Below header

ଯାହାଙ୍କର ସ୍ୱର ବିଗ୍‌ବସ୍‌ରେ କରେ ରାଜ୍‌, ଜାଣନ୍ତୁ ସେ କିଏ?

ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସଲମାନ୍‌ ଖାନ୍‌ଙ୍କ ରିୟଲଟି ଶୋ ବିଗ୍‌ବସ୍‌-୧୩। ସେପ୍ଟେମ୍ବର ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଶୋରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ବିଗ୍‌ବସ୍‌ ଦେଶର ଏକ ଲୋକପ୍ରିୟ ଶୋ। ଗତ ଦଶ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଆସିଥିବା ଏହି ଶୋ’ର ଦର୍ଶକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖାସ୍‌ କରି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀକୁ ଅଧିକ ଜାଣିବା ପାଇଁ ଦର୍ଶକେ ପ୍ରତିବର୍ଷ ଏହାକୁ ଅପେକ୍ଷା କରିଥାନ୍ତି। ‘ବିଗ୍‌ବସ୍‌ ଚାହତେ ହେଁ’ ଏହି ସ୍ୱର ଶୁଣିବା କ୍ଷଣି ସମସ୍ତ ସଦସ୍ୟ ଆଲର୍ଟ ହୋଇଯାଇଥାନ୍ତି। ଯାହା ଇସାରାରେ ସମଗ୍ର ବିଗ୍‌ବସ୍‌ ହାଉସ୍‌ ଉଠ୍‌ବସ୍‌ ହୁଏ ତାଙ୍କ ବିଷୟରେ ପ୍ରାୟତଃ କେହି ଜାଣିନଥିବେ। ଆସନ୍ତୁ ଜାଣିବା ପ୍ରକୃତ ବିଗ୍‌ବସ୍‌ଙ୍କ ସମ୍ପର୍କରେ…

ବିଗ୍‌ବସ୍‌ରେ ଦୁଇଜଣ ବ୍ୟକ୍ତି କଣ୍ଠଦାନ କରିଛନ୍ତି। ଜଣେ ‘ବିଗ୍‌ବସ୍‌ ଚାହତେ ହେଁ’ କହୁଥିବା ବେଳେ ଆଉ ଜଣେ‘ସୁବ୍‌ହ କି ଦଶ ବଜ ଚୁକେ ହେଁ’ କହିଥାନ୍ତି। ବିଗ୍‌ବସ୍‌ ଚାହତେ ହେଁ କହୁଥିବା ବ୍ୟକ୍ତିଙ୍କ ନାମ ଅତୁଲ କପୁର। ସେହିପରି ସମୟ ସମ୍ପର୍କରେ ଏବଂ ରି କ୍ୟାପ୍‌ ପାଇଁ କଣ୍ଠଦାନ କରୁଥିବା ବ୍ୟକ୍ତି ହେଉଛନ୍ତି ବିଜୟ ବିକ୍ରମ ସିଂହ। ଉଭୟେ ବିଗ୍‌ବସ୍‌ର ଅନ୍ୟ ସଦସ୍ୟଙ୍କ ଭଳି ୩ ମାସ ପର୍ଯ୍ୟନ୍ତ ବିଗ୍‌ ବସ୍‌ ହାଉସ୍‌ରେ ରହିଥାନ୍ତି। କିନ୍ତୁ ସେମାନଙ୍କୁ ବନ୍ଦ କରି ରଖାଯାଏନି। ସେମାନେ ୨୪ ଘଣ୍ଟା ଘରର ସଦସ୍ୟଙ୍କ ଉପରେ ନଜର ରଖିଥାନ୍ତି। ଲୋନାଓ୍ଵାଲାରେ ବିଗ୍‌ ବସ୍‌ର ସେଟ୍‌ଠାରୁ ମାତ୍ର ପାଞ୍ଚ ମିନିଟ୍‌ ଦୂରରେ ଉଭୟେ ରହିଥାନ୍ତି।

ଲକ୍ଷ୍ନୌରେ ଜନ୍ମିତ ଅତୁଲ କପୁର ହେଉଛନ୍ତି ଜଣେ ଅଭିନେତା। ସେ ଜଣେ ଭଏସ୍‌ ଓଭର ଆଟିଷ୍ଟ ମଧ୍ୟ। ପ୍ରଥମ ସିଜନ୍‌ରୁ ହିଁ ସେ ବିଗ୍‌ବସ୍‌ ଶୋ ସହ ଜଡ଼ିତ। କେବଳ ବଲିଉଡ୍‌ ନୁହେଁ ହଲିଉଡରେ ମଧ୍ୟ ଅତୁଲ ବହୁ ଫିଲ୍ମ ପାଇଁ କଣ୍ଠଦାନ କରିଛନ୍ତି। ହଲିଉଡ୍‌ର ଆଇରନ୍‌ ମ୍ୟାନ୍‌, ଆଭେଞ୍ଜର, କ୍ୟାପ୍‌ଟେନ୍‌ ଆମେରିକା ଆଦି ଫିଲ୍ମର ହିନ୍ଦୀ ଭର୍ସନରେ ଅତୁଲ କଣ୍ଠ ଦେଇଛନ୍ତି।

ବିଗ୍‌ବସର ଅନ୍ୟ ଭଏସ୍‌ ଆଟିଷ୍ଟ ବିଜୟ ବିକ୍ରମ ସିଂହ ଗତ ୯ ବର୍ଷ ହେଲା ଶୋ’ ସହ ଜଡ଼ିତ। ଉତ୍ତର ପ୍ରଦେଶର କାନପୁରବାସୀ ବିଜୟ ଏମ୍‌ବିଏ କରିଛନ୍ତି। ତେବେ ୨୦ ବର୍ଷ ବୟସରୁ ବିଜୟ ଡିପ୍ରେସନ୍‌ର ଶିକାର ହୋଇ ମଦ ଆଡିକ୍‌ଟେଡ୍‌ ହୋଇଯାଇଥିଲେ। ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ଭଏସ୍‌ ଉଭର ଆର୍ଟିଷ୍ଟ ଭାବେ କାମ କରିଥିଲେ। ତା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟ ୨୫୦ ରିଆଲିଟି ଶୋ ଓ ୧୦୦ରୁ ଊର୍ଦ୍ଧ୍ୱ ଟିଭି କମରସିଆଲରେ ସ୍ୱର ଦେଇସାରିଛନ୍ତି।

ଏହାସହ ପଢନ୍ତୁ: କୁକୁରଙ୍କ ସହ ତୀର୍ଥଯାତ୍ରା କରିଥାନ୍ତି ଏହି ସାଧୁବାବା, ଜାଣନ୍ତୁ କାହିଁକି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.