ଲୋକପ୍ରିୟ ସଂଗୀତଜ୍ଞ ଦେବ କୋହଲିଙ୍କ ପରଲୋକ; ମେନେ ପ୍ୟାର କିୟା, ବାଜିଗର ଭଳି ଫିଲ୍ମ ପାଇଁ ଲେଖିଥିଲେ ଗୀତ

୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଲୋକପ୍ରିୟ ସଂଗୀତଜ୍ଞ ଦେବ କୋହଲି । ସେ ବାର୍ଦ୍ଧ୍ୟକଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଲୋକପ୍ରିୟ ସଂଗୀତଜ୍ଞ ଦେବ କୋହଲିଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ବାର୍ଦ୍ଧ୍ୟକଜନିତ ରୋଗରେ ପୀଡିତ ଥିଲେ ଦେବ କୋହଲି । ସେ ଦୁଇ ମାସ ହେଲାଣି ଧୀରୁବାଇ ଅମ୍ବାନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିବାରୁ ଡାକ୍ତର ତାଙ୍କୁ ଘରକୁ ନେବା ପାଇଁ କହିଥିଲେ । ଆଜି ସକାଳ ଭୋର ୪ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଦେବ କୋହଲି ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ସଂଗୀତଜ୍ଞ । ସେ ଲାଲ ପଥର, ମେନେ ପ୍ୟାର କିୟା, ହମ୍‌ ଆପକେ ହେ କୌନ, ବାଜିଗର, ଜୁଓଓ୍ଵା ୨, ମୁସାଫିର, ଇସ୍କ, ସୁଟଆଇ ଆଟ ଲୋଖେଣ୍ଡଓ୍ଵାଲା, ଟ୍ୟାକ୍ସି ନମ୍ବର ୯୧୧ ଭଳି ୧୦୦ରୁ ଅଧିକ ଫିଲ୍ମରେ ସୁପରହିଟ୍‌ ଗୀତ ଲେଖିଛନ୍ତି । ଦେବ କୋହଲି ସଲମାନ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ମେନେ ପ୍ୟାର କିୟା’ ପାଇଁ କବୁତର ଜା..ଜା, ଆଜ ଶାମ୍‌ ହୋନେ କୋ ଆଇ, ଆତେ ଜାତେ, କହେ ତୋସେ ସଜନା ଭଳି ସୁପରହିଟ୍‌ ଗୀତ ଲେଖିଛନ୍ତି ।

ଦେବ କୋହଲିଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ମୁମ୍ବାଇର ଲୋଖଣ୍ଡେଓ୍ଵାଲା ଘରେ ଦିନ ୨ଟା ଯାଏଁ ରଖାଯିବ । ତା’ପରେ ତାଙ୍କର ଅନ୍ତିମ ସଂସ୍କାର ମୁମ୍ବାଇର ଔଶିଓ୍ଵରା ଶ୍ମଶାନରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.