କମ୍ ଦିନରେ ଏ କ୍ଷେତ୍ରରେ ଜଣେ ପରିଚିତ ଚେହେରା ପାଲଟିଯାଇଥିଲେ। ସେହି ସମୟରେ ସଙ୍ଗୀତାଙ୍କୁ ‘ବିଜଲି’ ନାଁରେ ଡକାଯାଉଥିଲା।

sangeeta biji

ବଲିଉଡର ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲର କୁହାଯାଉଥିବା ସଲମାନ ଖାନ ଏ ଯାଏ ଅବିବାହିତ ନ ଥାଆନ୍ତେ, ଯଦି ତାଙ୍କର ସଙ୍ଗୀତାଙ୍କ ସହ ବିବାହ ହୋଇଯାଇଥାଆନ୍ତା। ସଙ୍ଗୀତା ବିଜଲାନି ଓ ସଲମାନ ଖାନ୍ ୧୯୮୬ ମସିହାରେ ପରସ୍ପରର ନିକଟତର ହୋଇଥିଲେ ଏବଂ ପାଖାପାଖି ୧୦ବର୍ଷ ପର୍ଯ୍ୟନ୍ତ ଉଭୟ ଉଭୟଙ୍କୁ ଡେଟ୍ କରୁଥିଲେ। ସେତେବେଳେ ଦୁଇଜଣଙ୍କୁ ନେଇ ଏତେ ଚର୍ଚ୍ଚା ଜୋର୍ ଧରିଥିଲା ଯେ କଥା ବିବାହ ତାରିଖ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଏପରି କି, କାର୍ଡ ମଧ୍ୟ ଛପା ସରିଥିଲା।

ଏହାସହ ପଢ଼ନ୍ତୁ : ହିଟଲରଙ୍କ ମୃତ୍ୟୁ ପରେ କାହିଁକି ହଜାର ହଜାର ଜର୍ମାନୀବାସୀ କରିଥିଲେ ଆତ୍ମହତ୍ୟା

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୧୯୯୪ ମେ ୨୭ରେ ଉଭୟଙ୍କ ବାହାଘର ହେବାର ଥିଲା। କିନ୍ତୁ କୌଣସି କାରଣରୁ ବାହାଘର ଭାଙ୍ଗିଯାଇଥିଲା। ତେବେ ସଲମାନ କରନ ଜୋହରଙ୍କ ପପୁଲାର୍ ଶୋ ‘କଫି ୱିଥ୍ କରନ’ରେ ମଧ୍ୟ ଏହା ବି ସ୍ବୀକାର କରିଥିଲେ ସଙ୍ଗୀତାଙ୍କ ସହ ତାଙ୍କର ବାହାଘର କାର୍ଡ ଛପି ସାରିଥିଲା। ଯଦିଓ ସଲମାନ ତାଙ୍କ ବିବାହ ତାରିଖ କଥା କିଛି ଉଠାଇ ନ ଥିଲେ।

sangeeta biji

କୁହାଯାଏ କି ସଙ୍ଗୀତାଙ୍କ ସହ ଡେଟ୍ କରିବା ସାଙ୍ଗରେ ସଲମାନ ଅଭିନେତ୍ରୀ ସୋମି ଅଲ୍ଲୀଙ୍କ ସହ ମଧ୍ୟ ବହୁତ ନିକଟତର ହୋଇଯାଇଥିଲେ। ଯେତେବେଳେ ସଙ୍ଗୀତା ଏ ବିଷୟରେ ଜାଣିପାରିଥିଲେ, ସେତେବେଳେ ସେ ସଲମାନଙ୍କ ସହ ବିବାହ ଭାଙ୍ଗିବାକୁ ସ୍ଥିର କରିନେଇଥିଲେ। ବାହାଘର ଭାଙ୍ଗିବା ପରେ ସଙ୍ଗୀତା କ୍ରିକେଟିୟର ମହମ୍ମଦ ଆଝାରୁଦ୍ଦିନଙ୍କୁ ବିବାହ କରିନେଲେ।

ତେବେ ଆଝାରୁଦ୍ଦିନ ପୂର୍ବରୁ ହିଁ ବିବାହିତ ଥିଲେ ଏବଂ ତାଙ୍କର ୨ ପୁଅ ମଧ୍ୟ ଥିଲେ। ସଙ୍ଗୀତାଙ୍କ ପାଇଁ ଆଝାର ତାଙ୍କ ପ୍ରଥମ ପତ୍ନୀ ନୌରିନଙ୍କୁ ଛାଡ଼ପତ୍ର ଦେଇଦେଲେ। ଏହାପରେ ସଙ୍ଗୀତା ନିଜ ଧର୍ମ ପରିବର୍ତ୍ତନ କରି ଆଝାରଙ୍କୁ ବିବାହ କଲେ ଏବଂ ନିଜ ନାଁ ‘ଆୟେଶା’ ରଖିଲେ। କିନ୍ତୁ ଏଠି ବି ସଙ୍ଗୀତା ଓ ଆଝାରଙ୍କ ସମ୍ପର୍କ ବେଶି ଦିନ ତିଷ୍ଠିପାରି ନ ଥିଲା। ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.